ସରିଲା ଐତିହାସିକ କଟକ ବାଲିଯାତ୍ରା: ପ୍ରାୟ ୪୦୦ କୋଟିର ବେପାର ହୋଇଥିବା ଅନୁମାନ

ରାଜ୍ୟ

ସରିଲା ଐତିହାସିକ କଟକ ବାଲିଯାତ୍ରା । ୯ ଦିନ ଧରି ଚାଲିଥିବା ବାଲିଯାତ୍ରା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି । ୯ ଦିନର ଏହି ମେଳାରେ ଚଳିତବର୍ଷ ପ୍ରାୟ ୭୦ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ଆକଳନ କରାଯାଉଛି । ଅଢ଼େଇ ହଜାର ପଞ୍ଜିକୃତ ଷ୍ଟଲ୍‌, ହଜାରରୁ ଅଧିକ ଉଠା ଦୋକାନୀଙ୍କ କାରବାର ଓ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଗହଳିଚହଳି ଭିତରେ ଜମିଥିଲା ୯ ଦିନର ଯାତ୍ରା । ଏଥର କଟକ ବାଲିଯାତ୍ରାରେ ପ୍ରାୟ ୪୦୦ କୋଟିର ବେପାର ହୋଇଥିବା ଅନୁମାନ କରାଯାଉଛି ।

ବାଲିଯାତ୍ରା ଶେଷ ସୁଦ୍ଧା ପଲ୍ଲିଶ୍ରୀ ମେଳାରେ ୫୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି । ଅନେକଗୁଡିଏ ନୂଆ କାର୍ଯ୍ୟକ୍ରମ ଏଥର ବାଲିଯାତ୍ରାକୁ ଅହୁରି ସୁନ୍ଦର କରିଥିଲା । ବଲିଉଡ୍‌ ନାଇଟ୍‌ ଥିଲା ମୁଖ୍ୟ ଆକର୍ଷଣ । ଲୋକପ୍ରିୟ ବଲିଉଡ୍‌ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ୍‌, ହର୍ଷଦୀପ କୌରଙ୍କ କାର୍ଯ୍ୟକ୍ରମରେ ୩୦ ଲକ୍ଷରୁ ଅଧିକ ଜନସମାଗମ ହୋଇଥିବା ଆକଳନ କରାଯାଇଛି । ସୂଚନାନୁଯାୟୀ ଲୋକପ୍ରିୟ ବଲିଉଡ୍‌ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ୍‌ଙ୍କୁ ଦେଖିବା ପାଇଁ ପ୍ରାୟ ୧୨ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା ।

ସେହିପରି ଶନିବାର ଓ ରବିବାର ବାଲିଯାତ୍ରାର ସବୁଠୁ ଅଧିକ ଭିଡ଼ ରେକର୍ଡ ହୋଇଥିବା ପ୍ରଶାସନ ତରଫରୁ କୁହାଯାଇଛି । ଲେଜର୍‌ ଲାଇଟ୍‌ ସୋ’, ବୋଇତ ପ୍ରତିଯୋଗିତା ସାଙ୍ଗକୁ ଆକର୍ଷଣ ସୃଷ୍ଟି କରିଥିଲା ‘କଟକ ଇନ୍‌ କଟକ’ । ‘ଓଡ଼ିଆ ଅସ୍ମିତା ଆମ ଭାଷା, ଆମ ସାହିତ୍ୟ’ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା । ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଲୋକଙ୍କୁ ଆକର୍ଷିତ କରିଥିଲା ।

ବୋଇତ ପ୍ରତିଯୋଗିତାକୁ ମନଭରି ଉପଭୋଗ କରିଥିଲେ ଦର୍ଶକ । ଜାତୀୟ ପଲ୍ଲୀଶ୍ରୀ ମେଳା ଭିତର ଫୁଡ୍‌ ଷ୍ଟଲ୍‌ ସର୍ବାଧିକ ଖାଦ୍ୟ ବେପାର କରିଥିବା ବେଳେ ଦହିବରା ହାଟ ବି ପଛରେ ପଡିନାହିଁ । ବାଲିଯାତ୍ରାକୁ ବେଶ୍‌ ନିଆରା ଢଙ୍ଗରେ ଆୟୋଜନ କରିବାକୁ ୬ ମାସ ଧରି ପ୍ରସ୍ତୁତି ଜାରି ରଖିଥିଲା କଟକ ଜିଲ୍ଲା ପ୍ରଶାସନ । ପ୍ଲଟ୍‌ ବିକ୍ରି ବ୍ୟବସ୍ଥା ଶୃଙ୍ଖଳିତ କରିବା ସହ ତଳ ପଡିଆର ୬୦ଏକର ଜମିରେ ବାଲିଯାତ୍ରା ଆୟୋଜନ କରାଯାଇଥିଲା । ପ୍ରତିଦିନ ହାରାହାରି ୫ରୁ ୬ ଲକ୍ଷ ଲୋକ ବାଲିଯାତ୍ରା ବୁଲିଥିଲେ । ଶନିବାର ଓ ରବିବାର ଭିଡ଼ ଦୁଇଗୁଣା ବଢିଯାଇଥିଲା । ରବିବାର ତ ଦର୍ଶକ ସଂଖ୍ୟା ୧୫ ଲକ୍ଷ ଟପିଥିବା ଆକଳନ କରାଯାଇଥିଲା । ଜାତୀୟ ପଲ୍ଲୀଶ୍ରୀ ମେଳା ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ।

ଗତକାଲି ଶେଷ ସଂଧ୍ୟାରେ ସ୍ଥିତି ଏମିତି ହୋଇଥିଲା ଯେ, ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ ହେବାକୁ ପଡିଥିଲା । ଉଭୟ ପଡ଼ିଆର ପାଖାପାଖି ୮ କି.ମି ଦୂରରୁ ସମସ୍ତ ଯାନବାହାନ ଚଳାଚଳ ବନ୍ଦ କରିବାକୁ ପଡିଥିଲା । ଐତିହାସିକ ବାଲିଯାତ୍ରା ଗଲା ଶୁକ୍ରବାର ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଶୁକ୍ରବାର ଶେଷ ହେବାର ଯୋଜନା ଥିଲା । କିନ୍ତୁ ପରେ ବାଲିଯାତ୍ରାକୁ ଗୋଟିଏ ଦିନ ବୃଦ୍ଧି କରାଯାଇଥିଲା । ଶନିବାର ବାଲିଯାତ୍ରାର ଅନ୍ତିମ ଦିବସ ସହିତ ପ୍ରଥମାଷ୍ଟମୀ ପାଇଁ ସରକାରୀ ଛୁଟି ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଉଦଯାପନୀ କାର୍ଯ୍ୟକ୍ରମରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।source:argusnews.in


Related News