Pop-Pop Firecracker କେତେ ବିପଜ୍ଜନକ ? ପାଟିରେ ଚୋବାଇ ଦେବାରୁ ଚାଲିଗଲା ୨ ବର୍ଷିୟ ଶିଶୁର ଜୀବନ

ବିଶେଷ

ନୂଆଦିଲ୍ଲୀ : ଛତିଶଗଡ଼ର ସରଗୁଜା ଜିଲ୍ଲାରୁ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ସୀତାପୁର ଥାନା ଅନ୍ତର୍ଗତ ବନେୟା ଗାଁରେ ଜଣେ ଦେଢ଼ ବର୍ଷର ନିରୀହ ଶିଶୁ ଖେଳୁ ଥିବା ବେଳେ ,ପପ୍-ପପ୍ (ରସୁଣ) ବାଣକୁ ପାଟିରେ ପୂରାଇ ଦେଇ ଥିଲା । ଶିଶୁଟି ବାଣକୁ ଚୋବାଉ ଥିବା ସମୟରେ ତାହା ପାଟି ଭିତରେ ହିଁ ଏକ ଜୋରରେ ଶବ୍ଦ ସହିତ ଫାଟି ଯାଇ ଥିଲା । ଏହି ଦୁର୍ଘଟଣାରେ ଶିଶୁଟିର ପାଟିର ଭିତର ଅଂଶ ଏବଂ ସ୍ନାୟୁଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇ ଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଧିକ ରକ୍ତସ୍ରାବ ଯୋଗୁଁ କୋମଳମତି ଶିଶୁଟିର ମୃତ୍ୟୁ ହୋଇଛି । ଏହି ଘଟଣା ପୁଣିଥରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯେ, ପିଲାମାନଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ ପପ୍-ପପ୍ ବାଣ ପ୍ରକୃତରେ କେତେ ବିପଜ୍ଜନକ ହୋଇ ପାରେ ?

ପପ୍-ପପ୍ ବାଣ ପ୍ରକୃତରେ କ'ଣ ?

ପପ୍-ପପ୍ ହେଉଛି ଏକ ବିଶେଷ ପ୍ରକାରର ଛୋଟ ବାଣ , ଯାହା ଦେଖିବାକୁ କାଗଜର ଏକ ଛୋଟ ପୁଡ଼ିଆ କିମ୍ବା ରସୁଣ ପାଖୁଡ଼ା ଭଳି ଦେଖାଯାଇ ଥାଏ । ଅନ୍ୟ ବାଣ ପରି ଏହାକୁ ଫୁଟାଇବା ପାଇଁ ଦିଆସିଲି କି ଲାଇଟରର ଆବଶ୍ୟକତା ପଡ଼େ ନାହିଁ । ଏହାକୁ କେବଳ ମାଟିରେ ପିଟିବା କିମ୍ବା କୌଣସି କଠିନ ସ୍ଥାନରେ ଫୋପାଡ଼ିବା ଦ୍ୱାରା ହିଁ ଜୋରରେ ଶବ୍ଦ ସହିତ ବିସ୍ଫୋରଣ ହୋଇଥାଏ । ଏହି କାରଣରୁ ପିଲାମାନେ ଏହାକୁ ଅତି ସହଜରେ ବ୍ୟବହାର କରି ଥାଆନ୍ତି ଏବଂ ଖେଳ ଖେଳରେ ବାରମ୍ବାର ଭୂମିରେ ଫୋପାଡ଼ି ଥାଆନ୍ତି । କିନ୍ତୁ ବିନା ନିଆଁରେ ଫାଟି ଯିବାର ଏହି ଗୁଣ ହିଁ ଏହାକୁ ଅନ୍ୟ ବାଣ ଅପେକ୍ଷା ଅଧିକ ସମ୍ବେଦନଶୀଳ କରି ଥାଏ ।

ଏଥିରେ କ'ଣ ଥାଏ ଏବଂ ଏହା କିପରି କାମ କରେ ?

