
ଟ୍ରମ୍ପ୍ଙ୍କ ଶାନ୍ତି ସ୍ଥାପନ ପ୍ରୟାସକୁ ଝଟ୍କା!: ପୁଟିନ କହିଲେ ରୁଷିଆ ନିଜର ଲକ୍ଷ୍ୟ ହାସଲ କରିବ
ୱାଶିଂଟନ/ ମସ୍କୋ: ତିନି ବର୍ଷ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ସଂଘର୍ଷରେ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରୟାସ ଏପର୍ଯ୍ୟନ୍ତ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଦେଖାଇ ନାହିଁ। ତେବେ ଏବେ ଟ୍ରମ୍ଙ୍କୁ ବଡ଼ ଝଟକା ଲାଗିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୂର୍ବରୁ ଆମେରିକାର ନିଃସର୍ତ୍ତ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ସାମ୍ପ୍ରତିକ ଆଲୋଚନା ପରେ ମଧ୍ୟ, ରୁଷିଆର ମନୋଭାବରେ ପରିବର୍ତ୍ତନ ହେବାର କୌଣସି ସଙ୍କେତ ମିଳିନାହିଁ।
ଆଲୋଚନାରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଅସ୍ତ୍ରବିରତି ପାଇଁ ଦାବିକୁ ଦୋହରାଇଥିଲେ। ସେ ପୁଟିନଙ୍କୁ କହିଥିଲେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ଅସ୍ତ୍ରବିରତି ଆବଶ୍ୟକ, ଯାହା ଦ୍ଵାରା ଜୀବନ ଏବଂ ସମ୍ପତ୍ତି କ୍ଷୟକ୍ଷତିକୁ ରୋକାଯାଇପାରିବ। ଏହି ଆଲୋଚନା ଏପରି ଏକ ସମୟରେ ହୋଇଛି, ଯେତେବେଳେ ଆମେରିକା ୟୁକ୍ରେନକୁ କିଛି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଜୋ ବାଇଡେନ ସରକାର ସମୟରେ ପ୍ରତିଶ୍ରୁତି ଦିଆଯାଇଥିବା ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଏବଂ ସଠିକ୍ ମାର୍ଗଦର୍ଶିତ ତୋପକୁ ବର୍ତ୍ତମାନ ପାଇଁ ବନ୍ଦ କରିଦିଆଯାଇଛି। ରୁଷିଆର ଆକ୍ରମଣ ତୀବ୍ର ହୋଇଛି ଏବଂ ୟୁକ୍ରେନର ପରିସ୍ଥିତି ଅଧିକ କଷ୍ଟକର ହେବାରେ ଲାଗିଛି।
ଯଦିଓ ଏହି ଆଲୋଚନାରେ ଦୁଇ ନେତା ମୁହାଁମୁହିଁ ସାକ୍ଷାତ ବିଷୟରେ କଥା ହୋଇ ନଥିଲେ, ତଥାପି ଭବିଷ୍ୟତରେ ଏହି ଆଲୋଚନା ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ବୋଲି କୁହାଯାଉଛି। ଚଳିତ ବର୍ଷ ବର୍ଷ ଟ୍ରମ୍ପ୍ ଏବଂ ପୁଟିନଙ୍କ ମଧ୍ୟରେ ଏହା ଷଷ୍ଠ ଆଲୋଚନା ଥିଲା। ଦୁଇ ନେତା ରୁଷିଆ-ଆମେରିକା ସମ୍ପର୍କ, ମଧ୍ୟପ୍ରାଚ୍ୟ ପରିସ୍ଥିତି ଏବଂ ଏହି ସମସ୍ତ ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା କରିଥିଲେ। ତଥାପି, ପୁଟିନ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେବାରେ ଆମେରିକାର ଅନିଚ୍ଛା ଉପରେ କୌଣସି ମନ୍ତବ୍ୟ ଦେଇ ନଥିଲେ।source:sambad.in