India stock market: ୭%ରୁ ଅଧିକ ଅଭିବୃଦ୍ଧି, ତଥାପି ସେୟାର ବଜାରରେ ଭାରତ ପଛୁଆ ! କାହିଁକି ଦୂରେଇ ଯାଉଛନ୍ତି ବିଦେଶୀ ନିବେଶକ ?

ବ୍ୟବସାୟ

ନୂଆଦିଲ୍ଲୀ, ୧୩।୧୧: ବିଶ୍ୱ ଶକ୍ତି ବଜାରର ଅସ୍ଥିରତା, ବର୍ଦ୍ଧିତ ସୁଧ ହାର, ଟାରିଫ ଅନିଶ୍ଚିତତା ଏବଂ ଜଳବାୟୁସମ୍ବନ୍ଧୀୟ ଝଟ୍କାଗୁଡ଼ିକ ସତ୍ତେ୍ୱ ଭାରତୀୟ ଅର୍ଥବ୍ୟବସ୍ଥା ମଜଭୁତ ଭାବେ ଛିଡ଼ା ହୋଇଛି । ୭%ରୁ ଅଧିକ ବିକାଶ ନେଇ ବଢୁଛି ଦେଶର ମୋଟ ଘରୋଇ ଉତ୍ପାଦ । କିନ୍ତୁ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଇକ୍ୱିଟି ବଜାର ମାମଲାରେ ପଛୁଆ ରହିଯାଇଛି । ୨୦୨୬ରେ ଭାରତୀୟ ଇକ୍ୱିଟି ବଜାର ସବୁଠୁ ନିମ୍ନ ପ୍ରଦର୍ଶନକାରୀର ଆଖ୍ୟା ପାଇଛି । କିଛି ସପ୍ତାହ ହେବ ଭାରତୀୟ ପୁଞ୍ଜି ବଜାରରେ ଦେଖାଦେଇଛି ବଡ଼ ଅସ୍ଥିରତା । ନିବେଶକଙ୍କ ମଧ୍ୟରେ ଆଶଙ୍କାର ମାହୋଲ । ୨୫ ବର୍ଷ ମଧ୍ୟରେ ଏଭଳି ହୁଏତ ପ୍ରଥମ ଥର ହୋଇଥିବ, ଯେତେବେଳେ ଲଗାତର ୮ଟି ସପ୍ତାହରେ ଭାରତୀୟ ଇକ୍ୱିଟି ବଜାରର ଦୁଇ ପ୍ରମୁଖ ସୂଚକାଙ୍କ ସେନ୍ସେକ୍ସ ଏବଂ ନିଫ୍ଟି ନିମ୍ନମୁଖୀ ରହିଥିଲା । ଭାରତୀୟ କ୍ଷୁଦ୍ର ନିବେଶକ, ଯେଉଁମାନେ ନିଫ୍ଟିରେ ଟଙ୍କା ଲଗାଇଛନ୍ତି, ସେମାନଙ୍କ ସମ୍ପତ୍ତି ଏ ବର୍ଷ ପାଖାପାଖି ୧୫% ସଂକୁଚିତ ହୋଇଛି । ଭାରତୀୟ ବଜାର ଉପରୁ ଆସ୍ଥା ହରାଉଛନ୍ତି ବିଦେଶୀ ନିବେଶକ । ଗତ ଦୁଇ ବର୍ଷରେ ବିଦେଶୀ ସଂସ୍ଥାଗତ ନିବେଶକ(ଏଫ୍ଆଇଆଇ)ମାନେ ପାଖାପାଖି ୪୦ ବିଲିୟନ ଡଲାର ଭାରତୀୟ ବଜାରରୁ କାଢ଼ି ନେଇଛନ୍ତି ।

ଇକ୍ୱିଟି ବଜାର ପାଇଁ ୫ କେଁ: 

ଅବିରତ ଶକ୍ତି ଝଟ୍‌କା: ଗତ ୮ ମାସ ଧରି ହୋର୍ମୁଜ ଜଳମାର୍ଗରେ ପରିବହନ ଠପ୍ ପଡ଼ିଛି । ଏଭଳି ସ୍ଥିତିରେ ମଧ୍ୟପ୍ରାଚ୍ୟରୁ ତୈଳ ଯୋଗାଣ ବଡ଼ ଆକାରରେ ପ୍ରଭାବିତ । ଯୋଗାଣ ହ୍ରାସ ଯୋଗୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୦ ଡଲାର ଉପରେ । ଏହା କେବେ ସ୍ୱାଭାବିକ ସ୍ତରକୁ ଫେରିବ, ତାହା କହିବା ମୁସ୍କିଲ । ଏହି ଗୋଟିଏ କମୋଡିଟି ବଜାର ଉପରେ ଅତ୍ୟନ୍ତ ପ୍ରତିକୂଳ ପ୍ରଭାବ ପକାଇଥାଏ । ଅଶୋଧିତ ତୈଳ ୭୦ରୁ ୯୦ ଡଲାର ମଧ୍ୟରେ ରହିଲେ ବଜାର ତାହାକୁ ସହ୍ୟ କରିପାରିବ କିନ୍ତୁ ଯେତେବେଳେ ଏହା ବ୍ୟାରେଲ ପିଛା ୧୦୦ ଡଲାର ଉପରକୁ ଚାଲିଯିବ, ମାକ୍ରୋ-ଅର୍ଥନୈତିକ ସ୍ଥିତି ବିଗିଡ଼େ । ମୁଦ୍ରାସ୍ଫୀତି ଏବଂ କମ୍ପାନିଗୁଡ଼ିକର ଲାଭ ଓ ଆୟ ପ୍ରଭାବିତ ହେବା ଫଳରେ ବଜାର ଚାପକୁ ଆସିଯାଏ । ଭାରତ ଏହାର ତୈଳ ଆବଶ୍ୟକତାର ପ୍ରାୟ ୯୦% ଆମଦାନି କରିଥାଏ । ତେଣୁ କୌଣସି ପ୍ରକାର ଶକ୍ତି ଝଟ୍କାର ସର୍ବାଧିକ ପ୍ରଭାବ ଏହା ଉପରେ ପଡ଼ିଥାଏ । ଯଦିଓ ଦିଲ୍ଲୀ ଏହାର ଶକ୍ତି ଊତ୍ସଗୁଡ଼ିକୁ ବିସ୍ତାର କରିଛି ରୁଷ ସହ ତୈଳ କାରବାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୧୦୦% ଟାରିଫ୍ ଧମକ ସ୍ଥିତିକୁ ଅଧିକ ଜଟିଳ କରିଦେଇଛି ।

