ବାପା ହେବେ ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି, ଘରକୁ ଆସିବେ କୁନି ଅତିଥି

ମନୋରଞ୍ଜନ

ଭୁବନେଶ୍ୱର ୧୭/୧୧: ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି। ବାପା ହେବାକୁ ଯାଉଛନ୍ତି ଅନୁଭବ। ତାଙ୍କ ପତ୍ନୀ ଜାଗୃତି ଶୁକ୍ଳା ମା' ହେବାକୁ ଯାଉଥିବାରୁ ଏବେ ମହାନ୍ତି ପରିବାରରେ ଖୁସିର ମାହୋଲ। ଏହି ଖୁସିକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ ନିକଟରେ ଆୟୋଜିତ ହୋଇଥିଲା ଜାଗୃତୀଙ୍କର ବେବି ସାୱାର। ଯାହାର ଫଟୋ ଓ ଖବର ଏବେ ଚର୍ଚ୍ଚାକୁ ଆସିଛି। ଅନୁଭବ ଓ ଜାଗୃତି ନିଜ ଜୀବନର ଏହି ଖୁସି ଖବର ଅକ୍ଟୋବର ୧୧ ତାରିଖରେ ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ସେୟାର କରିଥିଲେ। ଏକ ପ୍ରେଗନାନ୍ସି ଟେଷ୍ଟ କିଟ୍ର ଫଟୋ ସେୟାର କରି ଉଭୟ ନିଜ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଥିବା କଥା ଜଣାଇଥିଲେ। ଏହି ପୋଷ୍ଟ ପରେ ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା।ନଭେମ୍ବର ୧୭ରେ ଏହି ଖୁସିର ଅବସରରେ ପାରମ୍ପରିକ ରୀତିନୀତିରେ ବେବି ସାୱାର ସେଲିବ୍ରେଟ କରାଯାଇଛି। ଗର୍ଭବତୀ ମହିଳାଙ୍କୁ ଆଶୀର୍ବାଦ ଦେବା ସହ ଆଗାମୀ ଶିଶୁର ସୁସ୍ଥ ଓ ମଙ୍ଗଳମୟ ଜୀବନ କାମନା କରିଥିଲେ ସମସ୍ତେ । ପରିବାର ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ଉତ୍ସବ ପାଳନ କରାଯାଇଥିଲା ।

ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳା ୨୦୨୫ ମାର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହାପରେ ଏବେ ଦୁହେଁ ପ୍ରଥମଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ଜାଗୃତି ଜଣେ ସାମ୍ବାଦିକା ଓ ଲେଖିକା ଭାବେ ମଧ୍ୟ ପରିଚିତ। ଅନ୍ୟପଟେ ଅନୁଭବ ଓଲିଉଡ୍ର ଜଣେ ଲୋକପ୍ରିୟ ଅଭିନେତା ହେବା ସହ ରାଜନୀତିରେ ମଧ୍ୟ ସକ୍ରିୟ ରହିଛନ୍ତି। ତେବେ ଏହି ଖୁସି ଖବର ପରେ ଏବେ ଅନୁଭବଙ୍କ ପ୍ରଶଂସକମାନେ ନୂଆ ଅତିଥିଙ୍କ ଆଗମନକୁ ଅପେକ୍ଷା କରିଛନ୍ତି | ତେବେ ଅନୁଭବଙ୍କ ଏହି ନୂଆ ଖୁସି ଖବର ସହ ଯୋଡ଼ି ହୋଇଛି ତାଙ୍କ ପୂର୍ବ ବୈବାହିକ ଜୀବନର ଚର୍ଚ୍ଚା। ଦିନେ ଓଲିଉଡ୍ର ଚର୍ଚ୍ଚିତ ଯୋଡ଼ି ଭାବେ ପରିଚିତ ଥିଲେ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ୨୦୧୪ ଫେବ୍ରୁଆରୀ ୮ରେ ଉଭୟ ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା। ୨୦୨୦ରେ ଅନୁଭବ ଛାଡ଼ପତ୍ର ପାଇଁ ଆବେଦନ କରିଥିବାବେଳେ ବର୍ଷା ମଧ୍ୟ ଘରୋଇ ହିଂସା ନେଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଶେଷରେ ୨୦୨୩ ଡିସେମ୍ବରରେ ଓଡ଼ିଶା ହାଇକୋର୍ଟ ଉଭୟଙ୍କ ବିବାହ ବିଚ୍ଛେଦକୁ ମଞ୍ଜୁରୀ ଦେଇଥିଲେ। ଏହାପରେ ୨୦୨୫ ମାର୍ଚ୍ଚରେ ଅନୁଭବ ଜାଗୃତି ଶୁକ୍ଳାଙ୍କ ହାତ ଧରିଥିଲେ। ଆଉ ଏବେ ଦୁହେଁ ନିଜ ଜୀବନର ନୂଆ ଅଧ୍ୟାୟକୁ ସ୍ୱାଗତ କରିବାକୁ ଯାଉଛନ୍ତି।

source:prameya news


Related News