ସୁନା-ରୁପା ଦରରେ ବଡ଼ ହ୍ରାସ, ୧ ଲକ୍ଷ ପାଖେଇଲା….

ବ୍ୟବସାୟ

ନୂଆଦିଲ୍ଲୀ,୧୩।୧୧:  ସୁନା ଓ ରୁପା ଦରରେ ହ୍ରାସ ଜାରି ରହିଛି । ସୁନା ଦରରେ ବଡ଼ ହ୍ରାସ ପରେ ୧୮ କ୍ୟାରେଟ୍‌ ସୁନାର ମୂଲ୍ୟ ମଧ୍ୟ ୧ ଲକ୍ଷ ଟଙ୍କା ପାଖାପାଖି ପହଞ୍ଚିଛି । ସେହିପରି ୨୨ ଓ ୨୪ କ୍ୟାରେଟ୍‌ ସୁନା ମଧ୍ୟ ଶସ୍ତା ହୋଇଛି । ଶୁକ୍ରବାର, ନଭେମ୍ବର ୧୩ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୁନା ପ୍ରତି ୧୦ ଗ୍ରାମ ୧.୩୭ ଲକ୍ଷ ଟଙ୍କା ଏବଂ ରୁପା ପ୍ରତି କିଲୋଗ୍ରାମ ୧.୭୮ ଲକ୍ଷ ଟଙ୍କାରେ କାରବାର କରୁଥିଲା। ପୂର୍ବ କାରବାର ଦିନରେ ସୁନା ଦରରେ ପ୍ରାୟ ୩ ପ୍ରତିଶତ ହ୍ରାସ ହୋଇଥିଲା। ଫଳରେ ଏହା ୧୩ ମାସର ସର୍ବନିମ୍ନ ସ୍ତରକୁ ଖସିଯାଇଛି।

ଯଦି ଭୁବନେଶ୍ବରରେ ସୁନାଦର କଥା ଦେଖିବା ତାହେଲେ ୨୪ କ୍ୟାରେଟ୍‌ ସୁନା ପ୍ରତି ଦଶଗ୍ରାମକୁ ୧୩୮୪୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ଦର ୧୨୬୯୫୦ ରହିଛି । ସେହପରି ୧୮ କ୍ୟାରେଟ୍‌ ସୁନାର ମୂଲ୍ୟ ମଧ୍ୟ ୧ ଲକ୍ଷ ଟଙ୍କା ପାଖାପାଖି ପହଞ୍ଚିଛି । ୧୦ଗ୍ରାମକୁ ୧୦୩୮୭୦ ରହିଛି ।

ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ଦର ୨,୨୦୦ ଟଙ୍କା ହ୍ରାସ ପାଇଥିଲା। ଆମେରିକାରେ ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିବା ସୁନା ଦର ହ୍ରାସର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ମୁଦ୍ରାସ୍ଫୀତି ତଥ୍ୟ ଆଶାଠାରୁ ଅଧିକ ରହିବା ପରେ ଡିସେମ୍ବରରେ ଆମେରିକାର ଫେଡେରାଲ ରିଜର୍ଭ ସୁଧହାର ବୃଦ୍ଧି କରିପାରେ ବୋଲି ବଜାରରେ ଆଶଙ୍କା ସୃଷ୍ଟି ହୋଇଛି।

ଏହାର ପ୍ରଭାବରେ ଆମେରିକୀୟ ବଣ୍ଡ୍‌ ୟିଲ୍ଡ ଓ ଡଲାର ମଜବୁତ ହୋଇଛି । ସାଧାରଣତଃ ସୁଧହାର ବଢ଼ିଲେ ସୁନା ଭଳି ସୁଧ ଦେଉନଥିବା ନିବେଶର ଚାହିଦା କମିଥାଏ । ଫଳରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଉପରେ ଚାପ ପଡ଼ିଛି । ଏହାର ପ୍ରଭାବ ରୁପା ଦର ଉପରେ ମଧ୍ୟ ପଡ଼ିଛି। ଆମେରିକାରେ ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିଲେ ଏବଂ ଫେଡେରାଲ ରିଜର୍ଭ ସୁଧହାର ବୃଦ୍ଧି କଲେ ସୁନା ଦର ଉପରେ ଚାପ ଜାରି ରହିପାରେ। ତେବେ ଡଲାର ଓ ବଣ୍ଡ୍‌ ୟିଲ୍ଡରେ ପରିବର୍ତ୍ତନ ହେଲେ ବଜାରର ଗତିବିଧି ମଧ୍ୟ ବଦଳିପାରେ।

source:dharitri news


Related News