Gauri Khan Penthouses / ଲଞ୍ଚ ହେଉ ହେଉ ବୁକ୍; ଦୁବାଇରେ ଗୌରୀ ଖାନଙ୍କ ଡିଜାଇନ ପେଣ୍ଟହାଉସ୍ ପାଇଁ ହାଇଡିମାଣ୍ଡ
ଦୁବାଇ: ବଲିଉଡ୍ ବାଦଶାହ ଶାହରୁଖ ଖାନ୍ଙ୍କ ନାଁରେ ଥିବା ଲଗ୍ଜୁରୀ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା । ଲଞ୍ଚ୍ ହେଉ ହେଉ ବିକ୍ରି ହୋଇଗଲା ସମସ୍ତ ଏକ୍ସକ୍ଲୁସିଭ୍ ପେଣ୍ଟହାଉସ୍ । ଦୁବାଇରେ ଲଞ୍ଚ୍ ହୋଇଥିବା 'ଶାହରୁଖ୍ଜ୍ ରେସିଡେନ୍ସେସ୍ ବାଏ ଡାନ୍ୟୁବ୍' ପ୍ରୋଜେକ୍ଟର ସମସ୍ତ ପେଣ୍ଟହାଉସ୍ ପ୍ରଥମ ଦିନରେ ହିଁ ବିକ୍ରି ହୋଇଯାଇଛି। ପ୍ରତ୍ୟେକ ପେଣ୍ଟହାଉସ୍ର ମୂଲ୍ୟ ପ୍ରାୟ ୫.୩୫ ମିଲିୟନ୍ ଆମେରିକୀୟ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୫୦ କୋଟି ଟଙ୍କା ।
ଦୁବାଇର ମାରିଟାଇମ୍ ସିଟିରେ ଏହି ଅତ୍ୟାଧୁନିକ ୱାଟରଫ୍ରଣ୍ଟ ରେସିଡେନ୍ସିଆଲ୍ ପ୍ରୋଜେକ୍ଟ ନିର୍ମାଣ ହେଉଛି। ଏହାର ସ୍ୱତନ୍ତ୍ର ପେଣ୍ଟହାଉସ୍ଗୁଡ଼ିକୁ ଡିଜାଇନ୍ କରିଛନ୍ତି ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ୍ଙ୍କ ପତ୍ନୀ ତଥା ଜଣାଶୁଣା ଇଣ୍ଟେରିୟର ଡିଜାଇନର୍ ଗୌରୀ ଖାନ୍ । ଗୁରୁବାର ଏହି ପ୍ରୋଜେକ୍ଟର ଶୁଭାରମ୍ଭ ହୋଇଥିବା ବେଳେ ଏହି ଅବସରରେ ଶାହରୁଖ ଓ ଗୌରୀ ଖାନ୍ ଉପସ୍ଥିତ ଥିଲେ । ଫିଲ୍ମ ନିର୍ମାତା କରନ ଜୋହର୍ ଏହି ଲଞ୍ଚ୍ କାର୍ଯ୍ୟକ୍ରମର ହୋଷ୍ଟ କରିଥିଲେ ।
- କିଣିବାକୁ ଲାଇନ୍ ଲଗେଇଲେଣି ୫୦୦ ଜଣ
କେବଳ ପେଣ୍ଟହାଉସ୍ ବିକ୍ରି ନୁହେଁ, ଏହି ପ୍ରୋଜେକ୍ଟ ପାଇଁ ସମ୍ଭାବ୍ୟ କ୍ରେତାଙ୍କଠାରୁ ପ୍ରାୟ ୫୦୦ଟି ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ ବା ଆଗ୍ରହ ପତ୍ର ମଧ୍ୟ ମିଳିଛି । ଡାନ୍ୟୁବ୍ ଗ୍ରୁପ୍ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ରିଜୱାନ୍ ସାଜନ୍ ପେଣ୍ଟହାଉସ୍ଗୁଡ଼ିକର ବିକ୍ରି ନେଇ ସୂଚନା ଦେଇଛନ୍ତି । ତେବେ ଏହି ପ୍ରୋଜେକ୍ଟରେ ମୋଟ କେତେଟି ଆବାସିକ ୟୁନିଟ୍ ରହିଛି ଏବଂ ଏହାର ମୋଟ ନିର୍ମାଣ ଖର୍ଚ୍ଚ କେତେ, ସେନେଇ କୌଣସି ସୂଚନା ଦିଆଯାଇନାହିଁ ।
