କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ନ୍ୟାୟ ପାଇଁ ସୁପ୍ରିମ୍କୋର୍ଟ ଉପରେ ଭରସା ରଖ
କୋଲକାତା: କୋଲକାତାର ଆର୍ଜି କର ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଆନ୍ଦୋଳନ ଜାରି ରଖିଥିବା ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗ ଦେବା ସହ ନ୍ୟାୟ ପାଇଁ ସୁପ୍ରିମ୍କୋର୍ଟଙ୍କ ଉପରେ ଭରସା କରିବାକୁ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ସଭାପତି ଅନୁରୋଧ କରିଛନ୍ତି। ଆର୍ଜି କରର ଯୁବ ସ୍ନାତକୋତ୍ତର ଡାକ୍ତରଙ୍କ ନିଧନ ଦେଶର ବିବେକକୁ ଦୋହଲାଇ ଦେଇଛି। ସେ ଜଣେ ଉଦୀୟମାନ ଡାକ୍ତର ହେବା ସହ ନିମ୍ନ ମଧ୍ୟବିତ୍ତ ପିତାମାତାଙ୍କ ଏକମାତ୍ର କନ୍ୟାସନ୍ତାନ ହୋଇଥିବାରୁ ସମଗ୍ର ଦେଶର କ୍ରୋଧ ଓ ନିରାଶା ପ୍ରକାଶ ପାଇଛି। ସମଗ୍ର ଦେଶ ତାଙ୍କୁ ନିଜ ଝିଅ ଭାବେ ଗ୍ରହଣ କରିଛି ବୋଲି ଆଇଏମ୍ଏର ଚିଠିରେ ଉଲ୍ଲେଖ କରାଯାଇଛି। ଆଇଏମ୍ଏ ଅଧ୍ୟକ୍ଷ କହିଛନ୍ତି ଯେ ସମଗ୍ର ଡାକ୍ତରୀ ସମୁଦାୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ମାନିବା ଉଚିତ। ସୁପ୍ରିମ୍କୋର୍ଟ ଏହି ପରିସ୍ଥିତିକୁ ସ୍ୱୟଂକ୍ରିୟ ଭାବେ ଗ୍ରହଣ କରି ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଅଦାଲତ ଡାକ୍ତରମାନଙ୍କୁ କହିଛନ୍ତି ‘ଆମ ଉପରେ ଭରସା କର। ନ୍ୟାୟ ଓ ଔଷଧ ବନ୍ଦ ହେବା ଉଚିତ ନୁହେଁ’। ଭାରତର ନାଗରିକ ହିସାବରେ ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକୁ ସମଗ୍ର ଡାକ୍ତରୀ ଜଗତ ମାନିବା ଉଚିତ। ଆଧୁନିକ ମେଡିସିନର ସମସ୍ତ ଡାକ୍ତର ନ୍ୟାୟ କଥା ସୁପ୍ରିମ୍କୋର୍ଟଙ୍କ ଉପରେ ଛାଡ଼ିଦେଇ ରୋଗୀସେବାକୁ ଫେରିବା ଉଚିତ ବୋଲି ଆଇଏମ୍ଏ କହିଛି।
ପୀଡ଼ିତାଙ୍କୁ ନ୍ୟାୟ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଦାବିରେ ଡାକ୍ତରମାନେ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି ଘଟଣାକୁ ନେଇ ବିଜେପି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାକୁ ସ୍ଥାନୀୟ ପୁଲିସ ପକ୍ଷରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ହସ୍ତାନ୍ତର କରାଯାଇଛି।
ସୁପ୍ରିମ୍କୋର୍ଟ ଗଲେ ସନ୍ଦୀପ ଘୋଷ
କୋଲକାତ : କୋଲକାତାର ଆର୍ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆର୍ଜି କର ମେଡିକାଲ କଲେଜରେ ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ତଦନ୍ତ ସଂକ୍ରାନ୍ତ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟ ଯାଇଛନ୍ତି। ଆସନ୍ତା ୬ ତାରିଖରେ ଏହି ଆବେଦନ ଉପରେ ଶୁଣାଣି ହେବ। ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ଦିନ ଡା ଘୋଷ ଏବଂ ଅନ୍ୟ ୩ ଜଣଙ୍କୁ କଲିକତା କୋର୍ଟ ୮ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି। ଅନ୍ୟପକ୍ଷେ ମାମଲାର ତଦନ୍ତ କରୁଥିବା ସିବିଆଇ ଦାବି କରିଛି ଯେ ଦୁର୍ନୀତି ପଛରେ ଏକ ବଡ଼ ଅସାଧୁ ମେଣ୍ଟ ରହିଛି। ଏଯାବତ୍ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ମାମଲାରେ ଆହୁରି ଅନେକ ଲୋକଙ୍କର ସମ୍ପୃକ୍ତି ରହିଛି। ସମଗ୍ର ଅସାଧୁ ମେଣ୍ଟର ପର୍ଦ୍ଦାଫାସ ପାଇଁ ଆମେ ସେମାନଙ୍କୁ ଜେରା କରିବୁ ବୋଲି ସିବିଆଇ ଦାବି କରିଛି।source:sambad.in