ଛୋଟ ଦୋକାନୀଙ୍କ ପାଇଁ NPCIର ବଡ଼ ଉପହାର, UPI ଆପଣାଇଲେ ମିଳିବ ୭୫୦ ଟଙ୍କାର ଫାଇଦା! ଜାଣନ୍ତୁ ନୂଆ ଯୋଜନା
ନୂଆଦିଲ୍ଲୀ,୧୭।୧୧: ଦେଶର ଛୋଟ ଦୋକାନୀ ଏବଂ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଏକ ନୂଆ ଯୋଜନା ଆରମ୍ଭ କରିଛି।
‘UPI ବ୍ୟାପାର ସକ୍ଷମ’ (UPI Vyapar Saksham) ନାମକ ଏହି ଯୋଜନା ଅଧୀନରେ ପ୍ରଥମ ଥର ପାଇଁ ନିଜ ଦୋକାନରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଥିବା ଦୋକାନୀଙ୍କୁ ନୂଆ QR କୋଡ ଏବଂ ସାଉଣ୍ଡବକ୍ସ ଲଗାଇବା ପାଇଁ ୩୦୦ ଟଙ୍କାରୁ ୭୫୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ।
ସାଧାରଣତଃ ଦୋକାନୀମାନେ ନିଜ ଦୋକାନରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରିବା ପରେ ସୂଚନା ଦେଉଥିବା ସାଉଣ୍ଡବକ୍ସ ଲଗାଇଥାନ୍ତି। ଏଥିପାଇଁ ସେମାନଙ୍କୁ ପେମେଣ୍ଟ କମ୍ପାନୀଗୁଡ଼ିକୁ ଭଡ଼ା କିମ୍ବା ଚାର୍ଜ ଦେବାକୁ ପଡ଼ିଥାଏ। କିନ୍ତୁ NPCIର UPI ବ୍ୟାପାର ସକ୍ଷମ ଯୋଜନା ଅଧୀନରେ ସାଉଣ୍ଡବକ୍ସ ପାଇଁ ହେଉଥିବା ୭୫୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ NPCI କିମ୍ବା ସରକାର ବହନ କରିବେ। ଫଳରେ ଦୋକାନୀଙ୍କୁ ସାଉଣ୍ଡବକ୍ସ ମାଗଣାରେ କିମ୍ବା ଅତି କମ ମୂଲ୍ୟରେ ମିଳିପାରିବ।
ସେହିପରି ଦୋକାନରେ ପ୍ରଥମ ଥର ପାଇଁ ନୂଆ QR କୋଡ ଲଗାଇବା ଏବଂ ସେଟଅପ କରିବା ପାଇଁ ହେଉଥିବା ୩୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବ୍ୟାଙ୍କ କିମ୍ବା ପେଟିଏମ, ଫୋନ୍ପେ ଭଳି ପେମେଣ୍ଟ କମ୍ପାନୀଗୁଡ଼ିକୁ NPCI ପକ୍ଷରୁ ପ୍ରଦାନ କରାଯିବ। ଅର୍ଥାତ୍ ଏହି ଯୋଜନା ଦ୍ୱାରା ଦୋକାନୀଙ୍କୁ QR କୋଡ ଲଗାଇବା ପାଇଁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।
ତେବେ ଏହି ସୁବିଧା କେବଳ ସେହି ଛୋଟ ଦୋକାନୀମାନଙ୍କୁ ମିଳିବ, ଯେଉଁମାନେ ପୂର୍ବରୁ ନିଜ ଦୋକାନରେ କେବେ ହେଲେ UPI ମାଧ୍ୟମରେ ଟଙ୍କା ଗ୍ରହଣ କରିନାହାନ୍ତି ଏବଂ ପ୍ରଥମ ଥର ପାଇଁ ଏହି ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି।
ଯେଉଁ ଦୋକାନୀମାନେ ପ୍ରଥମ ଥର ପାଇଁ ସାଉଣ୍ଡବକ୍ସ କିମ୍ବା QR କୋଡ ଲଗାଇବାକୁ ଚାହୁଁଛନ୍ତି, ସେମାନେ ଯେଉଁ ବ୍ୟାଙ୍କରେ ନିଜର ଚାଲୁ ଖାତା (Current Account) କିମ୍ବା ସଞ୍ଚୟ ଖାତା (Savings Account) ରଖିଛନ୍ତି, ସେଠାକୁ ଯାଇ ମର୍ଚ୍ଚାଣ୍ଟ QR କୋଡ ଏବଂ ସାଉଣ୍ଡବକ୍ସ ପାଇଁ ଆବେଦନ କରିପାରିବେ।
ଏହା ବ୍ୟତୀତ ନିଜ ସ୍ମାର୍ଟଫୋନରେ Paytm for Business, PhonePe Business, Google Pay for Business କିମ୍ବା BharatPe ଆପ ଡାଉନଲୋଡ କରି ଅନଲାଇନ୍ରେ ମଧ୍ୟ ଆବେଦନ କରିପାରିବେ। ଆବେଦନ କରିବା ପରେ ସମ୍ପୃକ୍ତ କମ୍ପାନୀର ଏଜେଣ୍ଟ ଆପଣଙ୍କ ଦୋକାନକୁ ଆସି QR କୋଡ ଓ ସାଉଣ୍ଡବକ୍ସ ସେଟଅପ କରିଦେବେ।
ଯେତେବେଳେ କୌଣସି ବ୍ୟାଙ୍କ କିମ୍ବା ପେମେଣ୍ଟ କମ୍ପାନୀ ପ୍ରଥମ ଥର ପାଇଁ ଜଣେ ଛୋଟ ଦୋକାନୀଙ୍କୁ UPI ସହ ଯୋଡ଼ିଥାଏ, ସେତେବେଳେ ସମ୍ପୃକ୍ତ କମ୍ପାନୀ NPCIର ପୋର୍ଟାଲରେ ସେହି ଦୋକାନୀଙ୍କ ତଥ୍ୟ ପଞ୍ଜୀକୃତ କରିଥାଏ। ଏହାପରେ ଯଦି ସେହି ଦୋକାନରେ କ୍ରମାଗତ ୨ ମାସ ପର୍ଯ୍ୟନ୍ତ ପ୍ରତି ମାସରେ ଅତି କମ୍ରେ ୨୫ଟି କାରବାର ଏବଂ ୫,୦୦୦ ଟଙ୍କାର ଟ୍ରାଞ୍ଜାକ୍ସନ ପୂରଣ ହୁଏ, ତେବେ NPCI ସମ୍ପୃକ୍ତ ବ୍ୟାଙ୍କ କିମ୍ବା ପେମେଣ୍ଟ କମ୍ପାନୀର ଆକାଉଣ୍ଟକୁ QR କୋଡ ପାଇଁ ୩୦୦ ଟଙ୍କା ଏବଂ ସାଉଣ୍ଡବକ୍ସ ପାଇଁ ୭୫୦ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରିବ।
source:dharitri news


