Bali Jatra 2026: ଏଥର ଡ୍ରାଗନ୍ ବୋଟ୍ ପ୍ରତିଯୋଗିତା, କେରଳରୁ ଆସିଲା ୧୦ ବୋଟ୍, ଭାଗ ନେବେ ୬୦୦ ଖେଳାଳି
କଟକ,୧୭/୧୧: ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଦେଖିବାକୁ ମିଳିବ ରୋମାଞ୍ଚକର ଜଳକ୍ରୀଡ଼ା । ଦ୍ରୁତଗତିରେ ଜଳକୁ ଚିରି ଆଗକୁ ବଢ଼ିବ ଡ୍ରାଗନ୍ ବୋଟ୍ । ଏଥିପାଇଁ ଆସନ୍ତା ୨୯ ଓ ୩୦ ତାରିଖରେ ମହାନଦୀରେ ଆୟୋଜିତ ହେବ ଜାତୀୟ ଡ୍ରାଗନ୍ ବୋଟ୍ ପ୍ରତିଯୋଗିତା । ଏଥିରେ ଦେଶର ୨୬ଟି ରାଜ୍ୟରୁ ପ୍ରାୟ ୬୦୦ ଖେଳାଳି ଅଂଶଗ୍ରହଣ କରିବେ । ପ୍ରତିଯୋଗିତା ପାଇଁ କେରଳରୁ ସ୍ୱତନ୍ତ୍ର ଭାବେ ଫାଇବର୍ ନିର୍ମିତ ୧୦ଟି ଡ୍ରାଗନ୍ ବୋଟ୍ ଅଣାଯାଇଛି ।
ପ୍ରତ୍ୟେକ ବୋଟ୍ରେ ୨୨ ଜଣ ବସିବାର ବ୍ୟବସ୍ଥା ରହିଛି । ସେଥିରୁ ୨୦ ଜଣ ପ୍ୟାଡେଲ୍ ଚାଳନା କରୁଥିବାବେଳେ ଆଗରେ ଜଣେ ଡ୍ରମର୍ ଓ ପଛରେ ଜଣେ ଚାଳକ ରହିବେ । ଡ୍ରମରଙ୍କ ତାଳ ସହ ଖେଳାଳିମାନେ ସମନ୍ୱୟ ରକ୍ଷା କରି ପ୍ୟାଡେଲ୍ ଚାଳନା କରିବେ । ୨୦୦, ୫୦୦ ଓ ୧୦୦୦ ମିଟର ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । କେରଳର ଢାଞ୍ଚାରେ ଏହି ବୋଟ୍ ରେସିଂ ଆୟୋଜନ କରାଯିବ । ମହାନଦୀର ଜଳରାଶିରେ ଦେଶର ବିଭିନ୍ନ ରାଜ୍ୟର ଖେଳାଳିଙ୍କ ମଧ୍ୟରେ ହେବ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା । ଏହି ଆୟୋଜନ ମାଧ୍ୟମରେ କଟକରେ ଜଳକ୍ରୀଡ଼ାକୁ ନୂଆ ପରିଚୟ ଦେବା ସହ ମହାନଦୀକୁ ଜାତୀୟ ସ୍ତରୀୟ ଜଳକ୍ରୀଡ଼ାର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବାର ଆଶା ରହିଛି ।
source:prameya news


