Iran Economic Crisis : ଯୁଦ୍ଧ ଯନ୍ତ୍ରଣାରେ ଛଟପଟ ଇରାନ ! ଭୁଶୁଡ଼ିଲା ଅର୍ଥନୀତି, ବଞ୍ଚିବାକୁ ଅଙ୍ଗ ବିକୁଛନ୍ତି ଲୋକେ
ନୂଆଦିଲ୍ଲୀ, ୧୭/୧୧ : ମଧ୍ୟପ୍ରାଚ୍ୟରେ ଥମୁନାହିଁ ଯୁଦ୍ଧ । ଲମ୍ବା ସମୟ ଧରି ଚାଲିଥିବା ଯୁଦ୍ଧ ଯୋଗୁ ଭୟଙ୍କର ଅର୍ଥନୈତିକ ଚାପ ମଧ୍ୟରେ ଗତି କରୁଛି ଇରାନ । ଏହି ସଂକଟ ବେଳେ ଋଣ ବୋଝରେ ବୁଡ଼ିଛନ୍ତି ଲୋକେ । ବୋଝକୁ ଲାଘବ କରିବା ପାଇଁ ତଥା ମୌଳିକ ଆବଶ୍ୟକତା ପୂରଣ ଲାଗି ସେମାନେ କିଡ୍ନୀ, ବୋନ୍ ମ୍ୟାରୋ, ଅଣ୍ଡକୋଷ ଏବଂ ସ୍ୱଚ୍ଛପଟଳ ଭଳି ଶରୀର ଅଙ୍ଗ ବିକ୍ରି କରୁଛନ୍ତି । ଇରାନ ଇଣ୍ଟର୍ନ୍ୟାସ୍ନାଲ ପକ୍ଷରୁ ହୋଇଥିବା ଏକ ଯାଞ୍ଚରୁ ଏଭଳି ଏକ ଅନ୍ଲାଇନ୍ ବଜାରର ସୂଚନା ମିଳିଛି, ଯେଉଁ ବଜାରରେ ଆର୍ଥିକ ଚାପରେ ଥିବା ଇରାନ ଲୋକମାନେ ବିକ୍ରି ନିମନ୍ତେ ସେମାନଙ୍କ ଶରୀର ଅଙ୍ଗର ବିଜ୍ଞାପନ କରୁଛନ୍ତି । ପରିବାରର ଭବିଷ୍ୟତ ସୁରକ୍ଷା ଲାଗି କିଛି ଲୋକ ସେମାନଙ୍କ ଶରୀରର ଅତି ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ବିକ୍ରି କରିବା ପାଇଁ ବି ପଛଘୂଞ୍ଚା ଦେଉନାହାନ୍ତି ।
ପ୍ରକାଶଯୋଗ୍ୟ, ମଧ୍ୟପ୍ରାଚ୍ୟରେ ଲମ୍ବା ସମୟ ଧରି ଚାଲିଥିବା ଯୁଦ୍ଧ, ଆମେରିକା ଦ୍ୱାରା ହୋର୍ମୁଜ ବନ୍ଦ ଏବଂ ଅନ୍ୟାନ୍ୟ କଟକଣା ମଧ୍ୟରେ ଇରାନ ଅର୍ଥନୀତିର ଅବସ୍ଥା ସାଂଘତିକ ହୋଇଯାଇଛି । ତେହରାନ ଏବଂ ୱାଶିଂଟନ ମଧ୍ୟରେ ଚାଲିଥିବା ଯୁଦ୍ଧ କେବେ ବନ୍ଦ ହେବ ତାହାକୁ ନେଇ କିଛି ସ୍ପଷ୍ଟ ଚିତ୍ର ମିଳୁନାହିଁ । ସାଧାରଣ ଇରାନ ନାଗରିକମାନଙ୍କ ଉପରେ ଅର୍ଥନୈତିକ ଅନିଶ୍ଚିତତାର ପ୍ରଭାବ କେତେଦିନ ରହିବ, ତାହାକୁ ନେଇ ପ୍ରଶ୍ନବାଚୀ ରହିଛି ।
ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଚେତାବନୀ ଦେଇଛନ୍ତି ଯେ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଇରାନ ଉପରେ ଚାପ ଜାରି ରହିବ । ଏହା ହେଲେ ଆଗକୁ ଇରାନ ଅର୍ଥନୀତି ଆହୁରି ଖସିବା ନେଇ ଆଶଙ୍କା କରାଯାଉଛି । ଇରାନ ଇଣ୍ଟରନ୍ୟାସ୍ନାଲ ମେ’ରୁ ଅକ୍ଟୋବର ମଧ୍ୟରେ ଏକ ଟେଲିଗ୍ରାମ ଚ୍ୟାନେଲରେ ଦିଆଯାଇଥିବା ୬୦୦ରୁ ଊର୍ଦ୍ଧ୍ୱ ବିଜ୍ଞାପନକୁ ସମୀକ୍ଷା କରିଥିଲା । ପ୍ରତି ୩ରୁ ଗୋଟିଏ ବିଜ୍ଞାପନରେ ଏକରୁ ଅଧିକ ଶରୀର ଅଂଶ ଏବଂ ଶରୀର ଟିସ୍ୟୁକୁ ଅଫର କରାଯାଇଥିବା ଜଣାପଡ଼ିଛି ।
ତାମିଲନାଡୁରେ କନ୍ଧ ଷଷ୍ଠୀ ଉତ୍ସବ, ସପ୍ତମ ଦିନରେ ଭବ୍ୟ ତିରୁକଲ୍ୟାଣମ୍ ସମାରୋହ
source:prameya news


