ୱିଲ ୟଙ୍ଗଙ୍କ ଜବରଦସ୍ତ ଶତକ: ଭାରତକୁ ବିଶାଳ ଟାର୍ଗେଟ୍ ଦେଲା ନ୍ୟୁଜିଲାଣ୍ଡ
ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍ରେ ଟିମ ଇଣ୍ଡିଆ ସମ୍ମୁଖରେ ୩୩୪ ରନ୍ର ବିଜୟ ଲକ୍ଷ୍ୟ ରହିଛି। ଗୋଟିଏ ସମୟରେ ନ୍ୟୁଜିଲାଣ୍ଡ ୩୫୦ରୁ ୩୬୦ ରନ୍ର ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେଉଥିଲା। କିନ୍ତୁ ଶେଷ ଓଭରଗୁଡ଼ିକରେ ଭାରତୀୟ ବୋଲରମାନେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି କିୱି ଦଳକୁ ୩୩୩ ରନ୍ରେ ସୀମିତ ରଖିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ୱିଲ ୟଙ୍ଗ ୧୨୫ ରନ୍ର ଶତକୀୟ ପାଳି ଖେଳିଥିଲେ।
ୱିଲ ୟଙ୍ଗ କ୍ରିଜ୍ରେ ଥିବା ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡର ରନ ସଂଗ୍ରହ ଗତି ବେଶ ଭଲ ରହିଥିଲା। ୩୭ ଓଭର ଶେଷ ସୁଦ୍ଧା ଦଳ ୨୫୬ ରନ କରିଥିଲା। ପ୍ରାୟ ୭ ରନ ରେଟ୍ରେ ଖେଳୁଥିବା କିୱି ଦଳ ସହଜରେ ୩୫୦ ରନ ଅତିକ୍ରମ କରିବ ବୋଲି ଲାଗୁଥିଲା। କିନ୍ତୁ ଶେଷ ୧୩ ଓଭରରେ ଭାରତୀୟ ବୋଲରମାନେ ରନ୍ର ଗତି ଉପରେ ଅଙ୍କୁଶ ଲଗାଇଥିଲେ। ଏହି ସମୟ ମଧ୍ୟରେ ନ୍ୟୁଜିଲାଣ୍ଡ ମାତ୍ର ୭୭ ରନ କରିପାରିଥିଲା। ବିଶେଷ କରି ଶେଷ ଓଭରଗୁଡ଼ିକରେ କିୱି ବ୍ୟାଟରମାନେ ବଡ଼ ସଟ ଖେଳିବାରେ ବିଫଳ ହୋଇଥିଲେ।
ନ୍ୟୁଜିଲାଣ୍ଡର ୩୩୩ ରନ୍ର ସ୍କୋର ମାଉଣ୍ଟ ମାଉଙ୍ଗାନୁଇସ୍ଥିତ ବେ ଓଭାଲ ଷ୍ଟାଡିୟମରେ ଦିନିକିଆ କ୍ରିକେଟ୍ର ଦ୍ୱିତୀୟ ସର୍ବାଧିକ ଦଳଗତ ସ୍କୋର। ଏହି ମଇଦାନରେ ସର୍ବାଧିକ ସ୍କୋର ମଧ୍ୟ ନ୍ୟୁଜିଲାଣ୍ଡ ନାମରେ ରହିଛି। ୨୦୧୯ରେ ଶ୍ରୀଲଙ୍କା ବିପକ୍ଷରେ ଦଳ ୩୭୧ ରନ କରିଥିଲା। ୱିଲ ୟଙ୍ଗ ୮୮ଟି ବଲ୍ରେ ନିଜ ଶତକ ପୂରଣ କରିଥିଲେ। ତାଙ୍କ ୧୨୫ ରନ୍ର ଇନିଂସ୍ରେ ୧୪ଟି ଚୌକା ଓ ୪ଟି ଛକା ସାମିଲ ଥିଲା।
ଚତୁର୍ଥ ଦିନିକିଆ ଜିତିବାକୁ ହେଲେ ଭାରତକୁ ଏହି ମଇଦାନରେ ଐତିହାସିକ ରନ ଚେଜ କରିବାକୁ ପଡ଼ିବ। ବେ ଓଭାଲରେ ଦିନିକିଆ କ୍ରିକେଟ୍ରେ ସର୍ବାଧିକ ସଫଳ ରନ ଚେଜ ହେଉଛି ୨୯୭ ରନ। ଏହି ମଇଦାନରେ ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ ଏହି ରେକର୍ଡ କରିଥିଲା। ଏଠାରେ ଏପର୍ଯ୍ୟନ୍ତ କୌଣସି ଦଳ ୩୦୦ କିମ୍ବା ତା’ଠାରୁ ଅଧିକ ରନ୍ର ଲକ୍ଷ୍ୟକୁ ପିଛା କରି ସଫଳ ହୋଇନାହିଁ। ଏହା ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାଇଁ ଏକ ବଡ଼ ଆହ୍ବାନ ହେବ।
ଅନ୍ୟପକ୍ଷରେ, ଏହି ମଇଦାନରେ ଦ୍ୱିତୀୟ ଇନିଂସ୍ରେ ଭାରତର ସର୍ବାଧିକ ଦିନିକିଆ ସ୍କୋର ହେଉଛି ୨୪୫ ରନ। ତେଣୁ ୩୩୪ ରନ୍ର ବିଜୟ ଲକ୍ଷ୍ୟ ହାସଲ କରିବା ଟିମ ଇଣ୍ଡିଆ ପାଇଁ ସହଜ ହେବ ନାହିଁ।
source:dharitri news


