
ବାୟୁସେନାର ଜାଗୁଆର୍ ଜେଟ୍ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ମୃତ
ଜୟପୁର: ରାଜସ୍ଥାନର ଚୁରୁ ଜିଲ୍ଲା ଅଧୀନସ୍ଥ ଭାନୁଦା ଗ୍ରାମରେ ଆଜି ବାୟୁସେନାର ଏକ ଜାଗୁଆର୍ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିବା ପରେ ଜଳି ଯାଇଛି। ଏହି ଦୁର୍ଘଟଣାରେ ବାୟୁସେନାର ୨ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଛି। ଗତ ୫ ମାସ ମଧ୍ୟରେ ଏହା ତୃତୀୟ ଜାଗୁଆର୍ ଦୁର୍ଘଟଣା। ପ୍ରାଥମିକ ସୂଚନା ଅନୁଯାୟୀ ବିମାନର ଭଗ୍ନାବଶେଷ ନିକଟସ୍ଥ ଏକ କ୍ଷେତରୁ ମିଳିଥିଲା ଏବଂ ୨ ଜଣ ପାଇଲଟଙ୍କ ମର ଶରୀର ମଧ୍ୟ ସେଠାରୁ ଉଦ୍ଧାର ହୋଇଛି। ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣା ନେଇ ସ୍ପଷ୍ଟୀକରଣ ଦେଇ କହିଛି ଯେ ବାୟୁସେନାର ଏକ ତାଲିମ ଜାଗୁଆର୍ ବିମାନ ରୁଟିନ୍ ଉଡ଼ାଣ ସମୟରେ ରାଜସ୍ଥାନର ଚୁରୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଯୁଦ୍ଧ ବିମାନରେ ଥିବା ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଯାଇଛି। ତେବେ ଘଟଣାରେ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇନାହିଁ କି ସମ୍ପତ୍ତି ନଷ୍ଟ ହୋଇନାହିଁ। ଦୁର୍ଘଟଣାର କାରଣ ଜାଣିବାପାଇଁ ଏକ ‘କୋର୍ଟ ଅଫ୍ ଇନ୍କ୍ବାରି’ ଗଠନ ହୋଇଛି ବୋଲି ବାୟୁସେନା କହିଛି। ମିଳିଥିବା ସୂଚନାନୁଯାୟୀ ବିମାନଟି ପ୍ରଶିକ୍ଷଣ ଉଡ଼ାଣ କରୁଥିବା ବେଳେ ଆଜି ଅପରାହ୍ନ ପ୍ରାୟ ୧.୨୫ ସମୟରେ ଏହା ଏକ ଚାଷ ଜମିରେ ପଡ଼ିଥିଲା। ଗ୍ରାମବାସୀମାନେ ପ୍ରଥମେ ଆକାଶରୁ ପ୍ରଚଣ୍ଡ ଶବ୍ଦ ହେବା ଶୁଣିଥିଲେ। ଏହାପରେ ସେମାନେ ଚାଷ ଜମିରେ ନିଆଁ ଓ ଧୂଆଁ ଆସୁଥିବା ଦେଖିବାପରେ ଘଟଣାସ୍ଥଳକୁ ଯାଇଥିଲେ।
ଜିଲ୍ଲାପାଳ ଅଭିଷେକ ସୁରାନା ଓ ପୁଲିସ ଟିମ୍ ଯାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେନାର ଏକ ଉଦ୍ଧାରକାରୀ ଦଳ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ଉଲ୍ଲେଖଯୋଗ୍ୟ. ଗତ ୫ ମାସ ମଧ୍ୟରେ ଏହା ତୃତୀୟ ଜାଗୁଆର୍ ଦୁର୍ଘଟଣା। ମାର୍ଚ୍ଚ ୭ ତାରିଖରେ ଅମ୍ବାଲାରେ ଏକ ଜାଗୁଆର ଉଡ଼ାଣ କରିବାର କିଛି ସମୟ ମଧ୍ୟରେ ଖସି ପଡ଼ିଥିଲା। ଏହି ବିମାନ ମଧ୍ୟ ରୁଟିନ ଉଡ଼ାଣରେ ଥିଲା। ଏପ୍ରିଲ ୨ ତାରିଖରେ ଅନ୍ୟ ଏକ ଜାଗୁଆର ବିମାନ ଗୁଜରାଟର ଜାମନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।source:sambad.in