ଦିଶିଲାନି ଚକାଆଖି: ଶ୍ରଦ୍ଧାଳୁ ଅସନ୍ତୋଷ

ରାଜ୍ୟ

ପୁରୀ,୯ା୭(ଅଜିତ୍‌ କୁମାର ମହାନ୍ତି):ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା ମଙ୍ଗଳବାର ଶେଷ ହୋଇଛି। ହେଲେ ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ମୁଖ ଦର୍ଶନ କରିପାରି ନ ଥିବାରୁ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମିତି କୌଣସି ଏକ ମୁହୂର୍ତ୍ତ ଆସିଲାନି, ଯେଉଁଥିରେ ଠାକୁରଙ୍କୁ ପରିଷ୍କାର ଦେଖିବାର ସୁଯୋଗ ମିଳିଲା। ଟେଲିଭିଜନ, ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ଶ୍ରଦ୍ଧାଳୁ ଠାକୁରମାନଙ୍କୁ ଠିକ୍‌ ଭାବେ ଦେଖିପାରିଲେ ନାହିଁ ବୋଲି କହିଛନ୍ତି। ରଥାରୁଢ଼ ଠାକୁରଙ୍କ ସମ୍ମୁଖରେ ଅନେକେ ହାଉଜାଉ ହେଉଥିବା ଦୃଷ୍ଟିରୁ ଶ୍ରଦ୍ଧାଳୁମାନେ କେବଳ ଚକାଆଖିର ଫଟୋ ପାଇପାରି ନ ଥିବା କହୁଛନ୍ତି।

ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଯାତ୍ରା ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ନୀଳାଦ୍ରି ବିଜେ ଅବସରରେ  ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ା ବିଜେ କରିଛନ୍ତି। ଏଥିସହ ଚଳିତ ବର୍ଷର ଘୋଷଯାତ୍ରା ସମ୍ପନ୍ନ ହୋଇଛି। ବୁଧବାରଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ। ସେହିପରି ଭକ୍ତମାନେ ନୀଳାଚଳ ଅବଢ଼ା ପାଇପାରିବେ।source:dharitri.com


Related News