ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଶ୍ରୀମନ୍ଦିର ରତ୍ନସିଂହାସନରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶରେ ସଜିତ କରାଯାଇଥାଏ । ଆଜି ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜାଇବେ ।
ଏହି ବେଶରେ ଠାକୁରମାନେ ଶ୍ରୀଭୁଜ, କିରୀଟ ସେବତୀମାଳି ଆଦି ରତ୍ନ ଅଳଙ୍କାର ଧାରଣ କରିଥାନ୍ତି । ତେବେ ଆଜି ପ୍ରଥମ ଭୋଗମଣ୍ଡପ ପରେ ଭକ୍ତମାନେ ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିବେ ।
ମହାପ୍ରଭୁ ପ୍ରତିବର୍ଷ ୫ ଥର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିବା ସୁନାବେଶ ହେଉଛି ଐଶ୍ଚର୍ଯ୍ୟର ବେଶ । ଅତୀତରେ ଓଡ଼ିଆ ସାଧବ ପୁଅମାନେ ମହାପ୍ରଭୁଙ୍କୁ ସ୍ମରଣ କରି ବିଦେଶକୁ ବୋଇତ ମାଧ୍ୟମରେ ଯାଇ ବାଣିଜ୍ୟ କରି ବିପୁଳ ଧନ ରତ୍ନ ଆଣି ମହାପ୍ରଭୁଙ୍କୁ ସମର୍ପିତ କରୁଥିଲେ । ଏହାର ନିଦର୍ଶନ ସ୍ଵରୂପ ମହାପ୍ରଭୁ ମହଣ ମହଣ ସୁନାରେ ବିଭୂଷିତ ହୋଇ ଭକ୍ତଙ୍କୁ ସୁନାବେଶ ତଥା ରାଜାଧିରାଜ ବେଶରେ ଦର୍ଶନ ଦେଇଥାନ୍ତି ।
ଆଜି କେବଳ ସିଂହଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଥିବା ବେଳେ, ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି । ସେପଟେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ବଗଲାଧର୍ମଶାଳା ନଗକଟରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ , ୩୦ ଜଣ ମାଜିଷ୍ଟ୍ରେଟ ଓ ସ୍ବେଚ୍ଛାସେବୀ ମୁତୟନ ହୋଇଛନ୍ତି ତା' ସହ ଆହୁରି ମଧ୍ୟ ୫ ଜଣ ଅତିରିକ୍ତ ଏସପି, ୧୬ ଡିଏସପି, ୩୫ ଇନ୍ସପେକ୍ଟର, ୧୩୮ ସବ ଇନସ୍ପେକ୍ଟର କିମ୍ବା ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର, ୨୪ ହାବିଲଦାର, ୧୪୭ କନଷ୍ଟେବଳ, ୩୩୪ ହୋମ ଗାର୍ଡ ଓ ୯୬ ସେକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି । ବଡ଼ଦାଣ୍ଡ ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ କରାଯାଇଛି ।source:argusnews.in


