ଏହି ବିଧାୟକ ମାନଙ୍କୁ ମିଳିବ ଖାଲିଥିବା ୬ ମନ୍ତ୍ରୀ ପଦ, ମନମୋହନ କଲେ ଖୁଲାସା

ରାଜ୍ୟ

ଭୁବନେଶ୍ୱର,୧୦।୭(ସୁନିତ୍‌ ମିଶ୍ର): ରାଜ୍ୟରେ ଭାଜପା ସରକାର ଗଠନର ଗୋଟିଏ ବର୍ଷ ପୂରଣ ହୋଇସାରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳରେ ୧୬ ଜଣ ମନ୍ତ୍ରୀ ରହିଛନ୍ତି। ଏହା ବାଦ୍‌ ୬ଟି ମନ୍ତ୍ରୀ ପଦ ବର୍ତ୍ତମାନ ସୁଦ୍ଧା ଖାଲି ରହିଛି। ଖୁବ୍‌ଶୀଘ୍ର ପଦବୀ ପୂରଣ ହେବ ବୋଲି ଭାଜପାର ନୂଆ ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

ମନମୋହନ ୪ର୍ଥ ଥର ଲାଗି ଦଳର ସଭାପତି ନିଯୁକ୍ତ ହେବାପରେ ବୁଧବାର ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ଅବସରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାକୁ ସଶକ୍ତ ଏବଂ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ପଞ୍ଚାୟତ ନିର୍ବାଚନକୁ ଦେଢ଼ବର୍ଷରୁ କମ୍‌ ସମୟ ରହିଛି। ସାଧାରଣ ଲୋକେ ଯେପରି ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କଲେ ସେହିପରି ତୃଣମୂଳସ୍ତରରେ ପରିବର୍ତ୍ତନ ଚାହୁଁଛନ୍ତି। ଭାଜପା ଏଥର ପଞ୍ଚାୟତସ୍ତରରେ ଭଲ ପ୍ରଦର୍ଶନ କରିବ। ସଭାପତି ଯେତେବେଳେ ନୂଆ ହୋଇଛନ୍ତି ଦଳ ନୂଆ କମିଟି ମଧ୍ୟ ଗଠନ କରିବ। ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଭାଜପା ସରକାରକୁ ଆସିବା ପରେ ଦଳର ନୂଆ ସଭାପତି ଚୟନ ନେଇ ସମସ୍ତଙ୍କ ଅପେକ୍ଷା ରହିଥିଲା। ସର୍ବସମ୍ମତିକ୍ରମେ ମନମୋହନ ସାମଲଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଆଉ ଥରେ ଭରସା କରିଥିବା ଦେଖିବାକୁ ମିଳିଛି। ସେ ଏକମାତ୍ର ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲକରି ୪ର୍ଥ ଥର ଲାଗି ଦଳର ସଭାପତି ପଦ ସମ୍ଭାଳିଛନ୍ତି। ସରକାର ଗଠନ ହେବା ପରେ ନିଗମ ଏବଂ ବୋର୍ଡଗୁଡ଼ିକ ଖାଲି ଥିବା ସଙ୍ଗେ ସଙ୍ଗେ ଆହୁରି ୬ଟି ମନ୍ତ୍ରୀ ପଦ ଖାଲି ରହିଛି। ଦଳର ସଭାପତି ନିର୍ବାଚନ ସରି ନ ଥିବାରୁ ଏହିସବୁ ପଦବୀ ଖାଲିଥିବା ଭାଜପା ନେତାମାନେ ଅନେକ ସମୟରେ ମତ ରଖିଥିଲେ। ବର୍ତ୍ତମାନ ସଭାପତି ନିର୍ବାଚନ ସରିବା ପରେ ଏହି ପଦବୀଗୁଡିକ ପୂରଣ ହୋଇଯିବ ବୋଲି ଚର୍ଚ୍ଚା ମଧ୍ୟ ଜୋର୍‌ ଧରିଲାଣି। ଦଳର ବହୁ ନେତା ବିଭିନ୍ନ ପଦବୀ ପାଇବା ଲାଗି ଜୋର୍‌ଦାର ଉଦ୍ୟମ ଆରମ୍ଭ ମଧ୍ୟ କରିଦେଇଛନ୍ତି।source:dharitri.com


Related News