Trump threatens Khamenei: ଶାସନ ପରିବର୍ତ୍ତନ ଇରାନ ପାଇଁ ସର୍ବୋତ୍ତମ ପଦକ୍ଷେପ ହେବ; ପୁଣି ଖେମିନିଙ୍କୁ ଧମକ ଦେଲେ ଟ୍ରମ୍ପ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନରେ ଶାସନ ପରିବର୍ତ୍ତନ ସର୍ବୋତ୍ତମ ପଦକ୍ଷେପ ହେବ। ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ପ୍ରଶାସନ ତେହେରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ବିକଳ୍ପ ଉପରେ ଗମ୍ଭୀରତାର ସହିତ ବିଚାର କରୁଛି।
ଉତ୍ତର କାରୋଲିନାର ଫୋର୍ଟ ବ୍ରାଗରେ ସୈନ୍ୟମାନଙ୍କୁ ସାକ୍ଷାତ କରିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ କହିଛନ୍ତି, ଇସଲାମିକ ଧର୍ମତାନ୍ତ୍ରିକ ଶାସନକୁ ହଟାଇବାର ଧାରଣା ଅତ୍ୟନ୍ତ ସକାରାତ୍ମକ ହେବ। ୪୭ ବର୍ଷ ଧରି, ଇରାନ ସହ ସମ୍ପର୍କ କେବଳ କଥାବାର୍ତ୍ତାରେ ସୀମିତ ରହିଛି। ଏପରି ମନେ ହେଉଛି ଶାସନ ପରିବର୍ତ୍ତନ ହେଉଛି ସର୍ବୋତ୍ତମ ପଦକ୍ଷେପ, ଯାହା ଆଗକୁ ହୋଇପାରେ। ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ସର୍ବୋଚ୍ଚ ଶାସକ ଆୟୋତୋତଲ୍ଳା ଅଲ୍ଲୀ ଖେମିନିଙ୍କୂ ଏକ ଧମକ ଭାବେ ଦେଖାଯାଉଛି।
ଟ୍ରମ୍ପ କହିଛନ୍ତି, ଆମେରିକା ମଧ୍ୟପ୍ରାଚ୍ୟରେ ଦ୍ୱିତୀୟ ବିମାନ ବାହକ ଦଳ ମୁତୟନ କରାଯିବାକୁ ଚିନ୍ତା କରୁଛି। ବିଶ୍ୱର ସର୍ବବୃହତ ବିମାନ ବାହକ ୟୁଏସ୍ଏସ୍ ଜେରାଲ୍ଡ ଆର. ଫୋର୍ଡ କାରିବିଆନରୁ ବାହାରି ମଧ୍ୟପ୍ରାଚ୍ୟକୁ ଯିବ, ଯେଉଁଠାରେ ଏହା ପୂର୍ବରୁ ଉପସ୍ଥିତ ଥିବା ଆମେରିକୀୟ ଯୁଦ୍ଧଜାହାଜ ଓ ସାମରିକ ଦଳ ସହିତ ଯୋଗଦେବ। ଯଦି ଆମେ ଏକ ଚୁକ୍ତି କରିପାରିବା ନାହିଁ, ତେବେ ଆମକୁ ଏଭଳି ଆବଶ୍ୟକତା ପଡ଼ିବ। ଦ୍ୱିତୀୟ ବିମାନ ବାହକ ଖୁବ୍ ଶୀଘ୍ର ଗନ୍ତବ୍ୟ ପଥରେ ଯାତ୍ରା ଆରମ୍ଭ କରିବ।source:sambad.in


