ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: କାର୍ଯ୍ୟକାରୀ ହେବ ଶିକ୍ଷକ, ଅଣଶିକ୍ଷକଙ୍କ ୧୫ ଦାବି

ରାଜ୍ୟ

ଭୁବନେଶ୍ୱର,୧୪।୧୧(ସୁନିତ୍‌ ମିଶ୍ର):ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରୀ ସଂଘଗୁଡ଼ିକର ୧୫ ଦାବିକୁ ରାଜ୍ୟ ସରକାରୀ କାର୍ଯ୍ୟକାରୀ କରିବେ। ସଂଘଗୁଡ଼ିକର ବିଭିନ୍ନ ଦାବିକୁ ଅନୁଶୀଳନ ଲାଗି ସରକାର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ(ଅବସରପ୍ରାପ୍ତ) ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଉକ୍ତ କମିଟିର ସୁପାରିସକୁ ସମ୍ପୃକ୍ତ ବିଭାଗଦ୍ୱୟ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତାକରି ୧୫ଟି ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ଦାବିଗୁଡ଼ିକ ମଧ୍ୟରେ ୨୦୧୩ ସରକାରୀ ବ୍ଲକ୍‌ ଗ୍ରାଣ୍ଟର ଅନୁଦାନରୁ ବଞ୍ଚିତ ୧୯୪ଟି ଉଚ୍ଚ ବିଦ୍ୟାଳୟକୁ ଅନୁଦାନଭୁକ୍ତ କରାଯିବା ସହ ସରକାରୀ ସ୍କୁଲରେ ପାର୍ଟ ଟାଇମ୍‌ କଳା, ସଙ୍ଗୀତ ଓ କ୍ରୀଡ଼ା ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ ୧୦ ହଜାରରୁ ୧୬ ହଜାର ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି।

ସେହିପରି ୬ ବର୍ଷ ପୂରଣକରି ୨୦୨୨ରେ ନିୟମିତ ହୋଇଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଟିଜିଟି ଓ ପିଇଟି ଶିକ୍ଷକମାନଙ୍କୁ ବକେୟା ଦରମା ପ୍ରଦାନ କରିବା, ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ ପଦୋନ୍ନତି ଦେବା, ୨୦୧୬ରୁ ୨୦୧୮ ମଧ୍ୟରେ ନିଯୁକ୍ତ ଶିକ୍ଷା ସହାୟକମାନଙ୍କୁ ନିୟମିତ କରିବା, ପ୍ରଥମା ଓ ମଧ୍ୟମା ସଂସ୍କୃତ ଟୋଲ୍‌ଗୁଡିକରେ ନିୟମିତ ଶିକ୍ଷକ ନିଯୁକ୍ତ କରିବା, ସରକାରୀ ବିଦ୍ୟାଳୟରେ ଚାକିରି କରିଥିବା କ୍ଲାସିକାଲ ଶିକ୍ଷକମାନଙ୍କୁ ଟ୍ରେଣ୍ଡ୍‌ ଗ୍ରାଜୁଏଟ(ଟିଜି) ଶିକ୍ଷକ ଯୋଗ୍ୟତା ସାରଣୀରେ ଅନ୍ତର୍ଭୁକ୍ତ କରିବା, ଧନ୍ଦାମୂଳକ ପ୍ରଶିକ୍ଷକଙ୍କୁ ନିୟମିତ ଭାଗରେ ବେତନ ପ୍ରଦାନ କରିବା, ଓଡ଼ିଶା କନିଷ୍ଠ ଶିକ୍ଷକଙ୍କୁ ଅଧିକ ଯୋଗ୍ୟତା ହାସଲ କରିବାକୁ ସୁଯୋଗଦେବା, ଆଦର୍ଶ ବିଦ୍ୟାଳୟର ସମସ୍ତ ଆବାସିକ ଛାତ୍ରାବାସକୁ ସମ୍ପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରିବା, ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ନିୟମିତ ଦରମା ପାଇବାର ବ୍ୟବସ୍ଥା କରିବା, ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କ ପିଲାଙ୍କୁ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ବ୍ୟବସ୍ଥା କରିବା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ନିଯୁକ୍ତ ଟିଜିଟି ଶିକ୍ଷକମାନଙ୍କ ପୂର୍ବ ଚାକିରିର ଗଣତି ଓ ବେତନର ସୁରକ୍ଷା କରିବା ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଏଆଇ ଓ ରୋବୋଟିକ୍ସ ପରୀକ୍ଷାଗାର ଖୋଲିବା ଆଦି ବିଷୟରେ ନିଷ୍ପତ୍ତି କରାଯାଇଛି। ବୈଠକରେ ବ୍ଲକ୍‌ ଗ୍ରାଣ୍ଟ କର୍ମଚାରୀମାନଙ୍କ ପେନ୍‌ସନ ଦାବି ଉପରେ ମଧ୍ୟ ଆଲୋଚନା ହୋଇଛି। ଯେହେତୁ ଏହା ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟଙ୍କ ସକ୍ରିୟ ବିଚାରାଧୀନ ଅଛି, ତେଣୁ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶପ୍ରାପ୍ତି ଦେବାପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି।

-ଅନୁଦାନଭୁକ୍ତ ହେବ ବ୍ଲକ ଗ୍ରାଣ୍ଟ ଅନୁଦାନରୁ ବଞ୍ଚିତ ୧୯୪ ଉଚ୍ଚ ବିଦ୍ୟାଳୟ
-କଳା, ସଙ୍ଗୀତ ଓ କ୍ରୀଡ଼ା ଶିକ୍ଷକଙ୍କ ବେତନ ୧୦ ହଜାରରୁ ୧୬ ହଜାରକୁ ବୃଦ୍ଧି
-୨୦୨୨ରେ ନିୟମିତ ଟିଜିଟି ଓ ପିଇଟିଙ୍କୁ ମିଳିବ ବକେୟା ଦରମା
-ପ୍ରାଥମିକ ଶିକ୍ଷକମାନଙ୍କ ପଦୋନ୍ନତି ନିୟମିତ କରାଯିବ
-୨୦୧୬ରୁ ୨୦୧୮ ମଧ୍ୟରେ ନିଯୁକ୍ତ ଶିକ୍ଷା ସହାୟକମାନଙ୍କୁ ନିୟମିତ କରାଯିବ
-ପ୍ରଥମା ଓ ମଧ୍ୟମା ସଂସ୍କୃତ ଟୋଲ୍‌ଗୁଡ଼ିକରେ ନିୟମିତ ଶିକ୍ଷକ ନିଯୁକ୍ତ ହେବେ
-ଆଦର୍ଶ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ଦରମା ନିୟମିତ କରାଯିବ
-ଆଦର୍ଶ ବିଦ୍ୟାଳୟରେ ପାଠ ପଢିବେ ଆଦର୍ଶ ବିଦ୍ୟାଳୟ କର୍ମଚାରୀଙ୍କ ପିଲା
-ଓଏଭିରେ ଖୋଲାଯିବ ଏଆଇ ଓ ରୋବୋଟିକ୍ସ ପରୀକ୍ଷାଗାର

source:dharitri news


Related News