BJD in Jajpur: ଯାଜପୁରରୁ ବିଜେଡିର ଦୁର୍ଗ ପତନ ଅଭିଯାନ: ରହସ୍ୟ‌ରେ ବବିଙ୍କ ନିରବତା

ରାଜ୍ୟ

ଯାଜପୁର: ଯାଜପୁର ବିଜେଡିର ସର୍ବମାନ୍ୟ ନେତା ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଜିଲ୍ଲାରେ ବିଜେଡି ସାଂଗଠନିକ ସ୍ଥିତି ଏବେ ଟଳମଳ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବିଜେଡି ଛାରଖାର ଅବସ୍ଥାରେ। ସମିତି ସଭ୍ୟରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଦସ୍ୟଙ୍କ ପର୍ଯ୍ୟନ୍ତ ଅଧିକାଂଶ ବିଜେପି ମୁହାଁ। ବଡ଼ଚଣା, ସୁକିନ୍ଦା, କୋରେଇ, ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତି ସଂଗିନ ହୋଇଛି। ରାଜ୍ୟ ବିଜେପି ଯାଜପୁର ଜିଲ୍ଲାରୁ ବିଜେଡିର ଦୁର୍ଗପତନ ଅଭିଯାନ ଆରମ୍ଭ କରିଛି। ପ୍ରତୀକାତ୍ମକ ଭାବେ ବିଜେପି ଏବେ ଅନ୍ୟ ଜିଲ୍ଲାରେ ଏହି ରଣନୀତି ଆପଣେଇବାକୁ ପ୍ରସ୍ତୁତ ହେଉଛି। ଏହାରି ଭିତରେ ରାଜ୍ୟ ବିଜେଡିର ଅନ୍ୟତମ ମଙ୍ଗୁଆଳ ବବି କିନ୍ତୁ ନିରବ ରହିଛନ୍ତି। 

ବିଜେଡିର ସଙ୍କଟ ସମୟରେ ବବିଙ୍କ ରହସ୍ୟଜନକ ନିରବତା ଏବେ କର୍ମୀ ମହଲରେ ଆଲୋଚ୍ୟ ହୋଇଛି। ସେ କେବଳ ନିଜ ନିର୍ବାଚନମଣ୍ଡଳୀ ଓ ମା’ ପ୍ରତିଦ୍ବନ୍ଦ୍ବିତା କରୁଥିବା କୋରେଇ ନିର୍ବାଚନମଣ୍ଡଳୀକୁ ଛାଡ଼ିଦେଲେ ଅନ୍ୟ କେଉଁଥିରେ ମୁଣ୍ଡ ଖେଳାଉନାହାନ୍ତି। କିଛିଦିନ ତଳେ ଯାଜପୁର ଜିଲ୍ଲାର ୧୮ ଜଣ ଜିଲ୍ଲା ପରିଷଦ ସଦସ୍ୟ ଦଳ ଛାଡ଼ିବା ପରେ ବିଜେଡି କର୍ମୀଙ୍କ ମଧ୍ୟରେ ନୈରାଶ୍ୟ ପ୍ରକାଶ ପାଇଥିଲା। ସବୁଠୁ ବଡ଼ କଥା, ବବିଙ୍କ ନିଜ ନିୟନ୍ତ୍ରଣରେ ରହିଥିବା କୋରେଇ ନିର୍ବାଚନମଣ୍ଡଳୀ ସଂଗଠନ ବି ଦୋହଲିଗଲାଣି। ଏହି ବ୍ଲକ୍‌ର ୩ ନଂ ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ତଥା ଜିଲ୍ଲା ପରିଷଦର ସଭାପତି ଥିବା ନଳିନୀପ୍ରଭା ଜେନା ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ବବିଙ୍କ ସାଂଗଠନିକ ଦକ୍ଷତା ଉପରେ ଏକ ବଡ଼ ପ୍ରଶ୍ନ ଠିଆ କରିଛି। ଯାହାଙ୍କ ସୁପାରିସରେ ନଳିନୀ ଜିଲ୍ଲା ପରିଷଦ ସଭାପତି ହୋଇଥିଲେ ସେ ବବିଙ୍କୁ ନ ପଚାରି ଏତେ ବଡ଼ ନିଷ୍ପତ୍ତି ନେଇଥିବେ ତାହାକୁ କେହି ସହଜ‌ରେ ବିଶ୍ବାସ କରିପାରୁନାହାନ୍ତି। ବଡ଼ଚଣା ସଂଗଠନ ଦାୟିତ୍ବରେ ଥାଇ ବି ସେଠାକାର ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ବର ବରାଳ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। କୋରେଇ ନିର୍ବାଚନମଣ୍ଡଳୀରୁ ଅନ୍ୟ ଜଣେ ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ଦଳ ଛାଡ଼ିସାରିଛନ୍ତି।source:sambad.in


Related News