Panchuka 2026 : ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି, କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ, ଭିଡ଼ ନିୟନ୍ତ୍ରଣରେ ରହିବେ କ୍ଲିୟରାନ୍ସ ଟିମ୍
ପୁରୀ, ୧୬/୧୧: ଶ୍ରୀମନ୍ଦିରରେ ଆସନ୍ତା ୨୧ରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ । ଚଳିତ ବର୍ଷ ୪ ଦିନ ଧରି ମହାପ୍ରଭୁ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଶ୍ରୀଜିଉଙ୍କ ଏହି ଦୁର୍ଲଭବେଶ ଦେଖିବା ଲାଗି ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁରକ୍ଷିତ ଦର୍ଶନ ଲାଗି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ରବିବାର କେନ୍ଦ୍ରାଞ୍ଚଳ ଆଇଜି ଡା. ସତ୍ୟଜିତ୍ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଶ୍ରୀ ନାୟକ କହିଛନ୍ତି, ଶ୍ରଦ୍ଧାଳୁ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପୁଲିସର ପ୍ରାଥମିକତା । ସେଥିଲାଗି ବଡ଼ଦାଣ୍ଡ,ସିଂହଦ୍ୱାର, ଶ୍ରୀମନ୍ଦିର ଓ ବାହାରର ସ୍ଥିତି ଅନୁଧ୍ୟାନ କରାଯାଇଛି । ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡରେ ନିର୍ମିତ ବ୍ୟାରିକେଡ୍ରେ ସିଂହଦ୍ୱାରରେ ପହଞ୍ଚିବେ । ସିଂହଦ୍ୱାର, ବାଇଶିପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଦର୍ଶନ ପରେ ଶ୍ରଦ୍ଧାଳୁମାନେ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ଦେଇ ବାହାରକୁ ବାହାରିବେ । ପଞ୍ଚୁକ ୪ ଦିନ ଶ୍ରଦ୍ଧାଳୁମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବାର ବ୍ୟବସ୍ଥା ରହିଛି । ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ଲାଗି କ୍ଲିୟରାନ୍ସ ଟିମ୍ ମୁତୟନ କରାଯିବ । ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ଲାଗି ପାଖାପାଖି ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଆଇଜି । ଏହି ସମୟରେଏସ୍ପି ପ୍ରତୀକ ସିଂଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
source:prameya news


