India Space Technology: ମହାକାଶରେ ଭାରତର ବଡ଼ ଲମ୍ଫ ! ୮୦୦ କୋଟି ନିବେଶରେ ଆନ୍ଧ୍ରରେ ତିଆରି ହେବ ୩୬୦ ଏକରର ରକେଟ୍ ହବ୍
ନୂଆଦିଲ୍ଲୀ, ୧୩।୧୧: ମହାକାଶ ପରିବହନ କ୍ଷମତାକୁ ନୂଆ ସ୍ତରକୁ ନେବାକୁ ଚେଷ୍ଟା କରୁଛି ଭାରତ । ଘରୋଇ ମହାକାଶ କମ୍ପାନି ଆଷ୍ଟ୍ରୋବେସ୍ ସ୍ପେସ୍ ଟେକ୍ନୋଲୋଜିସ୍ ଆନ୍ଧ୍ରପ୍ରଦେଶରେ ନିଜର ରକେଟ୍ ପରୀକ୍ଷଣ ଲାଗି ମୂଳ ଢାଞ୍ଚାକୁ ହାରାହାରି ୩୬୦ ଏକରରେ ବିସ୍ତୃତ କରିବାକୁ ଯୋଜନା କରୁଛି । ଏହି ବିସ୍ତାର ଉତ୍କ୍ଷେପଣ ଯାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜିର ବିକାଶ ଓ ପ୍ରମାଣପତ୍ର ଉପରେ କେନ୍ଦ୍ରିତ, ଯେଉଁଥିରେ ରକେଟ୍ ସୋପାନ ପରୀକ୍ଷଣ, ଷ୍ଟାଟିକ୍ ହଟ୍- ଫାୟାର ଟ୍ରାଏଲ ଓ ହପ୍ ଟେଷ୍ଟ ସାମିଲ । ଏହି ପରୀକ୍ଷଣ ପୁନଃବ୍ୟବହାରଯୋଗ୍ୟ ରକେଟ୍କୁ ଆଗକୁ ବଢ଼ାଇବା ପାଇଁ ଆବଶ୍ୟକ । କମ୍ପାନି ଆନ୍ଧ୍ରପ୍ରଦେଶ ଇକୋନୋମିକ୍ ଡେଭଲପ୍ମେଣ୍ଟ ବୋର୍ଡ ସହ ଏମ୍ଓୟୁ କରିଛି ।
ଗୁରୁବାର ବିଶାଖାପଟ୍ନମରେ ଆୟୋଜିତ ୩୧ତମ ସିଆଇଆଇ ପାର୍ଟନରସିପ୍ ସମ୍ମିଳନୀରେ ଏହି ଚୁକ୍ତି ହୋଇଛି । ଏହି ବିସ୍ତାର ନିମନ୍ତେ ୮୦୦ କୋଟି ଟଙ୍କାର ନିବେଶ ଘୋଷଣା ହୋଇଛି । ବର୍ତ୍ତମାନର ୨୨ ଏକର ଜାଗାରେ ଅତିରିକ୍ତ ୩୩୯ ଏକର ଯୋଡ଼ାଯିବ । ବିଶ୍ୱସ୍ତରରେ ମହାକାଶ ପରିବହନର ପରବର୍ତ୍ତୀ ଚରଣରେ ପୁନଃବ୍ୟବହାରଯୋଗ୍ୟ ରକେଟ୍କୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ । ଏହି ଯାନ ପେଲୋଡ୍କୁ କକ୍ଷକୁ ପଠାଇବାର ଖର୍ଚ୍ଚ ଓ ସମୟ ଉଭୟକୁ ହ୍ରାସ କରିପାରେ । ଭାରତ ମଧ୍ୟ ଘରୋଇ ମହାକାଶ ଅର୍ଥନୀତିକୁ ମଜଭୁତ କରିବାକୁ ଚାହୁଁଛି, ଯାହା ଦ୍ୱାରା ସାଟେଲାଇଟ୍କୁ ଅଧିକ ଥର ଓ କମ୍ ଖର୍ଚ୍ଚରେ ଲଞ୍ଚ କରାଯାଇପାରିବ ।
source:prameya news


