Cyclone Alert : ବାତ୍ୟା ମୁକାବିଲା ପାଇଁ ଗଞ୍ଜାମରେ ଜୋରଦାର ପ୍ରସ୍ତୁତି, ଜାରି ହେଲା ହେଲ୍ପ ଲାଇନ୍ ନମ୍ବର

ରାଜ୍ୟ

ଭୁବନେଶ୍ଵର, ୧୭/୧୧ : ସମ୍ଭାବ୍ୟ ବାତ୍ୟା ଅକଭାନ୍‌ ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ୭୦୦ ସ୍ଥାନରୁ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ  ଚିହ୍ନଟ କରାଯାଇଛି । ଆଜିଠୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ଆଜି ଗଞ୍ଜାମ ଜିଲ୍ଲାକୁ ୧୨ ଓଡ୍ରାଫ ଓ ୩ ଏନଡିଆରଏଫ ଟିମ୍ ଆସିବେ । ବାତ୍ୟାର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ବ୍ଲକ ସ୍ତରରେ ଆଗୁଆ ପ୍ରସ୍ତୁତି ପାଇଁ ବ୍ଲକ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୭ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଶୁଦ୍ଧ ପାନୀୟ ଜଳ ଓ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ରଖିବା ପାଇଁ ମଧ୍ୟ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।

ସେପଟେ ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ ନମ୍ବର । ହେଲ୍ପ ଲାଇନ୍ ନମ୍ବର ହେଉଛି  7608880480 । କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଏହି ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି ବିଇଏମସି ।

ସମୁଦ୍ର ଅଶାନ୍ତ ଥିବା ଯୋଗୁଁ ମତ୍ସ୍ୟଜୀବୀମାନେ ଫେରି ଆସୁଛନ୍ତି । ୧୬ ଶହରୁ ଅଧିକ ଡ଼ଙ୍ଗା କୂଳରେ ରହିଛି । ମତ୍ସ୍ୟଜୀବୀମାନେ ନିଜ ଡ଼ଙ୍ଗା ଓ ଜାଲକୁ ସୁରକ୍ଷିତ ଭାବେ ରଖୁଛନ୍ତି । ଜାଲ ନଷ୍ଟ ହୋଇଯିବା ଭୟରେ ସେଗୁଡିକୁ ଘରକୁ ନେଇଯାଉଛନ୍ତି । ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟିରେ ଦୁଇଟି ଆନ୍ଧ୍ର ଟ୍ରଲର ପହଁଚିଛି । ସେମାନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ଦିଆଯାଇଛି । ସାଗର ମିତ୍ରମାନେ ସ୍ଥିତି ଉପରେ ନଜର ରଖିଛନ୍ତି । ଦୁଇ ଟ୍ରଲରରେ ୧୪ଜଣ ମତ୍ସ୍ୟଜୀବୀ ରହିଛନ୍ତି ।

source:prameya news


Related News