ଦ୍ରୁତ ଗତିରେ ଓଡ଼ିଶାର ବିକାଶ, ବର୍ଷକ ମଧ୍ୟରେ ଆସିଛି ୧୭ ଲକ୍ଷ କୋଟିର ପୁଞ୍ଜି !

ରାଜ୍ୟ

ଶିଳ୍ପାୟନ ଓ ଘରୋଇ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା । ବର୍ଷର ପ୍ରଥମ ୩ ମାସରେ ରାଜ୍ୟରେ ହୋଇଛି ୧.୪ ଲକ୍ଷ କୋଟିର ନିବେଶ । ବର୍ଷକ ମଧ୍ୟରେ ଆସିଛି ମୋଟ ୧୭ ଲକ୍ଷ କୋଟିର ପୁଞ୍ଜି ପ୍ରସ୍ତାବ । ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବର ମିଳାଇଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ଦେଶର ମୋଟ ଘରୋଇ ନିବେଶର ୪୦% ହାତେଇଛି ଓଡ଼ିଶା । ପ୍ରତିଫଳିତ ହୋଇଛି ଓଡ଼ିଶାରେ ନିବେଶ ପଇଁ ମୋଦି ଗ୍ୟାରେଣ୍ଟିକୁ ଭରସା ।

ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ଘରୋଇ ପୁଞ୍ଜିନିବେଶ କ୍ଷେତ୍ରରେ ବଡ଼ ବାଜି ମାରିଛି ଓଡ଼ିଶା । CMIE ରିପୋର୍ଟ ଅନୁସାରେ ଘରୋଇ ପୁଞ୍ଜି ନିବେଶ କ୍ଷେତ୍ରରେ ଦେଶରେ ଶୀର୍ଷ ସ୍ଥାନ ଅଧିକାର କରିଛି ଓଡ଼ିଶା । ଏପ୍ରିଲରୁ ଜୁନ୍ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ବାର୍ଟରରେ ରାଜ୍ୟରେ ୧.୪ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି । ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, ଖୋର୍ଦ୍ଧା, ଗୋପାଳପୁର ଓ ଯାଜପୁରରେ ଅନେକ ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ ହୋଇଛି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଆସିଥିବା ନିବେଶ ପ୍ରସ୍ତାବକୁ ଶୀଘ୍ର ଗ୍ରାଉଣ୍ଡିଂ କରିବା ପାଇଁ ସରକାରଙ୍କ ଯୋଜନା ରହିଛି । ଲୋକଙ୍କ ସରକାରରେ ପୁଞ୍ଜି ନିବେଶ ବଢ଼ିବା ସହ ଅର୍ଥନୀତି ସୁଦୃଢ଼ ହେଉଛି । ସପ୍ତାହେ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ X ଯୋଗେ ବି ଏହି ସୂଚନା ଦିଆଯାଇଥିଲା ।

ଆଶାଜନକ ନିବେଶ ଆସିବା ଦ୍ବାରା ବଡ଼ ବିକାଶ ପାଇଁ ଫିଟିଛି ବାଟ । ରାଜ୍ୟରେ ଶିଳ୍ପାୟନ ଓ ବିକାଶ କ୍ଷେତ୍ରରେ ୨୪ ବର୍ଷ ଧରି ଲାଗିରହିଥିବା ସ୍ଥାଣୁତା ଦୂର ହୋଇଛି । ନିବେଶକଙ୍କୁ ଆକର୍ଷିତ କରିବାକୁ ଗତ ବର୍ଷେ ଭିତରେ ଅନେକ ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ନିଜେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ ସିଙ୍ଗାପୁର ଓ ଦୁବାଇ ଯାଇ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ । ଗତ ଜାନୁଆରୀରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ନିବେଶକଙ୍କୁ ଆକର୍ଷିତ କରିବାରେ ବଡ଼ ସଫଳତା ହାସଲ କରିଥିଲା ଓଡ଼ିଶା । ବିଜେପି ସରକାରଙ୍କ ଶିଳ୍ପ ଅନୁକୁଳ ନୀତି ଯୋଗୁଁ ପୁଞ୍ଜି ନିବେଶ ଆକର୍ଷିତ କରିବାରେ ଓଡ଼ିଶା ରେକର୍ଡ କରିଥିବା କହିଛନ୍ତି ବିଶେଷଜ୍ଞ ।

ଓଡ଼ିଶାକୁ ଏହି ବଡ଼ ପୁଞ୍ଜିନିବେଶ ଆସିବା ପଛରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟିର ରହିଛି ବଡ଼ ଭୂମିକା । ଜାନୁଆରୀରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶାରେ ନିବେଶ ପାଇଁ ଦେଶ ବିଦେଶର ଶିଳ୍ପପତିଙ୍କୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ଆଉ କହିଥିଲେ ଓଡ଼ିଶାରେ ନିବେଶ ପାଇଁ ଏହା ପ୍ରକୃଷ୍ଟ ସମୟ । ପାରାଦ୍ବୀପରେ ମଧ୍ୟ ଓଡ଼ିଶାରେ ଶିଳ୍ପ ସମ୍ଭାବନା ନେଇ ବଡ଼ କଥା କହିଥିଲେ ମୋଦି ।

ଖଣିଜ ଓ ଜଙ୍ଗଲ ସମ୍ପଦରେ ଭରା ଓଡ଼ିଶା । ୪୫୦ କିମିରୁ ଅଧିକ ସୁଦୀର୍ଘ ଉପକୂଳ ରେଖା । କଳା ସଂସ୍କୃତି ଦୃଷ୍ଟିରୁ ସମୃଦ୍ଧ ରାଜ୍ୟ । ପୁଣି ସୂଚନା ପ୍ରଯୁକ୍ତି ବିଦ୍ୟାରେ ତାଲିମପ୍ରାପ୍ତ ରାଜ୍ୟର ହଜାର ହଜାର ମାନବ ସମ୍ବଳ । କିନ୍ତୁ ବିଡ଼ମ୍ବନା... ବେଙ୍ଗାଲୁରୁରେ ବିନିଯୋଗ ହେଉଛି ଓଡ଼ିଶାର ଆଇଟି ଛାତ୍ରଙ୍କ ମୁଣ୍ଡ। ଗୁଜରାଟର ସୁରଟରେ ବୋହୁଛି ପରିଶ୍ରମୀ ଓଡ଼ିଆଙ୍କ ଝାଳ। ଆନ୍ଧ୍ରରେ ବିନିଯୋଗ ହେଉଛି ଓଡ଼ିଶା ଖଣିଜ ସମ୍ପଦ। ଆମ ରାଜ୍ୟରେ ଏ ସବୁର ସଠିକ୍ ବିନିଯୋଗ ହୋଇପାରିଲେ ବିକାଶର ନୂଆ ମାଇଲ୍ ଖୁଣ୍ଟ ଛୁଇଁବ ଓଡ଼ିଶା। ଆଉ ଭାରତର ବିକାଶରେ ତୁଲାଇବ ବଡ଼ ଭୂମିକା।source:argusnews.in


Related News