ବାଂଲାଦେଶୀ ପରିବାର ପାରାଦୀପରୁ ଠାବ: ପୁଲିସର ତନାଘନା

ରାଜ୍ୟ

ଜଗତସିଂହପୁର: ସାରା ରାଜ୍ୟରେ ବାଂଲାଦେଶୀ ଧରପଗଡ଼ ଅଭିଯାନ ଚାଲିଥିବା ବେଳେ ପାରାଦୀପରେ ଏକ ପରିବାର ଠାବ ହୋଇଛନ୍ତି। ସେମାନଙ୍କ ପାଖରେ କୌଣସି କାଗଜପତ୍ର ନ ଥିବା ବେଳେ ଗଳାବାଟ ଦେଇ ପାରାଦୀପରେ ପହଞ୍ଚି ଥିବା ଲକ୍ ଥାନ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

 

ଜଣେ ବ୍ୟକ୍ତି ସେମାନଙ୍କୁ ବସ୍ ଯୋଗେ ପାରାଦୀପ ଆଣି ଏଠାରେ ଭଡ଼ା ଘରେ ରଖିଥିବା ଜଣାପଡ଼ିଛି। ବାଂଲାଦେଶୀ ବୋଲି ସ୍ପଷ୍ଟ ହେବା ପରେ ଉପଜିଲ୍ଲାପାଳ, କୁଜଙ୍ଗ ତହସିଲଦାର ଲକ ଥାନାରେ ପହଞ୍ଚି ସବିଶେଷ ତଥ୍ୟ ହାସଲ କରିଛନ୍ତି।

ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି ଅଧିକାରୀ କହିଛନ୍ତି। ସେହିପରି ଅଠରବାଙ୍କୀ ମେଡିକାଲ ଡାକ୍ତର ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଧରା ପଡ଼ିଥିବା ପରିବାର ଗତ କିଛିଦିନ ତଳେ ପାରାଦୀପ ଆସିଥିଲେ। ପରିବାରରେ ବାପା, ମା. ଝିଅ ଓ ପୁଅ ରହିଛନ୍ତି। ଲକ୍ ଥାନା ଅନ୍ତର୍ଗତ ଜରଦାରୀପଡ଼ାରେ ଭଡ଼ା ଘରେ ଥିବା ବେଳେ ପୁଲିସ ଯାଞ୍ଚ କରୁଥିବା ବେଳେ ଧରାପଡ଼ିଥିଲେ। ପରେ ସେମାନଙ୍କୁ ଥାନାକୁ ଆଣି ପୁଲିସ ଟିମ୍ ପଚରାଉଚରା କରିଥିଲା। ପଚରାଉଚରା ସମୟରେ ଜଣାପଡ଼ିଥିଲା

ସେମାନେ ଜଳପଥ ଦେଇ ସୁନ୍ଦରବନରେ ପହଞ୍ଚିଥିଲେ। ସେଠାରୁ କୋଲକାତା ଆସିଥିଲେ। ଜରଦାରୀପଡ଼ାର ଜଣେ ବ୍ୟକ୍ତି କୋଲକାତା ବସଷ୍ଟାଣ୍ଡରେ ଥିବା ବେଳେ ସେମାନଙ୍କ ସହ ବାଂଲାଦେଶୀ ପରିବାରର ଦେଖା ସାକ୍ଷାତ ହୋଇଥିଲା। କଥାବାର୍ତ୍ତା ପରେ ବାଂଲାଦେଶୀ ପରିବାର ସେମାନଙ୍କ ଓ ନାବାଳିକା ଝିଅକୁ ନିର୍ଯାତନା ଦିଆ ଯାଉଥିବାରୁ ପଳାଇ ଆସିଥିବା କହିଥିଲେ। ଜରଦାରୀପଡ଼ାର ବ୍ୟକ୍ତି ସେମାନଙ୍କୁ ପାରାଦୀପ ଆସିବା ପାଇଁ କହିବା ସହ ରୋଜଗାର ବ୍ୟବସ୍ଥା କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜରାଦାରୀପଡ଼ାରେ ପହଞ୍ଚିବା ପରେ ସେମାନେ ଏକ ଭଡ଼ା ଘରେ ରହିଥିଲେ।source:sambad.in


Related News