ପେଟ୍ରୋଲିୟମ୍ ଆଣ୍ଡ ଏକ୍ସପ୍ଲୋସିଭ୍ସ ସେଫ୍ଟି ଅର୍ଗାନାଇଜେସନ୍ (PESO) ସହ ଜଡ଼ିତ ଅଧିକାରୀମାନଙ୍କ କହିବାନୁସାରେ, ପପ୍-ପପ୍ ବାଣ ଭିତରେ ବାଲି କିମ୍ବା ମାଟିର ଅତି ସୂକ୍ଷ୍ମ କଣିକା ସହିତ ସିଲଭର୍ ଫୁଲମିନେଟ୍ (Silver Fulminate) ପରି ଏକ ସମ୍ବେଦନଶୀଳ ବିସ୍ଫୋରକ ରାସାୟନିକ ପଦାର୍ଥର କୋଟିଂ ଦିଆ ଯାଇ ଥାଏ । ଏହି ରାସାୟନିକ ପଦାର୍ଥଟି ଘର୍ଷଣ  ଏବଂ ଚାପ ପ୍ରତି ଖୁବ୍ ସମ୍ବେଦନଶୀଳ । ଏହା ଉପରେ ସାମାନ୍ୟ ଚାପ ପଡ଼େ କିମ୍ବା ପରସ୍ପର ମଧ୍ୟରେ ଘର୍ଷଣ ହୁଏ, ଏହା ତୁରନ୍ତ ରାସାୟନିକ ପ୍ରତିକ୍ରିୟା କରି ଫାଟି ଯାଏ । ଏହି କାରଣରୁ ପକେଟରେ ରଖିବା, ଆଙ୍ଗୁଠିରେ ଚାପିବା କିମ୍ବା କୌଣସି ଜିନିଷ ସହିତ ଘସି ହେବା ଦ୍ୱାରା ମଧ୍ୟ ଏଥିରେ ହଠାତ୍ ବିସ୍ଫୋରଣ ହୋଇ ପାରେ ।

ଏହା କେତେ ବିପଜ୍ଜନକ ଏବଂ ଏହାଦ୍ୱାରା କ'ଣ ସବୁ ସମସ୍ୟା ହୋଇ ପାରେ ?

ପପ୍-ପପ୍ ବାଣକୁ କମ୍ ଶବ୍ଦ ହେଉଥିବା ଭାବି ଅଣଦେଖା କରିବା ଦ୍ୱାରା ଅନେକ ଗୁରୁତର ଶାରୀରିକ କ୍ଷତି ଘଟି ପାରେ । ବିଶେଷ ଭାବେ ଛୋଟ ପିଲାମାନଙ୍କ ପାଇଁ ଏହା ଖୁବ୍ ବିପଦ ସାବ୍ୟସ୍ତ ହୋଇଥାଏ । ସବୁଠୁ ବଡ଼ ବିପଦ ହେଉଛି ଏହାକୁ ପାଟିରେ ପକାଇବା । ପପ୍-ପପ୍ ଆକାରରେ ବହୁତ ଛୋଟ ଏବଂ ଧଳା ରଙ୍ଗର ହୋଇ ଥାଏ, ଯେଉଁ କାରଣରୁ ଛୋଟ ପିଲାମାନେ ଏହାକୁ ଟଫି, ମିଶ୍ରି କିମ୍ବା ଖାଇବା ଜିନିଷ ଭାବି ପାଟିରେ ରଖି ଦିଅନ୍ତି । ଯଦି ପିଲାଟି ଭୁଲବଶତଃ ମଧ୍ୟ ଏହାକୁ ଦାନ୍ତରେ ଚୋବାଇ ଦିଏ, ତେବେ ଚାପ ପଡ଼ିବା କ୍ଷଣି ଏହା ପାଟି ଭିତରେ ଫାଟି ଯିବ । ଏହାଦ୍ୱାରା ଜିଭ, ମାଡ଼ି ଏବଂ ପାଟିର ଭିତର ସୂକ୍ଷ୍ମ ନାସା ଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇ ପାରେ । ଅନେକ କ୍ଷେତ୍ରରେ ଆଭ୍ୟନ୍ତରୀଣ ଆଘାତ ଏତେ ଗଭୀର ହୋଇଥାଏ ଯେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଜୀବନ ଚାଲି ଯିବାର ମଧ୍ୟ ଆଶ୍ଚଙ୍କା ସୃଷ୍ଟି ହୁଏ ।

