ମାଡ଼ି ଆସୁଛି ମହାବିପଦ, ସୃଷ୍ଟି ହେଲା ଗଭୀର ଅବପାତ, ରାତି ଅଧରେ ଏହି ସ୍ଥାନରେ ରଚିବ ତାଣ୍ଡବ !
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଏବେ ଏକ ‘ଗଭୀର ଅବପାତ’ର ରୂପ ନେଇଛି। ଏହା ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୮ କିମି ବେଗରେ ଆଗକୁ ବଢ଼ୁଛି ଏବଂ ବର୍ତ୍ତମାନ ଏହା ଗୋପାଳପୁରଠାରୁ ୯୮୦ କିମି ଏବଂ ବିଶାଖାପାଟନମଠାରୁ ୮୭୦ କିମି ଦୂରରେ ସକ୍ରିୟ ରହିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହା ଆଜି ସନ୍ଧ୍ୟା ସୁଦ୍ଧା ଏକ ବାତ୍ୟା ଏବଂ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏକ ‘ଭୀଷଣ ବାତ୍ୟା’ରେ ପରିଣତ ହେବାର ସମ୍ଭାବନା ରହିଛି।ବାତ୍ୟାର ସମ୍ଭାବ୍ୟ ଗତିପଥ: ବିଭିନ୍ନ ମଡେଲ୍ ଏବଂ ବିଶେଷଜ୍ଞଙ୍କ ଆକଳନ ମୁତାବକ, ସମ୍ଭାବ୍ୟ ବାତ୍ୟା ‘ଅକବାନ୍’ ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି।
ଶିକ୍ଷା ଓ ଅନୁସନ୍ଧାନ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ମତରେ, ଆସନ୍ତା ୧୯ ତାରିଖ ରାତିରେ ଉତ୍ତର ତାମିଲନାଡ଼ୁରୁ ଦକ୍ଷିଣ ଆନ୍ଧ୍ର ଉପକୂଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଭାରତୀୟ ପାଣିପାଗ ବିଭାଗର ପ୍ରାରମ୍ଭିକ ଚିତ୍ରରୁ ମଧ୍ୟ ଏହା ଆନ୍ଧ୍ର ଉପକୂଳ ମୁହାଁ ହେଉଥିବା ସ୍ପଷ୍ଟ ହେଉଛି।
ଆଇଏମଡିର ଆକଳନ ଅନୁଯାୟୀ, ୧୮ ତାରିଖ ବେଳକୁ ଏହା ଏକ ‘ଅତି ଭୀଷଣ ବାତ୍ୟା’ ରୂପ ନେଇସାରିଥିବ। ୧୯ ତାରିଖ ସକାଳ ସାଢ଼େ ୫ଟା ସୁଦ୍ଧା ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି (ଝଟକା ପବନ ୧୩୦ କିମି) ଏବଂ ସନ୍ଧ୍ୟା ସୁଦ୍ଧା ଏହା ବୃଦ୍ଧି ପାଇ ୧୨୦ରୁ ୧୩୦ କିମି (ଝଟକା ପବନ ୧୪୫ କିମି) ପର୍ଯ୍ୟନ୍ତ ପହଞ୍ଚିପାରେ।
ଓଡ଼ିଶା ଉପରେ ପ୍ରଭାବ: ଯଦିଓ ବାତ୍ୟାଟି ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରୁଛି, ତଥାପି ଏହାର ପ୍ରଭାବରୁ ଓଡ଼ିଶାରେ ବର୍ଷା ଓ ପବନର ସମ୍ଭାବନା ରହିଛି । ଓଡ଼ିଶାରେ ଆସନ୍ତା ୧୮ ତାରିଖରୁ ବର୍ଷା ଆରମ୍ଭ ହେବ।
ବିଶେଷକରି ୧୯ ରୁ ୨୧ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶା, ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଓଡ଼ିଶା ଉପକୂଳରେ ୧୯ ତାରିଖ ସନ୍ଧ୍ୟାରୁ ୨୦ ତାରିଖ ସକାଳ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି (ଝଟକା ପବନ ୭୦ କିମି) ପର୍ଯ୍ୟନ୍ତ ରହିପାରେ।
ପ୍ରଭାବିତ ହେବାକୁଥିବା ଅଞ୍ଚଳଗୁଡ଼ିକ ପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ‘ଅରେଞ୍ଜ ୱାର୍ଣ୍ଣିଂ’ ଜାରି କରାଯାଇଛି। ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହୁଥିବାରୁ ନଭେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
source:bhaskar news