ବର୍ଦ୍ଧିତ ସୁଧ ହାର: ତୈଳ ଦର ବଢୁଛି । ମୁଦ୍ରାସ୍ଫୀତି ଉପରମୁହାଁ । ଏଥିସହିତ ବିଶ୍ୱର ପ୍ରତ୍ୟେକ କୋଣରେ ସୁଧ ହାର ବଢୁଛି । ଆମେରିକା ସରକାରଙ୍କ ବଣ୍ଡ୍ ଉପରେ ପ୍ରଭାବୀ ସୁଧ ହାର ୫% ଉପରେ ରହିଛି, ଯାହାକି ପାଖାପାଖି ୨୫ ବର୍ଷରେ ସର୍ବୋଚ୍ଚ । ଏଗୁଡ଼ିକୁ ସାଧାରଣତଃ ରିସ୍କ-ମୁକ୍ତ ନିବେଶ ଭାବେ ବିବେଚନା କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି ବିଦେଶୀ ନିବେଶକ ରିସ୍କଯୁକ୍ତ ବଜାର ଯେପରି ଭାରତୀୟ ଇକ୍ୱିଟିରୁ ଦୂରେଇ ରହି ନିରାପଦ ନିବେଶ ଯେପରି ଆମେରିକା ବଣ୍ଡରେ ଅର୍ଥ ଲଗାଉଛନ୍ତି । ଏହା ଭାରତୀୟ ବଜାରକୁ ନିମ୍ନମୁଖୀ କରୁଛି ।

ପାତାଳମୁହାଁ ଟଙ୍କା: ବିଦେଶୀ ନିବେଶକଙ୍କ ପାଇଁ ଅସ୍ଥିର ଟଙ୍କା ପାଲଟିଛି ବଡ଼ ସମସ୍ୟା । କରେନ୍ସି-ଆଡ୍ଜଷ୍ଟେଡ୍ ଡଲାର ଟର୍ମରେ ଭାରତୀୟ ଟଙ୍କାର ପତନ ଯୋଗୁ ସେମାନେ ବଡ଼ ଆକାରରେ କ୍ଷତି ସହିଥାନ୍ତି ।

ମହଙ୍ଗା ଷ୍ଟକ୍: ଗତ ଦୁଇ ବର୍ଷରେ ବଜାରରେ ଆସିଥିବା ସଂଶୋଧନ ଭାରତୀୟ ଷ୍ଟକ୍ଗୁଡ଼ିକର ପ୍ରିମିୟମକୁ ଖସାଇଛି । ଗତ ୧୦ ବର୍ଷର ହାରାହାରି ତୁଳନାରେ ଷ୍ଟକ୍ ଶସ୍ତା ହୋଇଛି । କିନ୍ତୁ ପ୍ରତିଦ୍ୱନ୍ଦ୍ୱୀ ବଜାର ତୁଳନାରେ ଏହା ଅପେକ୍ଷାକୃତ ମହଙ୍ଗା ରହିଛି ।

ଏଆଇ ଫ୍ୟାକ୍ଟର: ଭାରତରେ କ୍ଷୁଦ୍ର କମ୍ପାନିଗୁଡ଼ିକ ଏଆଇ କ୍ଷେତ୍ରରେ ସେତେଟା ଅଗ୍ରଗତି କରିନାହାନ୍ତି । ତେଣୁ ଏହି କମ୍ପାନିଗୁଡ଼ିକରେ ବିଦେଶୀ ପୁଞ୍ଜି ଆସିବା ମୁସ୍କିଲ ପାଲଟିଛି । ଭାରତୀୟ କମ୍ପାନିଗୁଡ଼ିକ ଡାଟା ସେଣ୍ଟର ଏବଂ ଚିପ୍ ଫାବ୍ରିକେଶନ୍ରେ ନିବେଶ କରୁଛନ୍ତି । କିନ୍ତୁ ଦେଶ ଓପନ୍ଏଆଇ, ଆନ୍ଥ୍ରୋପିକ୍ କିମ୍ବା ଚୀନ୍ର ଡିପ୍ସିକ୍ ଭଳି ବିଶ୍ୱସ୍ତରୀୟ ଏଆଇ କମ୍ପାନି ଛିଡ଼ା କରିପାରିନାହିଁ । ଏଣୁ ଭାରତୀୟ ଏଆଇ ଶିଳ୍ପରେ ବିଦେଶୀ ନିବେଶ ଆସୁନାହିଁ । ଭାରତୀୟ ବଜାରରୁ ବିଦେଶୀ ନିବେଶକ ଦୂରେଇ ରହୁଛନ୍ତି ।

source:prameya news


Related News