South Indian film industry: କୋରାପୁଟର ମାୟାଜାଲରେ ସାଉଥ୍ ଇଣ୍ଡଷ୍ଟ୍ରି: ଦେଓମାଳିରୁ ତଳମାଳି... ମତୁଆଲା ଟଲିଉଡ୍

ମନୋରଞ୍ଜନ

ଭୁବନେଶ୍ୱର, ୧୪/୧୧: ଗୋଟିଏ ପରେ ଗୋଟିଏ ସାଉଥ୍ ସିନେମାର ଆଗମନ । ପ୍ରକୃତିର ଭୂସ୍ୱର୍ଗ କୋରାପୁଟର ମାୟାଜାଲରେ ପଡ଼ିଛି ଟଲିଉଡ୍ (ତେଲୁଗୁ) ଇଣ୍ଡଷ୍ଟ୍ରି । ସୁଟିଂ ମାଧ୍ୟମରେ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ, ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ଅଧିକ ପରିଚିତ କରାଇପାରିଛି । ପର୍ଯ୍ୟଟନ ଶିଳ୍ପ ପାଇଁ ସୃଷ୍ଟି କରିଛି ନୂଆ ସମ୍ଭାବନା ।

ଘାଟି : କୋରାପୁଟର ଅପୂର୍ବ ସୌନ୍ଦର୍ଯ୍ୟର ମାୟା ଜାଲରେ ପଡ଼ିଛନ୍ତି ଅନେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ନିର୍ମାତା । ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ‘ଘାଟି’ର ସୁଟିଂ ହୋଇଥିଲା ଜିଲ୍ଲାର ଏକାଧିକ ପ୍ରାକୃତିକ ପରବେଶରେ । କ୍ରିସ୍ ଜଗର୍ଲାମୁଡ଼ିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅନ୍ୟତମ ଆକର୍ଷଣ ଥିଲେ ମାଲାୟାଲମ୍ ଅଭିନେତା ବିକ୍ରମ ପ୍ରଭୁ । ଜିଲ୍ଲାର ମାଛକୁଣ୍ଡ, ଅନକାଡେଲି, ଦେଓମାଳି, ଜୟପୁର ସୂର୍ଯ୍ୟମହଲ ଏବଂ କୋଲାବ ଜଳଭଣ୍ଡାର ଅଞ୍ଚଳରେ ଏହାର ସୁଟିଂ କରାଯାଇଥିଲା । ଚଳଚ୍ଚିତ୍ରରେ ଶୀଳାବତୀ ନାମ୍ନୀ ମହିଳାଙ୍କ ଭୂମିକାରେ ଦମଦାର ଅଭିନୟ କରିଥିଲେ ଅନୁଷ୍କା । ପରିସ୍ଥିତି ଚାପରେ ପଡ଼ି ଜଣେ ମହିଳା କିପରି ଗଞ୍ଜେଇ କାରବାରର ଜଟିଳ ଦୁନିଆରେ ପ୍ରବେଶ କରନ୍ତି ଏବଂ ବଞ୍ଚିବା ପାଇଁ ସଂଘର୍ଷ କରନ୍ତି, ତାହା ଥିଲା କାହାଣୀର ମୁଖ୍ୟ ଆଧାର । ଚଳଚ୍ଚିତ୍ର ନିର୍ମାତା ରାଜୀବ ରେଡ୍ଡୀଙ୍କ ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ରର ପ୍ରାୟ ୫୦ ପ୍ରତିଶତ ସୁଟିଂ ହୋଇଥିଲା ଏଠାରେ । ଅନ୍ୟ ପର୍ଯ୍ୟଟନସ୍ଥଳ ତୁଳନାରେ କୋରାପୁଟର ଅନେକ ସ୍ଥାନ ଏବେବି ଚଳଚ୍ଚିତ୍ର ଜଗତ ପାଇଁ ନୂଆ ଓ ଆକର୍ଷଣୀୟ ହୋଇ ରହିଛି ।

