ମୃତ୍ୟୁକୁ ଅପେକ୍ଷା କରନ୍ତି ଏଠାରେ ଲୋକେ! ଶେଷ ସମୟରେ କାଶୀରେ କାହିଁକି ରହିବାକୁ ଚାହାନ୍ତି ବୟସ୍କ?

ବିଶେଷ

ନୂଆଦିଲ୍ଲୀ ୧୩/୧୧: ଜୀବନର ଶେଷ ଯାତ୍ରା କେଉଁଠି ହେବ, ତାହା କିଏ ବା ଜାଣେ ,କିନ୍ତୁ ଭାରତରେ ଏମିତି ଏକ ପବିତ୍ର ସ୍ଥାନ ରହିଛି ଯେଉଁଠାକୁ ଲୋକେ ଜୀବନର ଅନ୍ତିମ ସମୟରେ ନିଜ ଇଚ୍ଛାରେ ଚାଲି ଆସନ୍ତି। ଏଠାରେ ରହିବା ପଛରେ ରହିଛି ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତିର ଆଶା। ସେହି ସ୍ଥାନ ହେଉଛି ଉତ୍ତରପ୍ରଦେଶର ପବିତ୍ର ନଗରୀ କାଶୀ ବା ବାରାଣସୀ। ହିନ୍ଦୁ ଧର୍ମରେ କାଶୀକୁ ମୋକ୍ଷର ଦ୍ୱାର ବୋଲି ବିଶ୍ୱାସ କରାଯାଏ। ମାନ୍ୟତା ରହିଛି, ଏହି ପବିତ୍ର ନଗରୀରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ, ତାଙ୍କୁ ଜନ୍ମ ଓ ମୃତ୍ୟୁର ଚକ୍ରରୁ ମୁକ୍ତି ମିଳିଥାଏ। ଏହି ବିଶ୍ୱାସ ହିଁ ଦେଶର ବିଭିନ୍ନ ପ୍ରାନ୍ତରୁ ବୟସ୍କ ଲୋକଙ୍କୁ ଜୀବନର ଶେଷ ପର୍ଯ୍ୟାୟରେ କାଶୀ ଟାଣି ଆଣିଥାଏ। କାଶୀର ଆଧ୍ୟାତ୍ମିକ ମହତ୍ତ୍ୱ ସହ ଜଡ଼ିତ ରହିଛି ଭଗବାନ ଶିବଙ୍କ ଏକ ବିଶେଷ ମାନ୍ୟତା। କୁହାଯାଏ, କାଶୀରେ ମୃତ୍ୟୁବରଣ କରୁଥିବା ଜୀବର କାନରେ ସ୍ୱୟଂ ମହାଦେବ ତାରକ ମନ୍ତ୍ର ଶୁଣାଇଥାନ୍ତି। ଏହି ମନ୍ତ୍ର ମାଧ୍ୟମରେ ଆତ୍ମାକୁ ମୋକ୍ଷ ପ୍ରାପ୍ତିର ମାର୍ଗ ମିଳିଥାଏ ବୋଲି ଭକ୍ତଙ୍କ ବିଶ୍ୱାସ। ଏଥିପାଇଁ କାଶୀକୁ ମୁକ୍ତିର ନଗରୀ ଏବଂ ମହାଦେବଙ୍କ ନଗରୀ ବୋଲି ମଧ୍ୟ କୁହାଯାଏ।

କାଶୀରେ ଏପରି ଲୋକଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଆଶ୍ରୟସ୍ଥଳ। ଏହା ମଧ୍ୟରେ ରହିଛି ମୁକ୍ତି ଭବନ। ଏଠାକୁ ଦେଶର ବିଭିନ୍ନ ସ୍ଥାନରୁ ବୟସ୍କ ଏବଂ ଜୀବନର ଶେଷ ସମୟରେ ପହଞ୍ଚିଥିବା ଲୋକେ ଆସି ରହିଥାନ୍ତି। ନିଜର ଶେଷ ନିଶ୍ୱାସ କାଶୀ ମାଟିରେ ତ୍ୟାଗ କରିବା ସହ ମୋକ୍ଷ ଲାଭ କରିବା ସେମାନଙ୍କର ଆଶା ଥାଏ।ଏଠାକାର ପରିବେଶ ମଧ୍ୟ ଅନ୍ୟ ସ୍ଥାନଠାରୁ ଭିନ୍ନ। ମନ୍ଦିରର ଘଣ୍ଟି ଶବ୍ଦ, ଗଙ୍ଗା ଆଳତି, ଶିବ ନାମର ଜପ ଏବଂ ଭଜନ କୀର୍ତ୍ତନ ମଧ୍ୟରେ ଲୋକେ ନିଜର ଅବଶିଷ୍ଟ ଜୀବନ ବିତାଇବାକୁ ଚାହାନ୍ତି। ଏଠାକୁ ଆସୁଥିବା ଅନେକଙ୍କ ପାଇଁ ଏହା କେବଳ ଏକ ରହିବା ସ୍ଥାନ ନୁହେଁ, ବରଂ ଜୀବନର ଶେଷ ଅଧ୍ୟାୟକୁ ଆଧ୍ୟାତ୍ମିକତା ସହ ବିତାଇବାର ଏକ ଅବସର। ସାଧାରଣତଃ ମଣିଷ ମୃତ୍ୟୁକୁ ଭୟ କରେ। କିନ୍ତୁ କାଶୀରେ ମୃତ୍ୟୁକୁ ନେଇ ରହିଛି ଏକ ଭିନ୍ନ ଭାବନା । ଏଠାରେ ମୃତ୍ୟୁକୁ ଅନ୍ତ ନୁହେଁ, ବରଂ ମୋକ୍ଷ ପ୍ରାପ୍ତିର ଏକ ମାର୍ଗ ଭାବେ ଦେଖାଯାଏ। ବୋଧହୁଏ ସେଥିପାଇଁ ଜୀବନର ଶେଷ ମୁହୂର୍ତ୍ତରେ ମଧ୍ୟ ହଜାର ହଜାର ଲୋକଙ୍କ ମନରେ ରହିଥାଏ ଗୋଟିଏ ଇଚ୍ଛା... ଶେଷ ନିଶ୍ୱାସଟି କାଶୀରେ ନେବା ।

source:prameya news


Related News