ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣର ଶୁଭ ଅବସର

ରାଜ୍ୟ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣର ଶୁଭ ଅବସର । ଭୋରରୁ ସମୁଦ୍ର କୂଳ, ନଦୀ ଘାଟ ଓ ପୁଷ୍କରଣୀରେ ବୁଡ଼ ପକାଇ କଦଳୀ ପାଟୁକା ଡଙ୍ଗାରେ ଦୀପ ଓ ପାନ ଗୁଆ ଥୋଇ ଭସାଇ ସାଧବ ପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣ କରୁଛନ୍ତି ରାଜ୍ୟବାସୀ । ସମସ୍ତେ ଗୁଣୁଗୁଣୋଉଛନ୍ତି ଲୋକଗୀତ ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସିକ ଧରମ ମୋର ।

ଡଙ୍ଗା ଭସାଇବା ପାଇଁ ପୋଖରୀ, ନଦୀ ଆଦି ବିଭିନ୍ନ ଜଳାଶୟରେ ଭିଡ ଜମିଛି । ସୋଲ, କଦଳୀ ପଟୁଆ ଓ ରଙ୍ଗବେରଙ୍ଗ କାଗଜରେ ତିଆରି ଡଙ୍ଗା ଭସାଉଛନ୍ତି । ଡଙ୍ଗାରେ ଦୀପ, ପାନ, ଗୁଆ ରଖି ଫୁଲରେ ସଜାଇ ଭସାଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଜଳାଶୟ କୂଳରେ ପୋଲିସ ମୁତୟନ କରାଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମା ଦିନ କାର୍ତ୍ତିକ ବ୍ରତର ଉଦ୍‌ଯାପନ କରାଯାଇଥାଏ । ଏହି ପୂର୍ଣ୍ଣିମାର ଅନ୍ୟନାମ ରାସ ପୂର୍ଣ୍ଣିମା। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଉତ୍କଳର ଗୌରବମୟ ନୌବାଣିଜ୍ୟ ଇତିହାସ ସହିତ ମଧ୍ୟ ଏହା ନିବିଡ଼ ଭାବେ ସମ୍ପୃକ୍ତ । ଏହିଦିନ ବିଭିନ୍ନ ସ୍ଥାନରେ ରାସ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଆଜିର ଦିନରେ ଦାନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଅଛି ।

କାର୍ତ୍ତିକ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ, ଏହା ସହନଶୀଳତା , ବାଣିଜ୍ୟ ଏବଂ ଭକ୍ତି ପ୍ରତି ଜୀବନ୍ତ ଶ୍ରଦ୍ଧାଞ୍ଜଳି। ସାଧବପୁଅଙ୍କୁ ମନେପକାଇ ଆଜି ବୋଇତ ବନ୍ଦାଣ କରାଯାଏ । ପୂର୍ବକାଳରେ ଆମ ଓଡ଼ିଆ ସାଧବ ପୁଅମାନେ କାର୍ତ୍ତିକ ମାସରେ ବେପାର ବଣିଜ କରିବାକୁ ବୋଇତରେ ବିଦେଶ ଯାଉଥିଲେ । କାରଣ ଏହି ସମୟକୁ ସେମାନେ ସମୁଦ୍ରରେ ବୋଇତ ନେଇଯିବାକୁ ପ୍ରକୃଷ୍ଟ ସମୟ ଭାବୁଥିଲେ, ଏହି ସମୟର ପବନର ଗତି ସେମାନଙ୍କ ଯାତ୍ରା ପାଇଁ ଅନୁକୂଳ ଥିଲା । ପୁଣି ଆଷାଢ଼ ମାସରେ ଫେରୁଥିଲେ। ସେଇ ସାଧବପୁଅଙ୍କ ଦୁଃସାହସିକ ବୋଇତ ଯାତ୍ରାକୁ ସ୍ମରଣ କରିବା ଉଦ୍ଦେଶ୍ୟରେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପରମ୍ପରା ରହିଆସିଛି । ବହୁ ସ୍ଥାନରେ ଏହି ଦିନ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୁଏ । ଡଙ୍ଗା ଭସାଇ ଲୋକେ ମନ୍ଦିର ଯାଇ ଦେବଦେବୀଙ୍କୁ ଦର୍ଶନ କରିଥାନ୍ତି ।

ପୁରାଣ ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୋପୀମାନଙ୍କ ମେଳରେ ରାଧାକୃଷ୍ଣଙ୍କର ନୃତ୍ୟୋତ୍ସବ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ରାସେଶ୍ବରୀ ଶ୍ରୀରାଧାଙ୍କ ସହ ବୃନ୍ଦାବନର କୁଞ୍ଜକାନନରେ ଏହି ଦିନ ରାସ ରଚନା କରିଥିଲେ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। କାର୍ତ୍ତିକ ପୂର୍ଣ୍ଣିମାଠାରୁ କଟକରେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୁଏ ।

ସେପଟେ ଧର୍ମ ମାସ କାର୍ତ୍ତିକର ଶେଷ ଦିନରେ ପୁରୀ ବେଳାଭୂମି, କଟକର ଗଡ଼ଗଡ଼ିଆ ଘାଟ ଓ ଭୁବନେଶ୍ବର ବିନ୍ଦୁସାଗର ସମେତ ସାରା ରାଜ୍ୟରେ ନଦୀ ଘାଟରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି । ରାଜରାଜେଶ୍ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଦୁର୍ଲଭ ସୁନା ବେଶ ଦର୍ଶନ କରି କୃତାର୍ଥ ହେବେ ଭକ୍ତ । ଆଜି ପଞ୍ଚକ ବ୍ରତଧାରୀ ହବିଷ୍ୟାଳିଙ୍କ ବ୍ରତ ଉଦ୍‌ଯାପନ ହେଉଛି । ସବୁ ମନ୍ଦିରରେ ଦର୍ଶନ ପାଇଁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।source:argusnews.in


Related News