Bali Jatra 2026: ବାଲିଯାତ୍ରା ପ୍ଲଟ୍‌ ଆବଣ୍ଟନରେ ଦୋମୁହାଁ ନୀତି, ନିଲାମ ନେବେ ଛୋଟ ବ୍ୟବସାୟୀ, ବେସ୍‌ ପ୍ରାଇସ୍‌ରେ ଉଠାଇନେଲା ବ୍ୟବସାୟୀ ସଂଘ

ରାଜ୍ୟ

କଟକ,  ୧୬/୧୧: ଐତିହାସିକ କଟକ ବାଲିଯାତ୍ରାରେ ବ୍ୟବସାୟ ପାଇଁ ପ୍ଲଟ ଖଣ୍ଡିଏ ହାସଲ କରିବାକୁ ଛୋଟ ବ୍ୟବସାୟୀମାନେ ନାକେଦମ୍ ହେଉଛନ୍ତି । ସେମାନଙ୍କୁ ପଞ୍ଜୀକରଣ, ନିଲାମ ଆଦି ବିଭିନ୍ନ ପ୍ରକ୍ରିୟା ଦେଇ ଯିବାକୁ ହେଉଛି । ଭଲ ପ୍ଲଟ୍ ପାଇଁ ନିଲାମ ବ୍ୟବସ୍ଥାରେ ପ୍ରତିଯୋଗିତା କରି ଅଧିକ ଦର ବି ଦେବାକୁ ପଡ଼ୁଛି । ଗୋଟିଏ ପଟେ ସାଧାରଣ ବ୍ୟବସାୟୀଙ୍କୁ ପ୍ଲଟ୍ ପାଇଁ ଜଟିଳ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଜିଲ୍ଲା ପ୍ରଶାସନ ବାଲିଯାତ୍ରା ବ୍ୟବସାୟୀ ସଂଘକୁ ୩୫ ହଜାର ବର୍ଗଫୁଟ୍ ଜମିକୁ ବେସ୍ ପ୍ରାଇସ୍‌ରେ ଟେକି ଦେବା ଘଟଣା ବିବାଦ ସୃଷ୍ଟି କରିଛି । ଏଭଳି ବ୍ୟବସ୍ଥାକୁ ଅନ୍ୟ ବ୍ୟବସାୟୀମାନେ ବିରୋଧ କରିଛନ୍ତି ।

ସେମାନେ ଅଭିଯୋଗ କରିଛନ୍ତି କି, ବ୍ୟବସାୟୀ ସଂଘ ଏହି ଜମିକୁ ତୃତୀୟ ପକ୍ଷକୁ ଅଧିକ ଦାମରେ ଦେବ । ଏହା ଦ୍ୱାରା ପ୍ରଶାସନ ମଧ୍ୟସ୍ଥି ବ୍ୟବସ୍ଥା ପ୍ରୋତ୍ସାହନ ଦେବା ସହ ବାଲିଯାତ୍ରାର ଗୌରବହାନି କରୁଛି ବୋଲି କ୍ଷୋଭ ପ୍ରକାଶ ପାଇଛି । କଟକ ବାଲିଯାତ୍ରାରେ ସାମିଲ ହେବା ପାଇଁ ବର୍ଷ ତମାମ୍ ଅପେକ୍ଷା କରି ବସିଥାନ୍ତି ବ୍ୟବସାୟୀ । ପ୍ରତିବର୍ଷ ମେଳାର ଲୋକପ୍ରିୟତା ବଢୁଥିବାରୁ ବେପାରୀମାନେ ପ୍ରଶାସନର ପ୍ଲଟ୍ ପଞ୍ଜୀକରଣ ତାରିଖକୁ ଚାହିଁ ବସିଥାନ୍ତି । ୱେବ୍ସାଇଟ୍ ଖୋଲିଲେ ପ୍ଲଟ୍ ପଞ୍ଜୀକରଣ କରନ୍ତି ଓ ନିଲାମରେ ଭାଗ ନେଇ ନିଜ ପସନ୍ଦର ଜମି କିଣନ୍ତି । କିନ୍ତୁ ଏ ସବୁ ବ୍ୟବସ୍ଥା ସାଧାରଣ ବ୍ୟବସାୟୀଙ୍କ ଲାଗି ଉଦ୍ଦିଷ୍ଟ ଥାଏ । ଯେଉଁମାନେ ୧୦/୧୦ ପ୍ଲଟ୍ ବୁକିଂ କରି ଦି’ ପଇସା ରୋଜଗାର କରିବାକୁ ଦିନ ରାତି ବାଲିଯାତ୍ରାରେ ଝାଳ ବୁହାଇଥାନ୍ତି । କିନ୍ତୁ କୌଣସି ଘୋଷଣା ନକରି, କାହାର ପରାମର୍ଶ ନନେଇ ଜିଲ୍ଲା ପ୍ରଶାସନ ବାଲିଯାତ୍ରା ବ୍ୟବସାୟୀ ସଂଘକୁ ସିଧାସଳଖ ୩୫ହଜାର ବର୍ଗଫୁଟ୍ ଜମି ଟେକିଦେବାକୁ ନେଇ ବିବାଦ ମୁଣ୍ଡ ଟେକିଛି । ବାଲିଯାତ୍ରା ଭଳି ଏକ ଐତିହାସିକ ମହୋତ୍ସବରେ ଜମି ଆବଣ୍ଟନ ପ୍ରକ୍ରିୟା ସ୍ୱଚ୍ଛ ଓ ସମାନ ହେବା ଆବଶ୍ୟକ । ତେଣୁ ବ୍ୟବସାୟୀ ସଂଘକୁ କେଉଁ ସ୍ୱାର୍ଥରେ ଏତେ ବଡ଼ ପରିମାଣର ଜମି ଦିଆଗଲା ତାକୁ ନେଇ ଅନ୍ୟ ସାଧାରଣ ବ୍ୟବସାୟୀମାନେ ପ୍ରଶ୍ନ ଉଠାଇଛନ୍ତି । ଏନେଇ ବାଲିଯାତ୍ରା ବ୍ୟବସାୟୀ ସଂଘ ସମ୍ପାଦକ ସୁକାନ୍ତ ମହାନ୍ତିଙ୍କ କହିବା କଥା, ଉପଯୁକ୍ତ ସ୍ଥାନ ନମିଳିବାରୁ ପୂର୍ବରୁ ବ୍ୟବସାୟୀମାନେ କ୍ଷତି ସହୁଥିଲେ । ଏଥର ପଡ଼ିଆରେ ଜମି ମିଳିଥିବାରୁ ବିଭିନ୍ନ ସଂସ୍ଥା ବ୍ୟବସାୟ କରି ଲାଭବାନ ହେବେ ଓ ସାଧାରଣ ଗ୍ରାହକ ଶସ୍ତାରେ ସାମଗ୍ରୀ ପାଇବେ ।

