Cyclone Fear: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ, ବାତ୍ୟା ଆଶଙ୍କା ! ୧୯ କିମ୍ବା ୨୦ରେ ଲ୍ୟାଣ୍ଡଫଲ୍ ସମ୍ଭାବନା

ରାଜ୍ୟ

ଭୁବନେଶ୍ୱର, ୧୩/୧୧: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବାବେଳେ ଆସନ୍ତାକାଲି ସୁଦ୍ଧା ଆହୁରି ସ୍ପଷ୍ଟ ଚିହ୍ନିତ ହେବାର ସମ୍ଭାବନା ରହିଛି। ୧୫ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ବିଭିନ୍ନ ପାଣିପାଗ ମଡେଲ୍ରେ ସମ୍ଭାବ୍ୟ ବାତ୍ୟାର ସଙ୍କେତ ମିଳୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଶଙ୍କା ବଢ଼ିଛି।

ଆସନ୍ତା ୧୯ କିମ୍ବା ୨୦ ତାରିଖ ବେଳକୁ ଏହା ସ୍ଥଳଭାଗ ନିକଟରେ ପହଞ୍ଚିପାରେ। ତେବେ ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ପ୍ରଭାବକୁ ନେଇ ବିଭିନ୍ନ ପାଣିପାଗ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ୟୁରୋପୀୟ ମଡେଲ୍ ଅନୁସାରେ, ଏହା ଆନ୍ଧ୍ରପ୍ରଦେଶ-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ। ଅନ୍ୟ ଦୁଇଟି ମଡେଲ୍ର ଆକଳନ ଅନୁଯାୟୀ, ଏହା ବାଂଲାଦେଶ କିମ୍ବା ମ୍ୟାଁମାର ଆଡ଼କୁ ମୋଡ଼ ନେଇପାରେ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଅବପାତ କିମ୍ବା ଗଭୀର ଅବପାତ ହେବାର ସମ୍ଭାବନା ରହିଛି । ଏପରିକି ଅଧିକ ଘନୀଭୂତ ହେଲେ ଏହା ବାତ୍ୟା ରୂପ ବି ନେଇପାରେ । ୧୯ ତାରିଖ ରାତି କିମ୍ବା ୨୦ ତାରିଖ ସକାଳେ ଆନ୍ଧ୍ରର କାଭାଲିରୁ ମଛଲିପଟ୍ଟନମ ମଧ୍ୟରେ ଏହା ଉପକୂଳ ଛୁଇଁପାରେ । ଯଦି ଏଭଳି ହୁଏ, ତେବେ ଓଡ଼ିଶାରେ ୧୭-୧୮ ବେଳକୁ ପାଗ ବଦଳିପାରେ । ପ୍ରଥମେ ଗଞ୍ଜାମ, ଗଜପତି, ପୁରୀ ଆଦିରେ କିଛି ବର୍ଷା ହୋଇପାରେ । ୧୯-୨୧ ଭିତରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଜପତିରେ ଅଧିକ ବର୍ଷା ସମ୍ଭାବନା ଅଛି । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ବି ହୋଇପାରେ । ଅବପାତ ହେବା ପରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ  ।

ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟାର ଗତିପଥ ଓ ତୀବ୍ରତା ସ୍ପଷ୍ଟ ହୋଇନାହିଁ। ଆଗାମୀ ପାଣିପାଗ ଆକଳନ ଉପରେ ଏହାର ଚିତ୍ର ସ୍ପଷ୍ଟ ହେବ।

source:prameya news


Related News