O'Romeo: ବିଶାଲଙ୍କ ପ୍ରଶଂସକଙ୍କୁ ନିରାଶ କରିବ ଓ’ରୋମିଓ

ଅନ୍ୟାନ୍ୟ

“ଓ’ରୋମିଓ’’ ଚଳଚ୍ଚିତ୍ରର ଟ୍ରେଲର୍‌ ଦେଖିବା ପରେ ମନରେ ଗୋଟିଏ ସଂଶୟ ସୃଷ୍ଟି ହୋଇଥିଲା- ନିର୍ଦେଶକ ବିଶାଲ ଭରଦ୍ବାଜ କ’ଣ ବ୍ୟାବସାୟିକ ସଫଳତାର ଚାପ ସମ୍ମୁଖରେ ତାଙ୍କର କଳାତ୍ମକତାକୁ ଜଳାଞ୍ଜଳି ଦେଇ ଦେଇଛନ୍ତି? ଚଳଚ୍ଚିତ୍ରଟି ଦେଖିବା ପରେ ଏହାର ଉତ୍ତର ଆଂଶିକ ହଁ ବୋଲି ମନେ ହେଉଛି। ଅପରାଧ ତାଙ୍କର ପ୍ରାୟ ସବୁ ସିନେମାର କେନ୍ଦ୍ରରେ ଥିଲେ ହେଁ ସେଗୁଡ଼ିକରେ ମୁଖ୍ୟସ୍ରୋତ ସିନେମାର ଉପାଦାନ ନ ଥାଏ। ପରଦାରେ ଜଟିଳ ପରିସ୍ଥିତି ଓ ଚରିତ୍ର ମାନଙ୍କର କାବ୍ୟିକ ଚିତ୍ରଣ ପାଇଁ ବିଶାଲଙ୍କର ସ୍ବତନ୍ତ୍ର ପରିଚୟ ରହିଛି। “ଓ’ ରୋମିଓ’’ ସହିତ ସେ ମୁଖ୍ୟସ୍ରୋତକୁ ଚାଲି ଆସିଛନ୍ତି। 

ବାସ୍ତବ କାହାଣୀ ଉପରେ ଆଧାରିତ ହୋଇଥିଲେ ହେଁ ଏହି ସିନେମାଟି ବିଶାଲଙ୍କ ‘ହୈଦର’, ବା ‘ଓମକାରା’ ବା ‘ମକବୁଲ’ ପରି ବାସ୍ତବଧର୍ମୀ ଲାଗିଲା ନାହିଁ। ୧୯୯୦ ଦଶକରେ ମୁମ୍ବାଇର ଅଣ୍ଡରଵାର୍ଲଡ୍‌ ଡନ୍ ଜଲାଲ(ଅବିନାଶ ତିଵାରୀ)ଙ୍କ ଦ୍ବାରା ଅଫଶାନ(ତୃପ୍ତି ଡିମରୀ)ର ସ୍ବାମୀ ହତ୍ୟାର ଶିକାର ହେବା ପରେ ସେ ସୁପାରି କିଲର୍‌ ହୁସେନ ଉସ୍ତରା(ଶାହିଦ କପୁର) ପାଖକୁ ଯାଇଛି, ପ୍ରତିଶୋଧ ସ୍ବରୂପ ଚାରିଜଣଙ୍କୁ ମାରିବାର ପ୍ରସ୍ତାବ ନେଇ। ଉସ୍ତରା ଏ କାମକୁ ପ୍ରତ୍ୟାଖ୍ୟାନ କରିବା ପରେ ଅଫଶାନ ନିଜେ ସମସ୍ତଙ୍କୁ ହତ୍ୟା କରିବାକୁ ବାହାରିପଡୁଛି। ଏ ପ୍ରକ୍ରିୟାରେ ଉସ୍ତରା ମନରେ ଅଫଶାନ ପ୍ରତି ପ୍ରେମ ଜାଗ୍ରତ ହେଉଛି। ଅଫଶାନର ଜୀବନ କିନ୍ତୁ ଗୋଟିଏ ଲକ୍ଷ୍ୟ ଉପରେ ନିବିଷ୍ଟ- ସ୍ବାମୀଙ୍କ ହତ୍ୟାର ପ୍ରତିଶୋଧ। ଏ ଭିତରେ ଅଛି ଇଣ୍ଟେଲିଜେନ୍‌ସ ବ୍ୟୁରୋ ଅଫିସର ଇସମାଇଲ ଖାଁ(ନାନା ପାଟେକର)ଙ୍କ ବିଚକ୍ଷଣତା, ଭ୍ରଷ୍ଟ ପୁଲିସ ଅଫିସର ଇନ୍‌ସପେକ୍ଟର ପଠାରେ ଭୂମିକାରେ ରାହୁଳ ଦେଶପାଣ୍ଡେଙ୍କ ଚମତ୍କାର ଅଭିନୟ ଏବଂ ସ୍ପେନ୍‌ର ନିର୍ଣ୍ଣାୟକ ମାଟାଡୋର ଲଢ଼େଇ। କାହାଣୀରେ କେତେକ ଅପ୍ରତ୍ୟାଶିତ ମୋଡ଼ ରହିଥିବାରୁ, ସେ ସମ୍ପର୍କରେ ଅଧିକ ଲେଖିବା ଅନୁଚିତ ହେବ।source:sambad.in 


Related News