Viral News: ଟିକ୍ଟକ୍ ଭିଡିଓ ସୁଟିଂ ବେଳେ ବାଘୁଣୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ: ଘରୋଇ ଫାର୍ମ ମାଲିକ, କଣ୍ଟେଣ୍ଟ କ୍ରିଏଟର ଗିରଫ
ଇସଲାମାବାଦ,୧୪/୧୧: ପାକିସ୍ତାନର ଲାହୋରରେ ଟିକ୍ଟକ୍ ଭିଡିଓ ସୁଟିଂ ସମୟରେ ବାଘୁଣୀ ଆକ୍ରମଣରେ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ବୁଧବାର ଏହି ଘଟଣା ଲାହୋରସ୍ଥିତ ଏକ ଘରୋଇ ଫାର୍ମହାଉସ୍ରେ ଘଟିଥିବା ବେଳେ ପୁଲିସ ଫାର୍ମହାଉସ୍ର ମାଲିକଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁସାରେ, ଟିକ୍ଟକ୍ କଣ୍ଟେଣ୍ଟ ପ୍ରସ୍ତୁତ କରୁଥିବା ନୌମାନ ହସନ୍ ଭିଡିଓ ସୁଟିଂ ଲାଗି ଫାର୍ମହାଉସ୍ରେ ପହଞ୍ଚିଥିଲେ । ତାଙ୍କ ଅନୁରୋଧ ପରେ ବାଘୁଣୀକୁ ପିଞ୍ଜରାରୁ ବାହାରକୁ ଅଣାଯାଇଥିଲା । ତେବେ ଭିଡିଓ ସୁଟିଂ ସମୟରେ ବାଘୁଣୀଟି ଅଚାନକ ଅଣାୟତ୍ତ ହୋଇପଡ଼ିଥିଲା ଏବଂ ଫାର୍ମହାଉସ୍ର କର୍ମଚାରୀ ତହ୍ଲାଙ୍କ ଉପରେ ଆକ୍ରମଣ କରିଥିଲା । ଗୁରୁତର ଭାବେ ଆହତ ତହ୍ଲାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ପୁଲିସ ଅନୁସାରେ, ପ୍ରାଥମିକ ଭାବେ ଏହି ମାମଲାକୁ ଦବାଇବାକୁ ଉଦ୍ୟମ ହୋଇଥିଲା । ଅଭିଯୁକ୍ତମାନେ ତହ୍ଲାଙ୍କ ଉପରେ କୁକୁର ଆକ୍ରମଣ କରିଥିବା ନେଇ ମିଛକଥା କହିଥିଲେ । କିନ୍ତୁ ତଦନ୍ତରୁ ତାଙ୍କୁ ବାଘ ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଥିଲା । ଏହି ମାମଲାରେ ପୁଲିସ କଣ୍ଟେଣ୍ଟ କ୍ରିଏଟର ନୌମାନ ହସନ୍ ଏବଂ ଫାର୍ମହାଉସ୍ର ମାଲିକ ଫୈୟାଜଙ୍କୁ ଗିରଫ କରିଛି । ଏଥିସହ ବାଘୁଣୀକୁ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।
source:prameya news


