Ranji trophy: ଫଲୋଅନ୍ ପରେ ଲଢ଼ିଲା ଓଡ଼ିଶା: ଗୋଟିଏ ଦିନରେ ସନ୍ଦୀପଙ୍କ ଦୁଇଟି ଅର୍ଦ୍ଧଶତକ

ଖେଳ

ଭୁବନେଶ୍ବର: ବାରବାଟୀରେ ଓଡ଼ିଶା ରଣଜୀ ଦଳ ଫଲୋଅନ୍ ଡାକରା ପରେ ଲଢ଼ୁଆ ବ୍ୟାଟିଂ କରିଛି। କିନ୍ତୁ ପରାଜୟର ବିପଦ ସମ୍ପୂର୍ଣ୍ଣ ରୂପେ ଟଳିନାହିଁ। ଭ୍ରମଣକାରୀ ଆନ୍ଧ୍ରପ୍ରଦେଶର ପ୍ରଥମ ପାଳି ୪୭୫/୭ ଜବାବରେ ଓଡ଼ିଶା ମାତ୍ର ୧୫୧ ରନ୍ କରି ସମସ୍ତ ୱିକେଟ୍ ହରାଇବାରୁ ଫଲୋଅନ୍ ଡାକରା ପାଇଛି। କିନ୍ତୁ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ୱିକେଟ୍‌ରେ ୧୯୦ ରନ୍ ସଂଗ୍ରହ କରି ନେଇଥିବାରୁ ପରାଜୟ ଏଡ଼ାଇବା ସମ୍ଭାବନା ସୃଷ୍ଟି ହୋଇଛି। ଶୁଭ୍ରାଂଶୁ ସେନାପତିଙ୍କ ଦଳ ଏବେ ବି ୧୩୪ ରନ୍ ପଛରେ ରହିଛି। ମଙ୍ଗଳବାର ଶେଷ ଦିନ ହୋଇଥିବାରୁ ଓଡ଼ିଶା ବ୍ୟାଟର୍‌ଙ୍କୁ ବିପଦମୁକ୍ତ ହେବାକୁ ଅଧିକ ସଂଯମତା ଦେଖାଇବାକୁ ପଡ଼ିବ।

 

ଓଡ଼ିଶା ମଙ୍ଗଳବାର ସକାଳେ ସଂଘର୍ଷପୂର୍ଣ୍ଣ ସ୍ଥିତି ୮୦/୪ରୁ ଖେଳିବା ପରେ ଆନ୍ଧ୍ରପ୍ରଦେଶ ବୋଲରମାନେ ନିୟମିତ ବ୍ୟବଧାନରେ ୱିକେଟ୍ ବାହାର କରି ଘରୋଇ ଦଳକୁ ୧୫୧ ରନ୍‌ରେ ଶେଷ କରି ଦେଇଥିଲେ। ‌କେବଳ ପୂର୍ବତନ ଅଧିନାୟକ ସନ୍ଦୀପ ପଟ୍ଟନାୟକ ଲଢ଼ି ନିଜ ଅର୍ଦ୍ଧଶତକ (୧୩୧ ବଲ୍‌ରୁ ୫୮ ରନ୍, ୧୦ ଚୌକା) ପୂର୍ଣ୍ଣ କରିଥିଲେ। ଅନ୍ୟ କୌଣସି ବ୍ୟାଟର୍‌ ଭାଗୀଦାର ଦେବାରେ ବିଫଳ ହୋଇଥିଲେ। ଶେଷ ୪ ୱିକେଟ୍‌ ମାତ୍ର ୧୧ ରନ୍‌ରେ ଝଡ଼ିପଡ଼ିଥିଲା। ସନ୍ଦୀପ ଆଉଟ୍ ହେବା ପରେ ଓଡ଼ିଶା ୧୫୧ ରନ୍‌ ସ୍କୋର୍‌ରେ ହିଁ ଶେଷ ୩ ୱିକେଟ୍ ହରାଇ ଦେଇଥିଲା। ଆନ୍ଧ୍ରପ୍ରଦେଶ ପକ୍ଷରୁ ଦ୍ରୁତ ବୋଲର କାବୁରି ସାଇତେଜା ଏବଂ ଦୁଇ ସ୍ପିନର୍‌‌ ସୌରଭ କୁମାର ଓ ତ୍ରିପୂରଣ ବିଜୟ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ପ୍ରଥମ ପାଳିରେ ୩୨୪ ରନ୍‌ ପଛରେ ପଡ଼ିଥିବା ଓଡ଼ିଶା ତୁରନ୍ତ ଫଲୋଅନ୍ ଡାକରା ବି ପାଇଥିଲା। କିନ୍ତୁ ଏଥର ପ୍ରାରମ୍ଭିକ ଯୋଡ଼ି ଗୌରବ ଚୌଧୁରୀ ଓ ସ୍ବସ୍ତିକ ସାମଲ ୬୬ ରନ୍‌ର ଭାଗୀଦାର ଗଢ଼ିବା ପରେ ଅଲଗା ହୋଇଥିଲେ।source:sambad.in


Related News