
ଲର୍ଡସ୍ରେ ଅଟକିଲା ବାଜ୍ବଲ୍
ଲଣ୍ଡନ: ଲର୍ଡସ ଟେଷ୍ଟ୍ରେ ଇଂଲଣ୍ଡର ‘ବାଜବଲ୍’ ଶୈଳୀରେ ଅଙ୍କୁଶ ଲଗାଇଛନ୍ତି ଭାରତୀୟ ବୋଲର୍। ଘରୋଇ ଦଳ ଏଠାରେ ୱିକେଟ୍ ବଞ୍ଚାଇବା ଉପରେ ଅଧିକ ଧ୍ୟାନ ଦେଇ ମନ୍ଥର (୩.୨ ହାରରେ) ବ୍ୟାଟିଂ କରିଛି। ଦୁଇ ଓପନର୍ ଜ୍ୟାକ୍ କ୍ରଲି ଓ ବେନ୍ ଡକେଟଙ୍କୁ ଭାରତୀୟ ଅଲରାଉଣ୍ଡର୍ ନୀତୀଶ କୁମାର ରେଡ୍ଡୀ ୪୪ ରନ୍ ଭିତରେ ପ୍ୟାଭିଲିୟନ ପଠାଇଦେବା ଏବଂ ଏଜ୍ବାଷ୍ଟନ୍ରେ ନିଜ ଜାଲରେ ନିଜେ ଫସିବା ପରେ ଏଭଳି କରିବାକୁ ଇଂଲଣ୍ଡ ଏକପ୍ରକାର ବାଧ୍ୟ ହୋଇଛି। ତେବେ ପୂର୍ବତନ ଅଧିନାୟକ ଜୋ ରୁଟ୍ ଜମିବାରୁ ଇଂଲଣ୍ଡ ସମ୍ମାନଜନକ ସ୍କୋର୍ (୨୫୧/୪) କରିଛି। ପ୍ରଥମ ଦିନ ଷ୍ଟମ୍ପ୍ସ ବେଳକୁ ରୁଟ୍ ୯୯* ଏବଂ ଅଧିନାୟକ ବେନ୍ ଷ୍ଟୋକ୍ସ ୩୯* ରନ୍ରେ ଖେଳୁଥିଲେ। ଇଂଲଣ୍ଡ ୧୭୨ ରନ୍ରେ ୪ ୱିକେଟ୍ ହରାଇ ଦ୍ବନ୍ଦ୍ବ ଓ ସଂଶୟରେ ଥିଲା ବେଳେ ଏହି ଦୁଇ ତାରକା ଅବିଭାଜିତ ପଞ୍ଚମ ୱିକେଟ୍ରେ ୭୯ ରନ୍ ଯୋଡ଼ି ସ୍ଥିତି ଏକପ୍ରକାର ସୁଧାରି ନେଇଛନ୍ତି। ପୂର୍ବରୁ ଗିଲ୍ ହ୍ୟାଟ୍ରିକ୍ ଟସ୍ ପରାଜୟ ବରଣ କରିଥିବାବେଳେ ଇଂଲଣ୍ଡ ଏଥର ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଏକମାତ୍ର ପରିବର୍ତ୍ତନ କରି ପ୍ରସିଦ୍ଧ କୃଷ୍ଣଙ୍କ ବଦଳରେ ଯଶପ୍ରୀତ୍ ବୁମରାଙ୍କୁ ଖେଳାଇଛି। ବୁମ୍ରା ଏକମାତ୍ର ହ୍ୟାରି ବ୍ରୁକ୍ସଙ୍କ ୱିକେଟ୍ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର୍: ଇଂଲଣ୍ଡ ପ୍ରଥମ ପାଳି ୮୩ ଓଭରରେ ୨୫୧/୪ (ଜୋ ରୁଟ୍ ୯୯*, ବେନ୍ ଷ୍ଟୋକ୍ସ ୩୯*, ଓଲି ପୋପ୍ ୪୪, ନୀତୀଶ କୁମାର ରେଡ୍ଡୀ-୨/୪୬, ରବୀନ୍ଦ୍ର ଜାଡ଼େଜା-୧/୨୬, ଯଶପ୍ରୀତ୍ ବୁମ୍ରା-୧/୩୫)।
ରେଡ୍ଡୀଙ୍କ ରେକର୍ଡ: ଭାରତର ସିମ୍ ବୋଲିଂ ଅଲ୍ରାଉଣ୍ଡର୍ ନୀତୀଶ କୁମାର ରେଡ୍ଡୀ ନିଜ ନାମକୁ ମଧ୍ୟ ରେକର୍ଡ ବହିରେ ସାମିଲ କରିଛନ୍ତି। ଇଂଲଣ୍ଡର ପ୍ରାରମ୍ଭିକ ଯୋଡ଼ି ବେନ୍ ଡକେଟ୍ ଓ ଜ୍ୟାକ୍ କ୍ରଲିଙ୍କୁ ସେ ଆଉଟ୍ କରିଥିଲେ। କୌଣସି ଭାରତୀୟ ପେସ୍ ବୋଲର୍ ଏକ ଟେଷ୍ଟ୍ ମ୍ୟାଚ୍ରେ ନିଜ ପ୍ରଥମ ଓଭରରେ ଦୁଇ ୱିକେଟ୍ ଦଖଲ କରିବା ୨୩ ବର୍ଷ ପରେ ପ୍ରଥମ ହୋଇଥିଲା। ୨୦୦୬ ମସିହାର କରାଚୀ ଟେଷ୍ଟ୍ରେ ପାକିସ୍ତାନ ବିପକ୍ଷରେ ଇର୍ଫାନ୍ ପଠାନ୍ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ।
ପନ୍ତ ଆହତ: ଭାରତୀୟ ୱିକେଟ୍ ରକ୍ଷକ ତଥା ଉପଅଧିନାୟକ ଋଷଭ ପନ୍ତ ଆହତ ହେବା ଦଳ ପାଇଁ ଏକ ବଡ଼ ଝଟ୍କା ହୋଇଛି। ଇଂଲଣ୍ଡ ପାଳିର ୩୪ତମ ଓଭରରେ ବୁମ୍ରାଙ୍କ ଏକ ଲେଗ୍ ସାଇଡ୍ ବଲ୍କୁ ଧରିବାକୁ ଯାଇ ଅଙ୍ଗୁଳିରେ ଆଘାତ ପାଇଛନ୍ତି। ଓଭର ଶେଷ ପରେ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ବଦଳ ଖେଳାଳି ଧ୍ରୁବ ଜୁରେଲ ଗୁରୁବାର ଅବଶିଷ୍ଟ ଓଭରରେ ୱିକେଟ୍ ରକ୍ଷଣ କରିଥିଲେ।source:sambad.in