
Prachi River: ଦିନେ ନୌବାଣିଜ୍ୟର ମୁକସାକ୍ଷୀ, ଏବେ ଖୋଜୁଛି ଅସ୍ଥିତ୍ୱ
ପୂଣ୍ୟତୋୟା ପ୍ରାଚୀ ନଦୀ ବଞ୍ଚିଛି ନା ବିଲୁପ୍ତ । ଦଳ ଭିତରେ ପରିଚୟ ଖୋଜୁଛି ପୂଣ୍ୟତୋୟା ନଦୀ । ଦିନେ ନୌବାଣିଜ୍ୟର ମୂକସାକ୍ଷୀ ଥିଲା.. ଆଜି ଅସ୍ତିତ୍ବ ଖୋଜୁଛି । ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିବା ସହ ଏହାକୁ ପର୍ଯ୍ୟଟନର ମାନ୍ୟତା ଦେବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । କାରଣ ବିଲୁପ୍ତ ହେବାକୁ ବସିଛି ମହାନଦୀରୁ ଉତ୍ପତି ହୋଇଥିବା ପ୍ରାଚୀ ନଦୀ । ଓଡ଼ିଶାର ସର୍ବପୁରାତନ ନଦୀ । ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲୀରେ ପ୍ରବାହିତ ପ୍ରାଚୀ ନଦୀ ଗଙ୍ଗାଠାରୁ ମଧ୍ୟ ଶହେ ବର୍ଷ ପ୍ରାଚୀନ ବୋଲି ପଦ୍ମ ପୁରାଣରେ ବର୍ଣ୍ଣିତ ରହିଛି ।
ସପ୍ତମରୁ ଷୋଡ଼ଶ ଶତାବ୍ଦୀ ଯାଏ ଚିରସ୍ରୋତା ପ୍ରାଚୀ କୂଳରେ ଦ୍ଵାଦଶ ଶମ୍ଭୁ ଓ ଦ୍ବାଦଶ ମାଧବ ଭଳି ଶତାଧିକ ପ୍ରାଚୀନ ଶୈବ ପୀଠ ଓ ମଠ, ଅନେକ ମନ୍ଦିର ଓ ଦେବୀ ପୀଠ ରହିଥିବା କହନ୍ତି ସଂସ୍କୃତି ଗବେଷକ । କାକଟପୁରର ଅଧିଷ୍ଠାତ୍ରୀ ମା' ମଙ୍ଗଳା ଏହି ନଦୀଗର୍ଭରୁ ଆବିର୍ଭୂତ ହୋଇଥିବା କୁହାଯାଏ । ମାତ୍ର ବିଡ଼ମ୍ବନାର ବିଷୟ, ପୂଣ୍ୟତୋୟା ପ୍ରାଚୀ ଆଜି ବିଲୁପ୍ତପ୍ରାୟ । ପ୍ରାଚୀ ନଦୀର ଗର୍ଭ... ଏବେ ଦଳରେ ଭର୍ତ୍ତି । ଅନେକ ସ୍ଥାନରେ ନଦୀଗର୍ଭ ଶୁଖିଲା ପଡ଼ିଛି । ଯେତିକି ବଞ୍ଚି ରହିଛି, ସେତିକି ବି ନିଜ ପରିଚୟ ଖୋଜୁଛି । ନଦୀ ସଫେଇ ଓ ଖନନ କାର୍ଯ୍ୟ ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇଆସୁଥିଲେ ବି ଏଯାଏଁ ତାହା ପୂରଣ ହୋଇନାହିଁ ।
ଦିନ ଥିଲା ଏହି ନଦୀ ଉପରେ ନିର୍ଭର କରୁଥିଲା ବାଣିଜ୍ୟ ଓ ପରିବହନ। କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ପଥର ମଧ୍ୟ ବି ନଦୀରେ ପରିବହନ ହେଉଥିଲା । ପୁରୀ ଶ୍ରୀମନ୍ଦିରର ରୋଷଶାଳଠାରୁ ଆରମ୍ଭ କରି ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ସବୁଠାରେ ଏହି ପ୍ରାଚୀ ଉପତ୍ୟକାର କାଠ ବ୍ୟବହାର ହେଉଥିଲା । ଏହା ଥିଲା ଚିରସ୍ରୋତା । ନିର୍ଭର କରୁଥିଲେ ଚାଷୀ । କିନ୍ତୁ ସେ ଅବସ୍ଥା ଆଉ ନାହିଁ। ଏକଦା ବିଶାଳ ନଦୀ ଆଜି ନାଳ ଭଳି ଦିଶୁଛି । ଅଳିଆ ଆବର୍ଜନାରେ ଭର୍ତ୍ତି । ଜବରଦଖଲକାରୀଙ୍କ କବଜାରେ ନଦୀ ଉପତ୍ୟକା । ବହୁ ସ୍ଥାନରେ ନଦୀକୁ ପୋତି ଲୋକେ ଯାଆସ କରୁଛନ୍ତି।
ବର୍ଷା ଦିନ ଛାଡ଼ିଦେଲେ ୯ ମାସ ଶୁଖିଲା ପଡ଼େ ନଦୀ । ଏବେ ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିବା ସହ ପ୍ରାଚୀ ଉପତ୍ୟକାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ପ୍ରାଚୀ ଉପତ୍ୟକାର ମୂର୍ତ୍ତି ଓ କଳାକୁ ନେଇ ଦୀର୍ଘ ଅନୁସନ୍ଧାନ କରିଥିବା ଗବେଷକ ଅନୀଲ ଧୀରଙ୍କ ରିପୋର୍ଟକୁ ନେଇ ପ୍ରସ୍ତୁତ ହୋଇଛି ଡକ୍ୟୁମେଣ୍ଟାରୀ ଫିଲ୍ମ "ପ୍ରାଚୀ ଭ୍ୟାଲି; ଦି ଫର୍ଗଟନ୍ ଲିଗାସି । ଫିଲ୍ମ ମାଧ୍ୟମରେ ଉପତ୍ୟକାର ସୌନ୍ଦର୍ଯ୍ୟ, ଧାର୍ମିକ ଭାବନାର ବର୍ଣ୍ଣନ ହେବା ସହ ଏହାର ସୁରକ୍ଷା ପାଇଁ ବାର୍ତ୍ତା ଦିଆଯାଇଛି।
ନଦୀର ପୁନରୁଦ୍ଧାର ଓ ଜବରଦଖଲ ଉଚ୍ଛେଦ ପାଇଁ ବହୁ ଦାବି ସତ୍ବେ ଏଥିପ୍ରତି ଧ୍ୟାନ ଦେଇନଥିଲେ ୨୪ ବର୍ଷର ବିଜେଡି ସରକାର । ତେବେ ନିଆଳିର ନୂଆ ବିଧାୟକ ଛବି ମଲ୍ଲିକ ଏହାର ପୁନରୁଦ୍ଧାର ପାଇଁ ବିଧାନସଭାରେ ପ୍ରଶ୍ନ କରିଛନ୍ତି। ନୂଆ ସରକାର ବି ପ୍ରାଚୀ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛନ୍ତି । ଗତ ସପ୍ତାହରେ ରାଜ୍ୟ ସରକାର ପ୍ରାଚୀ ନଦୀ ଉପରେ ନିଆଳି କୁଆଁଇଲୋ ଠାରେ ଏକ ପୋଲ ନିର୍ମାଣ ପାଇଁ ଅନୁମୋଦନ ଦେଇଛନ୍ତି।source:argusnews.in