Matric Exam Preparation: ସମ୍ଭାବ୍ୟ ପ୍ରଶ୍ନୋତ୍ତର ‘ପରୀକ୍ଷା ଦର୍ପଣ’କୁ ନେଇ କେଁ..ହାଇସ୍କୁଲ୍‌ ପିଛା ଗୋଟେ, ଦୁଇଟି ବହି ଦେବ ଓସେପା

ରାଜ୍ୟ

କଟକ,୧୩/୧୧ (ମହାଦେବ ସେଠୀ): ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ପକ୍ଷରୁ ‘ପରୀକ୍ଷା ଦର୍ପଣ’ ପ୍ରସ୍ତୁତି ଚାଲିଛି । ଏହାର ଯୋଗାଣ ଦାୟିତ୍ୱ ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି(ଓସେପା)ର ରହିଛି । ଗତଥର ପରି ଏଥର ମଧ୍ୟ ଓସେପା ପକ୍ଷରୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ଲଲିପପ୍ ଦେଲା ପରି ୪୦/୫୦ ଜଣ ଦଶମ ଶ୍ରେଣୀ ବିଦ୍ୟାର୍ଥୀ ପଢ଼ୁଥିବା ହାଇସ୍କୁଲ୍‌କୁ ଗୋଟିଏ ଦୁଇଟି ଲେଖାଏଁ ପ୍ରଦାନ କରାଯିବ ବୋଲି ଓସେପା ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି । ଶହେରୁ ଅଧିକ ପରୀକ୍ଷାର୍ଥୀ ଥିବା ବିଦ୍ୟାଳୟକୁ ୩ରୁ ୪ଟି ଲେଖାଏଁ ପରୀକ୍ଷା ଦର୍ପଣ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଗୋଟିଏ ବିଦ୍ୟାଳୟରେ ମାତ୍ର ଗୋଟିଏ/ ଦୁଇଟି ମାଟ୍ରିକ୍ ସମ୍ଭାବ୍ୟ ପ୍ରଶ୍ନୋତ୍ତର ପୁସ୍ତିକାରେ ପରୀକ୍ଷାର୍ଥୀ କିପରି ପ୍ରସ୍ତୁତ ହେବେ ବୋଲି ଶିକ୍ଷକମାନେ ପ୍ରଶ୍ନ କରିଛନ୍ତି । ଗତବର୍ଷ ୩୦ଟି ଯାକ ଜିଲ୍ଲାର ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦର୍ପଣ ବଣ୍ଟନକୁ ନେଇ ବହୁ ବିଭ୍ରାଟ ସୃଷ୍ଟି ହୋଇଥିଲା । ତଥାପି ଏଥିରୁ ଓସେପା କିଛି ଶିକ୍ଷା ଲାଭ କରିପାରିନାହିଁ । ପୂର୍ବ ବର୍ଷ ପରି ଚଳିତ ବର୍ଷ ସମୁଦ୍ରକୁ ଶଙ୍ଖେ ପରି ପରୀକ୍ଷା ଦର୍ପଣ ଛପାଇ ତାହାକୁ ଜିଲ୍ଲା ୱାରୀ ବାଣ୍ଟିବା ଏକ ପ୍ରହସନ ବୋଲି ଅଭିଭାବକମାନେ କହିଛନ୍ତି ।

୨୦୨୭ ମସିହା ପାଇଁ ରେଗୁଲାର ଓ ଏକ୍ସ ରେଗୁଲାର ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ଗତ ୨ ତାରିଖରୁ ଆରମ୍ଭ ହୋଇଗଲାଣି । ଅନ୍ଲାଇନ୍ରେ ପରୀକ୍ଷାର୍ଥୀମାନଙ୍କ ଫର୍ମ ପୂରଣ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆସନ୍ତା ୨୧ ତାରିଖ ଯାଏ ଚାଲିବ ବୋଲି ସମୟ ଧାର୍ଯ୍ୟ ରହିଛି । ପରୀକ୍ଷା ଫେବ୍ରୁଆରୀ ଶେଷ ସପ୍ତାହ ବେଳକୁ ହେବ । ମୁଣ୍ଡ ଉପରେ ପରୀକ୍ଷା ଥିବାରୁ ଅନେକ ପରୀକ୍ଷାର୍ଥୀ ମାଟ୍ରିକ୍ ପ୍ରସ୍ତୁତି ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି । ରାଜ୍ୟରେ କେତେକ ଜିଲ୍ଲା ଚଳିତ ବର୍ଷ ବାତ୍ୟା, ବନ୍ୟା ଓ ଲଗାଣ ବର୍ଷାଜନିତ ପ୍ରାକୃତିକ ବିପତ୍ତିର ସମ୍ମୁଖୀନ ହୋଇଥିବାରୁ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ୟା ହୋଇଛି । ପରୀକ୍ଷା ପାଇଁ ବଜାରରେ ବିକ୍ରି ହେଉଥିବା ଟେଷ୍ଟ୍ ପେପରଗୁଡ଼ିକର ମୂଲ୍ୟ ପାଖାପାଖି ୧ ହଜାର ଟଙ୍କା ରହିଛି । ଏତେ ଟଙ୍କାର ଟେଷ୍ଟ୍ ପେପର୍ସ କିଣିବା ଆର୍ଥିକ ଅଭାବ ଅନଟନ ଭିତରେ ଥିବା ପରିବାର ପିଲା ଓ ଆଦିବାସୀ ଅଧ୍ୟୁଷିତ ଇଲାକାର ପରୀକ୍ଷାର୍ଥୀଙ୍କ ପାଇଁ କଷ୍ଟକର ହୋଇଛି ।

ରାଜ୍ୟରେ ୯ ହଜାରରୁ ଅଧିକ ହାଇସ୍କୁଲ୍‌ରେ ୫ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ୨୦୨୭ରେ ମାଟ୍ରିକ୍ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିବା ଲାଗି ଲକ୍ଷ୍ୟ ରହିଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଛାତ୍ରଛାତ୍ରୀଙ୍କ ସହଜ ପ୍ରସ୍ତୁତି ପାଇଁ ପରୀକ୍ଷା ଦର୍ପଣ ଦେବା ଉଚିତ୍ ବୋଲି ଅନେକ ଶିକ୍ଷକ ମତବ୍ୟକ୍ତ କରିଛନ୍ତି । ତେବେ ଏ ସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷଙ୍କର କୌଣସି ମତାମତ ମିଳି ନ ଥିବା ବେଳେ ଓସେପା ଅଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରି ନାହିଁ ।

source:prameya news


Related News