ଖୋଲା ମଞ୍ଚରୁ ଦିଲଜିତଙ୍କ ଧମକ ! “ହିନ୍ଦୁସ୍ତାନ କାହା ବାପାର ନୁହେଁ”

ମନୋରଞ୍ଜନ

ଇନ୍ଦୋର : ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଜ କହିଛନ୍ତି ଯେ, ଇନ୍ଦୋରରେ ତାଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ନକରିବା ପାଇଁ ଅନେକ ବାଧା ସୃଷ୍ଟି କରାଯାଇଥିଲା। ତଥାପି ସେ ଭୟ ନକରି ଇନ୍ଦୋରରେ ପହଞ୍ଚିଥିଲେ ଏବଂ ପ୍ରଶଂସକଙ୍କୁ ଦେଇଥିବା କଥା ରଖିଥିଲେ। ମଞ୍ଚରୁ ସେ ଲୋକପ୍ରିୟ ଗାୟକ ରାହତ ଇନ୍ଦୋରୀଙ୍କ କବିତାର ଧାଡ଼ି ‘କିସି କେ ବାପ୍ କା ହିନ୍ଦୁସ୍ତାନ ଥୋଡ଼ି ହୈ’ ଗାନ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଦିଲଜିତ୍ ଦର୍ଶକମାନଙ୍କୁ ‘ଜୟ ଶ୍ରୀ ମହାକାଳ’ ନାରା ଦେବାକୁ କହିଥିଲେ। ଏହାପରେ ସେ କହିଥିଲେ, “ଏହା ମହାକାଳଙ୍କ ପବିତ୍ର ଭୂମି। ଆମକୁ ଏଠାକୁ ଆସିବାରୁ କେହି ରୋକି ପାରିବେ ନାହିଁ। ଆମେ ଆଗରୁ ଡରିନଥିଲୁ କି ଆଜି ମଧ୍ୟ ଡରୁନାହୁଁ। ଆପଣମାନେ ମଧ୍ୟ କାହିଁକି ଡରିବେ? ଆପଣମାନଙ୍କ ଭଲପାଇବା ଓ ସମର୍ଥନ ଯୋଗୁଁ ଆଜି ଆମେ ଏଠାରେ ପହଞ୍ଚିଛୁ।”

୪୨ ବର୍ଷୀୟ ଦିଲଜିତ୍ କହିଥିଲେ ଯେ, ଇନ୍ଦୋର ଆସିବାକୁ ନେଇ ତାଙ୍କୁ ଅନେକ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କୁ ରୋକିବା ପାଇଁ ବିଭିନ୍ନ ଉଦ୍ୟମ ହୋଇଥିଲେ ମଧ୍ୟ ସେ ନିଜ ନିଷ୍ପତ୍ତି ବଦଳାଇନଥିଲେ।

ସେ କହିଥିଲେ, “ମୋତେ ଏଠାକୁ ଆସିବାରୁ ରୋକିବା ପାଇଁ ବହୁତ ଚେଷ୍ଟା କରାଯାଇଥିଲା। କିନ୍ତୁ ମୁଁ ଆସିଛି। ମୁଁ ଥରେ କାହାକୁ ଆସିବି ବୋଲି କଥା ଦେଲେ, ଯେକୌଣସି ପରିସ୍ଥିତିରେ ସେହି କଥା ରଖେ।” ସମସ୍ତ ବାଧାବିଘ୍ନ ସତ୍ତ୍ୱେ ସେ ମଞ୍ଚରେ ଉପସ୍ଥିତ ହୋଇଥିବା କଥା ମଧ୍ୟ କହିଥିଲେ।

ଏହି ଅବସରରେ ସେ ପ୍ରସିଦ୍ଧ ଗାୟକ ରାହତ ଇନ୍ଦୋରୀଙ୍କ ଗଜଲ୍‌ର କିଛି ପଙ୍କ୍ତି ପାଠ କରିଥିଲେ। ସେଥିରେ ଥିବା ‘ଅଗର୍ ଖିଲାଫ୍ ହୈଁ ହୋନେ ଦୋ, ଜାନ୍ ଥୋଡ଼ି ହୈ…’ ଏବଂ ‘ସଭି କା ଖୂନ୍ ହୈ ସାମିଲ୍ ୟହାଁ କି ମିଟ୍ଟି ମେଁ, କିସି କେ ବାପ୍ କା ହିନ୍ଦୁସ୍ତାନ ଥୋଡ଼ି ହୈ’ ଧାଡ଼ିଗୁଡ଼ିକୁ ସେ ଦୋହରାଇଥିଲେ।

ଏହି କବିତା ମାଧ୍ୟମରେ ସେ କହିବାକୁ ଚାହିଁଥିଲେ ଯେ, ଦେଶର ମାଟିରେ ସବୁ ଲୋକଙ୍କ ଅବଦାନ ଓ ତ୍ୟାଗ ରହିଛି। ଭାରତ କୌଣସି ଜଣେ ବ୍ୟକ୍ତିଙ୍କର ନୁହେଁ, ଏହା ସମସ୍ତଙ୍କର ଦେଶ।

ଦିଲଜିତ୍‌ଙ୍କ ଇନ୍ଦୋର କାର୍ଯ୍ୟକ୍ରମ ପୂର୍ବରୁ ବୋମା ବିସ୍ଫୋରଣ କରିବା ନେଇ ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା। ଇନ୍ଦୋର ମେୟରଙ୍କ କାର୍ଯ୍ୟାଳୟ ସହିତ ତିନୋଟି ବ୍ୟାଙ୍କ ଓ ତିନୋଟି ଘରୋଇ ସ୍କୁଲକୁ ଏହି ଇ-ମେଲ୍ ମିଳିଥିଲା।

ଏହି ଧମକକୁ ନେଇ ପୁଲିସ ତଦନ୍ତ କରିଥିଲା। ତଦନ୍ତ ପରେ ପ୍ରାଥମିକ ଭାବେ ଏହି ଧମକଗୁଡ଼ିକୁ ମିଥ୍ୟା ବୋଲି ପୁଲିସ କହିଥିଲା।

ତେବେ ବିଭିନ୍ନ ବିରୋଧ ଓ ଧମକ ସତ୍ତ୍ୱେ ଇନ୍ଦୋରରେ କାର୍ଯ୍ୟକ୍ରମ କରିବା ଏବଂ ପ୍ରଶଂସକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଘଟଣା ଏବେ ଚର୍ଚ୍ଚାରେ ରହିଛି।

source:bhaskar news


Related News