- ୪.୨ କୋଟି ଟଙ୍କାରୁ ଆରମ୍ଭ ଆପାର୍ଟମେଣ୍ଟ
ଏହି ପ୍ରୋଜେକ୍ଟରେ ଆପାର୍ଟମେଣ୍ଟର ମୂଲ୍ୟ ୧.୬୫ ମିଲିୟନ୍ UAE ଦିରହାମ୍ ଅର୍ଥାତ୍ ପ୍ରାୟ ୪.୨ କୋଟି ଟଙ୍କାରୁ ଆରମ୍ଭ ହେଉଛି । ଗ୍ରାହକଙ୍କ ପାଇଁ ୩୦:୭୦ ପେମେଣ୍ଟ ପ୍ଲାନ୍ ମଧ୍ୟ ରଖାଯାଇଛି । ଏହି ଯୋଜନାରେ ଘର ନିର୍ମାଣ ସମୟରେ ୩୦ ପ୍ରତିଶତ ଟଙ୍କା ଦେବାକୁ ପଡ଼ିବ ଏବଂ ବାକି ୭୦ ପ୍ରତିଶତ ଘର ହସ୍ତାନ୍ତର ସମୟରେ ପୈଠ କରିବାକୁ ହେବ।
କେମିତି ରହିଛି ଇଣ୍ଟିରିଅର ଡିଜାଇନ ?
ଗୌରୀ ଖାନ୍ ଏହି ପେଣ୍ଟହାଉସ୍ଗୁଡ଼ିକୁ ଏକ ସ୍ୱତନ୍ତ୍ର ଓ ଆକର୍ଷଣୀୟ ଲୁକ୍ ଦେଇଛନ୍ତି । ୱାଟରଫ୍ରଣ୍ଟର ସୁନ୍ଦର ପରିବେଶକୁ ଧ୍ୟାନରେ ରଖି ଏହାର ଇଣ୍ଟେରିୟରକୁ ଏଲିଗାଣ୍ଟ ଓ ୱାର୍ମ ଲୁକ୍ ଦିଆଯାଇଛି । ଏହାସହ ଏହି ରେସିଡେନ୍ସିଆଲ୍ ପ୍ରୋଜେକ୍ଟରେ ୪୦ରୁ ଅଧିକ ଲାଇଫ୍ଷ୍ଟାଇଲ୍ ସୁବିଧା ରହିବ । ଏଥିରେ କ୍ରାୟୋଥେରାପି, ହାଇପରବାରିକ୍ ଅକ୍ସିଜେନ୍ ଥେରାପି, ରେଡ୍ ଲାଇଟ୍ ଥେରାପି ଏବଂ ଇନ୍ଫ୍ରାରେଡ୍ ସାଉନା ଭଳି ଆଧୁନିକ ୱେଲନେସ୍ ସୁବିଧା ରହିବ । ଏହା ବ୍ୟତୀତ ପିଲାଙ୍କ ପାଇଁ ପ୍ଲେ ଏରିଆ, ସ୍ପୋର୍ଟସ୍ ସୁବିଧା, ଡେ-କେୟାର୍, ସାଇକ୍ଲିଂ ଓ ଜଗିଂ ଟ୍ରାକ୍, ରୁଫ୍ଟପ୍ କିଙ୍ଗ୍ସ କ୍ଲବ୍ ସହ ଏକ ପ୍ରାଇଭେଟ୍ ଜାହାଜ ବ୍ୟବସ୍ଥା ମଧ୍ୟ ରହିଛି । ଏହି ପ୍ରୋଜେକ୍ଟକୁ ଶାହରୁଖ ଖାନ୍ 'ଲିଭିଂ ଲାଇଫ୍ କିଙ୍ଗ୍ ଷ୍ଟାଇଲ୍' ଅର୍ଥାତ୍ ରାଜକୀୟ ଢଙ୍ଗରେ ଜୀବନ ବଞ୍ଚିବାର ଏକ ନୂଆ ଅନୁଭବ ବୋଲି ବର୍ଣ୍ଣନା କରିଛନ୍ତି ।
source:argus news