ବାରାଣସୀ : କୋରାପୁଟର ମେଘାଚ୍ଛନ୍ନ ଉପତ୍ୟକା, ଝରଣା ଓ ଦୁର୍ଗମ ଘାଟିର ମନୋରମ ଦୃଶ୍ୟ ‘ବାହୁବଳୀ’ ଓ ‘ଆର୍‌ଆର୍‌ଆର୍‌’ ଭଳି ସଫଳ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲିଙ୍କର ବି ମନ ଜିତିନେଇଛି । ‘ବାରାଣସୀ’ ଭଳି ଚଳଚ୍ଚିତ୍ରର ସୁଟିଂ ପାଇଁ ୨୦୨୫ରେ ଚର୍ଚ୍ଚାର ପରିଧିକୁ ଆସିଥିଲା ସେମିଳିଗୁଡ଼ା ବ୍ଲକ୍ ଅଧୀନ ତାଳମାଳି ପାହାଡ଼ । ସୁପରଷ୍ଟାର ମହେଶ ବାବୁ, ମାଲାୟାଲମ୍ ଅଭିନେତା ପୃଥ୍ୱୀରାଜ ସୁକୁମାରନ୍, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିର୍ଦ୍ଦେଶକ ରାଜାମୌଲିଙ୍କ ଆଗମନୁକୁ ନେଇ ଜିଲ୍ଲାରେ ଚଳଚ୍ଚିତ୍ରପ୍ରେମୀଙ୍କ ମଧ୍ୟରେ ଦେଖାଦେଇଥିଲା ପ୍ରବଳ ଉତ୍ସାହ । ପର୍ଯ୍ୟଟନର ଅନ୍ୟତମ ପ୍ରମୁଖ ଆକର୍ଷଣ ତଳମାଳି ପାହାଡ଼ ସହ ଦେଓମାଳି ଅଞ୍ଚଳରେ ସୁଟିଂ ପାଇଁ ଅନୁମତି ଦେଇଥିଲା ଜିଲ୍ଲା ପ୍ରଶାସନ । ଚଳଚ୍ଚିତ୍ରର ବିଶାଳ ୟୁନିଟ୍‌ରେ ରହିଥିଲେ ପ୍ରାୟ ୫୦୦ ସଦସ୍ୟ । ସେମିଳିଗୁଡ଼ାର ହୋଟେଲ୍ ଓ ଲଜ୍‌ଗୁଡ଼ିକରେ ସେମାନଙ୍କ ରହିବା ପାଇଁ ବ୍ୟାପକ ବୁକିଂ କରାଯାଇଥିଲା । ସୁଟିଂ ବେଳେ ତଳମାଳି ଅଞ୍ଚଳରେ ଜମିଥିଲା ହଜାର ହଜାର ଦର୍ଶକଙ୍କ ଭିଡ ।


କମ୍ରେଡ୍ କଲ୍ୟାଣ : ତେଲୁଗୁ ସିନେମାର ରୂପେଲି ପରଦାରେ ଝଲସୁଛି କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ । ଜିଲ୍ଲାର ବିଭିନ୍ନ ମନୋରମ ସ୍ଥାନରେ ସୁଟିଂ ହୋଇଛି ତେଲୁଗୁ ଚଳଚ୍ଚିତ୍ର ‘କମ୍ରେଡ୍ କଲ୍ୟାଣ’ । ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ହୋଇଛି ଗୋଟିଏ ଗୀତର ସୁଟିଂ । ‘ଡାମରା ରାବି ଦେଲା ଲୋ...' ଭଳି ଓଡ଼ିଆ ସଙ୍ଗୀତର ବ୍ୟବହାର ଚଳଚ୍ଚିତ୍ରକୁ ସ୍ଥାନୀୟ ମାଟିର ଅସ୍ମିତା ଓ ଭାଷା ସହ ଯୋଡ଼ିଛି । ଦେଓମାଳି, ତଳମାଳି, ଦାମନଯୋଡ଼ିର ରେଡ୍‌ମଡ୍ ପଣ୍ଡ ଓ କଫି ବଗିଚାରୁ ଆରମ୍ଭ କରି ନାରାୟଣପାଟଣା, ବନ୍ଧୁଗାଁ ଓ ସେମିଳିଗୁଡ଼ା ବ୍ଲକ୍‌ର ବିଭିନ୍ନ ପ୍ରାକୃତିକ ପରିବେଶରେ ସ୍ଥାନ ପାଇଛି ଚଳଚ୍ଚିତ୍ରର ଅଧିକାଂଶ ଦୃଶ୍ୟ । ଅଭିନେତା ଶ୍ରୀ ବିଷ୍ଣୁ ଓ ଅଭିନେତ୍ରୀ ମହିମା ନମ୍ବିଆରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର କାହାଣୀ ଏ ଅଞ୍ଚଳର ସୁନ୍ଦର ଭୌଗୋଳିକ ପରିବେଶ ଓ ସାମାଜିକ ଜୀବନର ପୃଷ୍ଠଭୂମି ସହ ଯୋଡ଼ିହୋଇ ରହିଛି ।

