
ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ: ଇସ୍ରାଏଲ ଉପରକୁ ଇରାନର କ୍ଷେପଣାସ୍ତ୍ର ମାଡ଼, ଆମେରିକା ଆକ୍ରମଣର କଡ଼ା ଜବାବ ଦେବ ଇରାନ
ତେଲ୍ ଅଭିଭ୍: ଆମେରିକା ତେହରାନର ତିନିଟି ପ୍ରମୁଖ ପରମାଣୁ ସ୍ଥଳକୁ ଆକ୍ରମଣ କରିବାର ଦିନକ ପରେ ସୋମବାର ଇରାନ ଇସ୍ରାଏଲ ଉପରକୁ ୧୫ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଜେରୁଜେଲମରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିବା ବେଳେ ଉତ୍ତର ଇସ୍ରାଏଲରେ ସାଇରନ୍ ବାଜିଛି। ଇରାନ କହିଛି ଯେ ଇସ୍ରାଏଲ ଉପରେ ତା’ର ସଦ୍ୟତମ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ତା’ର ସାମରିକ ଅଭିଯାନର ଏକ ନୂତନ ପର୍ଯ୍ୟାୟ, ଯାହାକୁ ‘ଟ୍ରୁ ପ୍ରମିଜ୍ ୩’ କୁହାଯାଉଛି। ଇସ୍ରାଏଲର ତେଲ୍ ଅଭିଭ୍ ଓ ହାଇଫାକୁ ଟାର୍ଗେଟ କରିଛି ଇରାନ୍। ତେଣେ ଇସ୍ରାଏଲ ସେନା ଇରାନର ୬ଟି ସାମରିକ ବିମାନଘାଟି ଉପରେ ଆକ୍ରମଣ କରି ଏଫ୍-୧୪, ଏଫ୍-୫ ଏବଂ ଏଏଚ୍-୧ ବିମାନ ସମେତ ୧୫ଟି ଲଢୁଆ ବିମାନ ଓ ହେଲିକପ୍ଟର ନଷ୍ଟ କରିଛି। ଇରାନର ରନ୍ୱେ ଓ ଭୂତଳ ସୁବିଧା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଇରାନ ଉପରେ ଆମେରିକାର ଆକ୍ରମଣକୁ ଚୀନ୍ ନିନ୍ଦା କରିବା ସହ ଏହା ଅନ୍ତର୍ଜାତୀୟ ଆଇନର ଘୋର ଉଲ୍ଲଂଘନ ବୋଲି କହିଛି। ଶାନ୍ତି ଫେରାଇ ଆଣିବା ଓ ନ୍ୟାୟ ବଜାୟ ରଖିବା ପାଇଁ ବେଜିଂ ସାମୂହିକ ବିଶ୍ୱ ପ୍ରୟାସ ପାଇଁ ଅନୁରୋଧ କରିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଇରାନର ପରମାଣୁ କାରଖାନା ଉପରେ ଆମେରିକାର ବୋମାମାଡ଼ ମଧ୍ୟପ୍ରାଚ୍ୟ ଉତ୍ତେଜନାରେ ଏକ ବିପଜ୍ଜନକ ମୋଡ଼ ଆଣିଛି ଏବଂ ଜାତିସଂଘ ନିରାପତ୍ତା ପରିଷଦ ରବିବାର ଏକ ଜରୁରିକାଳୀନ ଅଧିବେଶନ ଡାକି ସଙ୍କଟ ଉପରେ ଆଲୋଚନା କରିଛି।
ଆମେରିକା ଇରାନର ୩ ପରମାଣୁ ସ୍ଥଳ ଧ୍ବଂସ କରିବା ପରେ ଇରାନ ଏହାର କଡ଼ା ଜବାବ ଦେବ ବୋଲି ଚେତାବନୀ ଦେଇଛି। ଇରାନର ସେନା ମୁଖ୍ୟ ଅବଦୋଲରହିମ ମୌସଭି କହିଛନ୍ତି, ଇରାନର ପରମାଣୁ ସ୍ଥଳ ଉପରେ ଆମେରିକା ଆକ୍ରମଣର ଜବାବ ଆମେ ନିଶ୍ଚିତ ଦେବୁ। ନେତାନ୍ୟାହୁଙ୍କୁ ଉଦ୍ଧାର କରିବାପାଇଁ ଆସି ଟ୍ରମ୍ପ୍ ଏକ ବଡ଼ ଭୁଲ୍ ନିଷ୍ପତ୍ତି ନେଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଇଙ୍ଗିତ କରି ସେ ଏହି ଟିପ୍ପଣୀ ଦେଇଛନ୍ତି। ଏଥିସହିତ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଆମେ ସମ୍ପୂର୍ଣ୍ଣ ଦୁର୍ବଳ କରିବା ପର୍ଯ୍ୟନ୍ତ ଦଣ୍ଡିତ କରିବୁ ବୋଲି ସେ କହିଛନ୍ତି। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ଇରାନ ଆସନ୍ତା ଦିନେ କିମ୍ବା ୨ ଦିନ ମଧ୍ୟରେ ଆମେରିକା ଆକ୍ରମଣର ଜବାବ ଦେବ।source:sambad.in