ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ନିକଟରେ ଖଣି ଖନନ ମନା
ନୂଆଦିଲ୍ଲୀ,୧୪ା୧୧: ସରଣ୍ଡା ଜଙ୍ଗଲର ୧୨୬ଟି ଅଞ୍ଚଳକୁ ୩ ମାସ ମଧ୍ୟରେ ବନ୍ୟପ୍ରାଣୀ ଅଭୟାରଣ୍ୟ ଘୋଷଣା କରିବାକୁ ସର୍ବୋଚ୍ଚ ଅଦାଲତ ଝାଡ଼ଖଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଉକ୍ତ ଅଞ୍ଚଳ ସୀମାର ୧ କିଲୋମିଟର ପରିଧି ମଧ୍ୟରେ କୌଣସି ପ୍ରକାର ଖଣି ଖନନ କାର୍ଯ୍ୟ ନିଷିଦ୍ଧ କରିବାକୁ ଅଦାଲତ କହିଛନ୍ତି। ସଂରକ୍ଷିତ ଅଞ୍ଚଳର ୧ କିଲୋମିଟର ମଧ୍ୟରେ ଖଣି ଖନନ କାର୍ଯ୍ୟ ବନ୍ୟପ୍ରାଣୀଙ୍କ ପ୍ରତି ବିପଜ୍ଜନକ ବୋଲି ସର୍ବୋଚ୍ଚ ଅଦାଲତଙ୍କ ସୁସଂଗତ ଦୃଷ୍ଟିକୋଣ ରହିଆସିଛି। ଯଦିଓ ଗୋଆ ଫାଉଣ୍ଡେଶନ ମାମଲାରେ ଗୋଆ ସରକାରଙ୍କୁ ଏଭଳି ନିର୍ଦ୍ଦେଶ ଜାରି ହୋଇଥିଲା, ସାରା ଭାରତ ପାଇଁ ଏଭଳି ନିର୍ଦ୍ଦେଶ ଜାରି ହେବାର ଆବଶ୍ୟକତା ରହିଥିବା ଖଣ୍ଡପୀଠ କହିଛନ୍ତି। ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ସେଗୁଡ଼ିକର ସୀମାଠାରୁ ୧ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ଖଣି ଖନନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଅଞ୍ଚଳକୁ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବେ ବିଜ୍ଞପିତ କରିବା ପାଇଁ ଶୀର୍ଷ ଅଦାଲତ ଝାଡ଼ଖଣ୍ଡ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଉକ୍ତ ଅଞ୍ଚଳର ଆଦିବାସୀ ଓ ବନବାସୀମାନଙ୍କ ଅଧିକାରର ସୁରକ୍ଷା ହେବା ଆବଶ୍ୟକ। ସେଥିପାଇଁ ରାଜ୍ୟ ସରକାର ଉକ୍ତ ବିଜ୍ଞପ୍ତିର ବ୍ୟାପକ ପ୍ରସାରଣ କରିବାକୁ ଖଣ୍ଡପୀଠ କହିଛନ୍ତି। ପରିବେଶ ସମୃଦ୍ଧ ସରଣ୍ଡା ଅଞ୍ଚଳକୁ ସଂରକ୍ଷିତ ଜଙ୍ଗଲ ଘୋଷଣା କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ଝାଡ଼ଖଣ୍ଡ ସରକାରଙ୍କୁ କହିଥିଲେ। ପଶ୍ଚିମ ସିଂହଭୂମ ଜିଲା ଅନ୍ତର୍ଗତ ସରଣ୍ଡା ଏବଂ ସାସଙ୍ଗଡାବୁରୁ ଜଙ୍ଗଲ ଅଞ୍ଚଳକୁ ଯଥାକ୍ରମେ ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ସଂରକ୍ଷିତ ରିଜର୍ଭ ଭାବେ ବିଜ୍ଞପିତ କରିବା ପାଇଁ ଦୀର୍ଘଦିନର ପ୍ରସ୍ତାବ ସହ ଏହା ଜଡ଼ିତ। ମୂଳ ପ୍ରସ୍ତାବ ୩୧,୪୬୮.୨୫ ହେକ୍ଟର ପରିବର୍ତ୍ତେ ୫୭,୫୧୯.୪୧ ହେକ୍ଟର ଅଞ୍ଚଳକୁ ଅଭୟାରଣ୍ୟ ଭାବେ ବିଜ୍ଞପିତ କରିବା ପାଇଁ ପ୍ରସ୍ତାବ ରହିଥିବା ଝାଡ଼ଖଣ୍ଡ ସରକାର ପୂର୍ବରୁ ସତ୍ୟପାଠ ଜରିଆରେ ଜଣାଇଥିଲେ।source:dharitri.com