ସଙ୍କ୍ରାନ୍ତିକି ବସ୍ତୁନ୍ନାମ୍ : ଭେଙ୍କଟେଶ ଦଗ୍ଗୁବାତିଙ୍କ ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ‘ସଙ୍କ୍ରାନ୍ତିକି ବସ୍ତୁନ୍ନାମ୍’ର ବି କିଛି ଦୃଶ୍ୟ ସୁଟିଂ ହୋଇଥିଲା କୋରାପୁଟ ଜିଲ୍ଲାର ବାଲଡା ଗୁମ୍ଫା ଅଞ୍ଚଳରେ । ଗୁମ୍ଫା ଓ ଏହାର ଆଖପାଖ ପାହାଡ଼ିଆ ଦୃଶ୍ୟ ଚଳଚ୍ଚିତ୍ରର ଦୃଶ୍ୟପଟକୁ ଅଧିକ ଆକର୍ଷଣୀୟ କରିଥିଲା । ସୁଟିଂ ସମୟରେ ଚଳଚ୍ଚିତ୍ର ୟୁନିଟ୍ ପକ୍ଷରୁ ସ୍ଥାନୀୟ ଲୋକଙ୍କର ବି ନିଆଯାଇଥିଲା ସହଯୋଗ । ଅଞ୍ଚଳର ଭୌଗୋଳିକ ପରିବେଶକୁ ଧ୍ୟାନରେ ରଖି ସିନେମା ସୁଟିଂ ହୋଇଥିଲା । ମୀନାକ୍ଷୀ ଚୌଧୁରୀ ଓ ଐଶ୍ୱର୍ଯ୍ୟା ରାଜେଶ ବି ରହିଥିଲେ ପ୍ରମୁଖ ଭୂମିକାରେ । ଅନିଲ ରାଭିପୁଡ଼ିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାରେ କୋରାପୁଟରେ ପାହାଡ଼, ଗୁମ୍ଫା, ଜଙ୍ଗଲ, ଝରଣା, ଉପତ୍ୟକା ଓ ଗ୍ରାମୀଣ ପରିବେଶ ଅଧିକ ଜୀବନ୍ତ ହୋଇଥିଲା । ବାଲ୍‌ଡା ଗୁମ୍ଫା ପ୍ରମୁଖ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ଉଭା ହୋଇଥିଲା ।

ପୁଷ୍ପା-୨ : କେବଳ କୋରାପୁଟ ନୁହେଁ । ମାଲକାନଗିର ଜିଲ୍ଲାର ରାଶି ରାଶି ପ୍ରାକୃତିକ ସୌନ୍ଦର୍ଯ୍ୟ ବି ଦକ୍ଷିଣ ଭାରତୀୟ ସିନେ ନିର୍ମାତାଙ୍କୁ ଟାଣି ଆଣିଥିଲା ଏଠାକୁ । ସୁକୁମାରଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ‘ପୁଷ୍ପା-୨’ର କିଛି ଦୃଶ୍ୟ ସୁଟିଂ ହୋଇଥିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ସମେତ କାଲିମେଳା ବ୍ଲକର ପୋଲେରୁ ଓ ମାନ୍ୟମକୋଣ୍ଡା ଅଞ୍ଚଳରେ । ୨୦୨୩ରେ ପୋଲେରୁ ଘାଟ ଓ ଆଖପାଖ ଅଞ୍ଚଳରେ ଚଳଚ୍ଚିତ୍ର ଟିମ୍ ପକ୍ଷରୁ ନିର୍ମାଣ କରାଯାଇଥିଲା ସୁଟିଂ ସେଟ୍ । ସିନେମାର ମୁଖ୍ୟ ଭୂମିକାରେ ଥିଲେ ଆଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା । ଜଣେ ଶ୍ରମିକ ଶ୍ରେଣୀର ଲୋକ କିଭଳି ଲାଲ୍ ଚନ୍ଦନ କାରବାର ମୋହରେ ପଡ଼ି ଦସ୍ୟୁ ପାଲଟିଯାଉଛି, ତାକୁ ନେଇ ଗତିଶୀଳ ହୋଇଥିଲା ଏହି ଚଳଚ୍ଚିତ୍ର । ଏହାର କେତେକ ଦୃଶ୍ୟ ଜିଲ୍ଲାର ଘାଟି ଅଞ୍ଚଳରେ ସୁଟିଂ ହୋଇଥିଲା ।

source:prameya news


Related News