NASA Voyager 1: ମହାକାଶରେ ଇତିହାସ ରଚିବ ନାସାର ଭୋୟାଜର-୧, ପୃଥିବୀଠୁ ଏକ ଆଲୋକ-ଦିବସ ଦୂରତାରେ ପହଞ୍ଚିବାକୁଥିବା ପ୍ରଥମ ମହାକାଶ ଯାନ
ନୂଆଦିଲ୍ଲୀ, ୧୨/୧୧: ପୃଥିବୀଠୁ ଏକ ଆଲୋକ-ଦିବସ ଦୂରତାରେ ପହଞ୍ଚିଥିବା ପ୍ରଥମ ମାନବ-ନିର୍ମିତ ମହାକାଶ ଯାନ ହେବାକୁ ଯାଉଛି ନାସାର ଭୋୟାଜର-୧ । ଆସନ୍ତା ୧୮ ତାରିଖ ଏହି ଐତିହାସିକ ଉପଲବ୍ଧି ହାସଲ କରିବ । ସେତେବେଳେ ଭୋୟାଜର-୧ ପୃଥିବୀଠୁ ହାରାହାରି ୨୫.୨ ଅରବ କିମି ଦୂରରେ ଥିବ । ଆଲୋକ ହାରହାରି ୩ ଲକ୍ଷ କିମି ପ୍ରତି ସେକେଣ୍ଡ ବେଗରେ ୨୪ ଘଣ୍ଟାରେ ଯେତିକି ଦୂର ଅତିକ୍ରମ କରେ, ତାକୁ ଏକ ଆଲୋକ-ଦିବସ କୁହାଯାଏ । ଏହି ଦୂରତାରେ ପୃଥିବୀରୁ ପଠାଇଥିବା ଯେକୌଣସି ରେଡିଓ ସଙ୍କେତକୁ ଯାନ ପାଖରେ ପହଞ୍ଚିବାକୁ ପୂରା ୨୪ ଘଣ୍ଟା ଲାଗିବ । ବୈଜ୍ଞାନିକମାନେ ଯଦି ପୃଥିବୀରୁ ଭୋୟାଜର-୧କୁ କୌଣସି ବାର୍ତ୍ତା କିମ୍ବା ନିର୍ଦ୍ଦେଶ ପଠାଇବେ, ତା’ର ଉତ୍ତର ଫେରିବାରେ ମୋଟ୍ ୪୮ ଘଣ୍ଟା ବା ୨ ଦିନ ସମୟ ଲାଗିବ ।
୫ ସେପ୍ଟେମ୍ବର, ୧୯୭୭ରେ ଲଞ୍ଚ ହୋଇଥିବା ଭୋୟାଜର-୧ ଘଣ୍ଟା ପ୍ରତି ହାରାହାରି ୬୧ ହଜାର କିମି ବେଗରେ ମହାକାଶରେ ନକ୍ଷତ୍ରମଣ୍ଡଳୀୟ ସ୍ଥାନରେ ନିରନ୍ତର ଆଗକୁ ବଢୁଛି । ଉର୍ଜ୍ଜା ଅଭାବରୁ ଏହାର ଅଧିକାଂଶ ଉପକରଣକୁ ବନ୍ଦ କରାଯାଇଛି । ଏବେ କେବଳ ଦୁଇଟି ବୈଜ୍ଞାନିକ ଉପକରଣ କାମ କରୁଛି । ନାସା ଅନୁସାରେ, ୨୦୩୦ ମସିହାରେ ଏହାର ବ୍ୟାଟେରୀ ସମ୍ପୂର୍ଣ୍ଣ ଶେଷ ହେବା ପରେ ପୃଥିବୀ ସହ ଏହାର ସମ୍ପର୍କ ଛିନ୍ନ ହୋଇଯିବ । ଭୋୟାଜର-୧ର ଐତିହାସିକ ଉପଲବ୍ଧିର ଖୁସି ପାଳନ ଲାଗି ନାସା ଆସନ୍ତା ୧୭ ତାରିଖକୁ ‘ସାଇନ୍ ବ୍ରାଇଟ୍ ଫର ଭୋୟାଜର ଲାଇଟ୍-ଡେ’ ଅଭିଯାନ ଘୋଷଣା କରିଛି । ଏଥିରେ ବିଶ୍ୱବାସୀ ସୂର୍ଯ୍ୟାସ୍ତ ପରେ ଟର୍ଚ୍ଚ ବା ଫୋନ୍ର ଆଲୋକ ଜରିଆରେ ମହାକାଶ ଅଭିମୁଖେ ପ୍ରତୀକାତ୍ମକ ବାର୍ତ୍ତା ପଠାଇ ପାରିବେ ।
source:prameya news