ଏଠାରେ ସୂଚନା ଥାଉ କି, ୨୦୨୨ ମସିହାରେ ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସମୟରେ ମଧ୍ୟସ୍ଥି ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା । ଆରମ୍ଭ ହୋଇଥିଲା ନିଲାମ ପ୍ରକ୍ରିୟା । ଛୋଟବଡ଼ ସବୁ ବ୍ୟବସାୟୀ ନିଲାମ ଜରିଆରେ ନିଜ ପସନ୍ଦର ପ୍ଲଟ୍ ନେବେ । ଏବେ ୪ବର୍ଷ ପରେ ପୁଣିଥରେ ପ୍ରଶାସନ ମଧ୍ୟସ୍ଥି ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇଛି । ପ୍ରଶାସନ ପକ୍ଷରୁ ବ୍ୟବସାୟୀ ସଂଘକୁ ବେସ୍ ପ୍ରାଇସ୍ ଅର୍ଥାତ୍ ବର୍ଗଫୁଟ୍ ପିଛା ୬୦ ଟଙ୍କା ଲେଖାଏଁରେ ୩୫ହଜାର ବର୍ଗଫୁଟ୍ ଜମି ଦିଆଯାଇଛି । ଏହି ଜମିକୁ ସଂଘ ବିଭିନ୍ନ କମ୍ପାନୀ, ଉଦ୍ୟୋଗ ଓ ବଡ଼ ବ୍ୟବସାୟୀମାନଙ୍କୁ ବିକ୍ରି କରିବ । ଏହା ଜମି କେତେ ଟଙ୍କାରେ ସଂଘ ଦେବ ତାହାର ହିସାବ କାହା ପାଖରେ ରହିବ ନାହିଁ । ତେଣୁ ଏଭଳି ବ୍ୟବସ୍ଥା ଦ୍ୱାରା ପ୍ରଶାସନର କି ଲାଭ ହେଲା ବୋଲି ଅନ୍ୟ ଛୋଟ ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି । ଏ ବାବଦରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହବ ଶିନ୍ଦେ କହିଛନ୍ତି, ଗ୍ରାହକଙ୍କୁ ଶସ୍ତା ଦରରେ ସାମଗ୍ରୀ ମିଳିବାର ପ୍ରତିଶ୍ରୁତି ମିଳିଥିବାରୁ ସଂଘକୁ ଜାଗା ଦିଆଯାଇଛି । ଏବର୍ଷ ଆମେ ସେମାନଙ୍କ ପ୍ରତିଶ୍ରୁତିକୁ ପରଖିବୁ । ସେହି ଆଧାରରେ ଆଗାମୀ ବର୍ଷ ଏଭଳି ପ୍ରକ୍ରିୟାରେ ଆବଣ୍ଟନ କରାଯିବ କି ନାହିଁ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ ।

source:prameya news


Related News