ଭାଜପାର ଐତିହାସିକ ବିଜୟକୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର: କହିଲେ…

ବିଶେଷ

ବିହାରର ଜନତା ପୁଣିଥରେ ପ୍ରମାଣିତ କରିଛନ୍ତି, ବିକାଶ, ସୁଶାସନ ଏବଂ ସ୍ଥାୟୀ ସରକାର ହିଁ ସେମାନଙ୍କର ପ୍ରାଥମିକତା। ଏନଡିଏକୁ ମିଳିଥିବା ଏହି ପ୍ରଚଣ୍ଡ ଜନାଦେଶ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ ନୀତିଗୁଡ଼ିକ ଉପରେ ସାଧାରଣ ଜନତାଙ୍କ ବଡ଼ ମୋହର ବୋଲି ବିହାରର ଭାଜପା ପ୍ରଭାରୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିହାର ଫଳାଫଳ ବାହାରିବା ପରେ ଧର୍ମେନ୍ଦ୍ର ଆହୁରି କହିଛନ୍ତି, ବିହାରର ଜନତା ଜଙ୍ଗଲରାଜ, ଜାତିବାଦ, ପରିବାରବାଦ ଏବଂ ନକାରାତ୍ମକ ରାଜନୀତିକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ବିହାରବାସୀ ନିରନ୍ତର ପ୍ରଗତି ଏବଂ ‘ବିକଶିତ ବିହାର’ର ମାର୍ଗକୁ ବାଛିଥିବା ଏହି ବିଜୟ ଦର୍ଶାଉଛି। ବିହାରର ଏହି ଐତିହାସିକ ବିଜୟ ଏନଡ଼ିଏର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ, ସମର୍ପଣ ଏବଂ ଜନତାଙ୍କ ପ୍ରତି ନିଷ୍ଠାର ପ୍ରତିଫଳନ। ଜନସାଧାରଣଙ୍କର ବିଶ୍ୱାସ ହିଁ ସେମାନଙ୍କ ଦଳର ଶକ୍ତି। ଏହି ଜନାଦେଶ ଆମର ସଂକଳ୍ପକୁ ଆହୁରି ମଜଭୂତ କରିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ଐତିହାସିକ ବିଜୟ ପାଇଁ ସ୍ଥାନୀୟ ଜନସାଧାରଣ ଓ ଭାଜପାର ଶୀର୍ଷ ନେତୃତ୍ୱ ତଥା କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅଭୂତପୂର୍ବ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ମୋଦି, ନୀତୀଶ କୁମାର, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ବିହାର ପ୍ରଦେଶ ନେତୃତ୍ୱ ସହିତ ଏନଡିଏର ସମସ୍ତ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ବିହାର ନିର୍ବାଚନ ପୂର୍ବରୁ ଭାଜପାର ପ୍ରଭାରୀ ନିଯୁକ୍ତ ହୋଇଥିଲେ। ଏହାପରେ ସେ ବିହାର ନିର୍ବାଚନର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱରେ ରହିଥିଲେ।
source:dharitri.com


Related News