Price Hike: ଓଡ଼ିଶାରେ ମୁଦ୍ରାସ୍ଫୀତି ୭.୧୭%, ଜାତୀୟ ସ୍ତରଠୁ ଢେର ଅଧିକ, ପଞ୍ଚମ ମହଙ୍ଗା ବଜାର

ରାଜ୍ୟ

ଭୁବନେଶ୍ୱର, ୧୩/୧୧: ରାଜ୍ୟରେ ଦରଦାମ ସ୍ଥିତିରେ ଆସୁନି ସୁଧାର । ମାସ ପରେ ମାସ ଓଡ଼ିଶାରେ ମୁଦ୍ରାସ୍ଫୀତି ନୂଆ ରେକର୍ଡ କରୁଛି । ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଏବେ ପଞ୍ଚମ ମହଙ୍ଗା ବଜାର ରହିଛି । ଅର୍ଥାତ୍ ଦେଶର ଅନ୍ୟାନ୍ୟ ପ୍ରାନ୍ତ ତୁଳନାରେ ରାଜ୍ୟବାସୀ ବିଭିନ୍ନ ସାମଗ୍ରୀ ଏବଂ ସେବା ପାଇଁ ଅଧିକ ଟଙ୍କା ଗଣୁଛନ୍ତି । ପିଆଜ, ଅଦା ଏବଂ ରସୁଣଠାରୁ ଆରମ୍ଭ କରି ସବୁକିଛି ହୋଇଛି ମହଙ୍ଗା ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍ଏସ୍ଓ) ପକ୍ଷରୁ ଗୁରୁବାର ଜାରି ତଥ୍ୟ ଅନୁସାରେ, ଗତ ଅକ୍ଟୋବର ମାସରେ ରାଜ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ୭.୧୭% ଛୁଇଁଛି । ଏହା ଜାତୀୟ ହାରାହାରି ୬.୦୯% ତୁଳନାରେ ୧.୦୮% ଅଧିକ । ତେବେ ମାସକରେ ରାଜ୍ୟରେ ମୁଦ୍ରାସ୍ଫୀତି ୦.୪୭% ବଢ଼ିଛି । ସେପ୍ଟେମ୍ବରରେ ଏହା ୬.୭୦% ରହିଥିଲା । ଗ୍ରାମୀଣ ଓଡ଼ିଶାରେ ସ୍ଥିତି ଅସମ୍ଭାଳ । ଦେଶର ଅନ୍ୟ ପ୍ରାନ୍ତଗୁଡ଼ିକ ତୁଳନାରେ ଗ୍ରାମୀଣ ଓଡ଼ିଶାରେ ଲୋକଙ୍କ ଉପରେ ଚାପ ଅଧିକ ରହିଛି । ରାଜ୍ୟ ସ୍ତରରେ ତାମିଲ୍ନାଡୁରେ ମୁଦ୍ରାସ୍ଫୀତି ହାର ସବୁଠୁ ଅଧିକ ୭.୨୯% ରହିଛି । ୭.୨୬% ସହିତ ତେଲଙ୍ଗାନା ଦ୍ୱିତୀୟ ସ୍ଥାନରେ ରହିଛି । ଆନ୍ଧ୍ରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଏହା ଯଥାକ୍ରମେ ୭.୨୫% ଏବଂ ୭.୧୯% ରହିଛି ।

ଏନ୍ଏସ୍ଓ ତଥ୍ୟ ଅନୁସାରେ, ଖାଦ୍ୟ ଦର ବୃଦ୍ଧି ଯୋଗୁ ଅକ୍ଟୋବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ସହ୍ୟ ସୀମା ୬%କୁ ପାର କରିଯାଇଛି । ଆଲୋଚ୍ୟ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬.୦୯% ରହିଛି । ୨ ବର୍ଷରେ ଏହା ସର୍ବୋଚ୍ଚ ସ୍ତର । ସେପ୍ଟେମ୍ବରରେ ଏହା ୫.୫୪% ଥିଲା । ଲଗାତର ୧୨ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି, ଯାହାକି ୨୦୨୫ ଅକ୍ଟୋବରରେ ୦.୦୪% ଥିଲା । ଦେଶର ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୬.୦୮%ରୁ ବଢ଼ି ୬.୬୩% ହୋଇଛି । ସହରାଞ୍ଚଳରେ ଏହା ୪.୮୮%ରୁ ବଢ଼ି ୫.୪୧% ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ମୁକାବିଲା ପାଇଁ ରେପୋରେଟକୁ ୨୫ ବେସିସ୍ ପଏଣ୍ଟ ବଢ଼ାଇବାର ମାତ୍ର କେଇ ସପ୍ତାହ ପରେ ଏହି ଅଙ୍କ ପ୍ରକାଶ ପାଇଛି ।

ଚଳିତବର୍ଷ ଅକ୍ଟୋବରରେ ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୯୪% ରହିଛି । ଏହା ଗ୍ରାମାଞ୍ଚଳରେ ୯.୦୯% ଏବଂ ସହରାଞ୍ଚଳରେ ୮.୬୮% ରହିଛି । ପିଆଜ ଦର ସବୁଠୁ ଅଧିକ ବଢ଼ିଛି । ଏଥିରେ ଦରଦାମ ବୃଦ୍ଧି ହେଉଛି ୧୧୬.୨୨% । ରସୁଣ ଦର ୬୦.୭୪% ବଢ଼ିଛି । ଏହା ପଛକୁ ରୁପା ଗହଣା ଦାମ ୫୨.୩୯%, ଅଦା ୪୮.୩୨% ଏବଂ ଲେମ୍ବୁ ୪୭.୩୦% ମହଙ୍ଗା ହୋଇଛି । ତେବେ ଦୁଇ ବର୍ଷରେ ପ୍ରଥମ ଥର ପାଇଁ ଖୁଚୁରା ମୁଦ୍ରାସ୍ଫୀତି ୬% ସ୍ତର ଅତିକ୍ରମ କରିଛି ।  

source:prameya news


Related News