ଏହା ବ୍ୟତୀତ, ହାତ ଏବଂ ଆଙ୍ଗୁଠିରେ ଆଘାତ ଲାଗିବାର ଭୟ ମଧ୍ୟ ରହିଥାଏ। ପିଲାମାନେ ପ୍ରାୟତଃ ମଜାମଜାରେ ଏହାକୁ ଆଙ୍ଗୁଠି ମଧ୍ୟରେ ଚାପିବା କିମ୍ବା ଚକଟିବା ଆରମ୍ଭ କରି ଦିଅନ୍ତି । ହାତରେ ଫାଟିବା ଦ୍ୱାରା ଛାଲ ପଡ଼ି ଯାଇ ପାରେ କିମ୍ବା ଆଙ୍ଗୁଠିରେ ଗଭୀର କ୍ଷତ ସୃଷ୍ଟି ହୋଇପାରେ । ସେହିପରି, ଯଦି ପିଲାମାନେ ଏହାକୁ ମୁହଁ ନିକଟରେ ଫୋପାଡ଼ି ଦିଅନ୍ତି, ତେବେ ଏହା ଭିତରେ ଥିବା ବାଲି କିମ୍ବା ମାଟିର ସୂକ୍ଷ୍ମ କଣିକା ଉଡି ଆସି ଆଖି ଭିତରକୁ ଚାଲି ଯାଇ ପାରେ । ଏହାଦ୍ୱାରା ଆଖିର କର୍ନିଆ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥାଏ।

ପକେଟରେ ଫାଟିବା ଏବଂ କାନକୁ କ୍ଷତି ପହଞ୍ଚାଇବାର ଆଶଙ୍କା

ଅନେକ ସମୟରେ ପିଲାମାନେ ଖେଳିବା ସମୟରେ ମୁଠା ମୁଠା ପପ୍-ପପ୍ ବାଣ ନିଜ ପ୍ୟାଣ୍ଟ କିମ୍ବା ସାର୍ଟ ପକେଟରେ ଭର୍ତ୍ତି କରି ଦିଅନ୍ତି । ଚଲାବୁଲା କରିବା କିମ୍ବା ବସିବା ସମୟରେ ପରସ୍ପରର ଘର୍ଷଣ ଏବଂ ଶରୀରର ଚାପ ଯୋଗୁଁ ଏହି ବାଣ ଗୁଡ଼ିକ ପକେଟ୍ ଭିତରେ ଏକସାଙ୍ଗରେ ଫାଟିଯାଇ ପାରେ । ଏହାଦ୍ୱାରା ଚର୍ମ ପଡ଼ିଯିବା ଏବଂ ଆଘାତ ଲାଗି ପାରେ । ଏହାସହିତ, କାନର ଅତି ପାଖରେ ଫାଟିବା ଦ୍ୱାରା ଏହାର ଜୋରରେ ଶବ୍ଦ ଛୋଟ ପିଲାମାନଙ୍କ କୋମଳ କାନର ପରଦା ଉପରେ ମଧ୍ୟ ଖରାପ ପ୍ରଭାବ ପକାଇ ପାରେ ।

ପିଲାମାନଙ୍କ ସୁରକ୍ଷା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପପ୍-ପପ୍ ବାଣକୁ କେବେବି ଏକ ଖେଳନା ବୋଲି ଭାବିବା ନାହିଁ । ଘରକୁ ଯଦି ଏପରି ବାଣ ଅଣାଯାଇଛି, ତେବେ ସେଗୁଡ଼ିକୁ ଛୋଟ ପିଲାଙ୍କ ଠାରୁ ଦୂରରେ ଏକ ବନ୍ଦ ବାକ୍ସରେ ରଖନ୍ତୁ । ଛୋଟ ପିଲାମାନଙ୍କୁ କୌଣସି ପ୍ରକାର ବାଣ ପାଖକୁ ଯିବାକୁ ଦିଅନ୍ତୁ ନାହିଁ, କାରଣ ସେମାନଙ୍କ ଠାରେ ପ୍ରତ୍ୟେକ ଜିନିଷକୁ ପାଟିରେ ପକାଇବାର ଅଭ୍ୟାସ ଥାଏ । ପିଲାମାନଙ୍କୁ ବୁଝାନ୍ତୁ ଯେ ଏହାକୁ ହାତରେ ଚକଟନ୍ତୁ ନାହିଁ, ପକେଟରେ ଭରନ୍ତୁ ନାହିଁ ଏବଂ କାହା ଆଡକୁ ଫୋପାଡ଼ନ୍ତୁ ନାହିଁ।

source:prameya news


Related News