Odisha teacher vacancy : ପ୍ରାଥମିକ ସ୍କୁଲରେ ୫୪ହଜାର ଶିକ୍ଷକ ପଦବି ଖାଲି, ପ୍ରତିବର୍ଷ ଅବସର ନେଉଛନ୍ତି, ହେଲେ ନିଯୁକ୍ତି ନାହିଁ...

ବିଶେଷ

ଭୁବନେଶ୍ଵର, ୧୮/୧୧ (ଶୁଭ୍ରଜିତ ବଳିଆରସିଂହ) : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କଙ୍କରାଇ ଗାଁ ପ୍ରାଥମିକ ସ୍କୁଲ । ଶିକ୍ଷକ ନିଯୁକ୍ତି ଦାବିରେ ୨୫୦ ଛାତ୍ରଛାତ୍ରୀ ଗତ ସପ୍ତାହରେ ରାସ୍ତାରେ ବସି ଆନ୍ଦୋଳନ କଲେ । କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଲଖବାହାଲି ସ୍କୁଲର ୧୧୫ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ । ଏହାକୁ ନେଇ ପିଲାଏ ଆଉ ଅଭିଭାବକ ତାତିଲେ । ଶିକ୍ଷକ ଦିଅନ୍ତୁ ନଚେତ୍ ଆମେ ଧାରଣାରୁ ହଟିବୁ ନାହିଁ ବୋଲି ଚେତାବନୀ ଦେଲେ । ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବଡ଼ବାହାଳ ପଞ୍ଚାୟତ ଉଚ୍ଚ ପ୍ରାଥମିକ ସ୍କୁଲରେ ୯ଟି ଶ୍ରେଣୀକୁ ୩ ଜଣ ଶିକ୍ଷକ । ଏହାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ । ରାଜ୍ୟରେ ପ୍ରାଥମିକ ଶିକ୍ଷାର ଇଏ ହେଲା ବିକଳ ଚିତ୍ର । ଏବେ ସ୍ଥିତି ଏମିତି ଯେ କେଉଁ ସ୍କୁଲରେ ଶିକ୍ଷକ ଅଭାବ ତ ଆଉ କେଉଁଠି ଗୋଟିଏ ଶିକ୍ଷକ ୮ଟି ଶ୍ରେଣୀରେ ପଢ଼ାଉଛନ୍ତି । ୧୪୫୮ଟି ସ୍କୁଲରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି । ପିଲାଏ କହିଲେଣି ଆମକୁ ଭାତ ଓ ଅଣ୍ଡା ନୁହେଁ, ମାଷ୍ଟର ଦିଅନ୍ତୁ ।

ପ୍ରାଥମିକ ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢ଼ା ଯାଉଛି । ସେଥିରେ ପୁଣି ସରକାର ଏବେ ଶିଶୁ ବାଟିକା ଶ୍ରେଣୀ ମଧ୍ୟ ଖୋଲିଛନ୍ତି । ଶିଶୁ ବାଟିକା ପାଇଁ ଗୋଟିଏ ହେଲେ ବି ଶିକ୍ଷକ ନିଯୁକ୍ତି କରାଯାଇନାହିଁ । ପ୍ରାଥମିକ ସ୍କୁଲରେ ପାଞ୍ଚଟି ଶ୍ରେଣୀକୁ ଅତି କମ୍ରେ ୫ଜଣ ଶିକ୍ଷକ ରହିବା କଥା । ସେହିପରି ଉଚ୍ଚ ପ୍ରାଥମିକରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ୩ଟି ଶ୍ରେଣୀ ରହିଛି । ସେହି ଅନୁସାରେ ୩ ଜଣ ଶିକ୍ଷକ ରହିବା କଥା । ହେଲେ ସେହି ଅନୁପାତରେ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ । ବର୍ତ୍ତମାନ ରାଜ୍ୟରେ ୨୬ ହଜାର ୮୯୦ ପ୍ରାଥମିକ ସ୍କୁଲ (ପ୍ରଥମରୁ ପଞ୍ଚମ ଶ୍ରେଣୀ) ରହିଛି । ୫ ଜଣ ଲେଖାଏଁ ଶିକ୍ଷକ ହିସାବକୁ ନେଲେ ୧ ଲକ୍ଷ ୩୪ ହଜାର ୪୫୦ ଶିକ୍ଷକ ରହିବା କଥା । ସେହିପରି ୧୫ ହଜାର ୬୬୩ଟି ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ (ଷଷ୍ଠରୁ ଅଷ୍ଟମ) ଅଛି । ଏହି ସ୍କୁଲରେ ୩ ଜଣ ଲେଖାଏଁ ଶିକ୍ଷକଙ୍କୁ ହିସାବକୁ ନେଲେ ୪୬ ହଜାର ୯୮୯ ଜଣ ଶିକ୍ଷକ ରହିବା କଥା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ମୋଟ ୧ ଲକ୍ଷ ୮୧ ହଜାର ୪୩୯ ଜଣ ଶିକ୍ଷକ ଆବଶ୍ୟକ । ସରକାରୀ ତଥ୍ୟ କହୁଛି, ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ ପାଇଁ ମୋଟ ୧ ଲକ୍ଷ ୩୫ ହଜାର ୬୫୬ ମଞ୍ଜୁରୀପ୍ରାପ୍ତ ପଦବି ରହିଛି । ଉଦବେଗର ବିଷୟ ହେଲା ଏବେ ପ୍ରାଥମିକ ସ୍କୁଲ ସ୍ତରରେ ୫୪ ହଜାର ୧୧୯ ଶିକ୍ଷକ ପଦବି ଖାଲି ରହିଛି । ଅର୍ଥାତ ସ୍କୁଲଗୁଡିକରେ ୪୦ ପ୍ରତିଶତ ଶିକ୍ଷକ ନାହାନ୍ତି । ବାକି ୩୮ ହଜାର ୪୭୪ ଜଣ ଶିକ୍ଷକ ପଦୋନ୍ନତି ଅପେକ୍ଷାରେ ଅଛନ୍ତି । ଏଲିମେଣ୍ଟାରୀ କ୍ୟାଡର୍ ଲେଭଲ-୩ ଉଚ୍ଚ ପ୍ରାଥମିକ ସ୍କୁଲରେ ୧୭ ହଜାର ୬୯୬ ପ୍ରଧାନଶିକ୍ଷକ ପଦବି ରହିଛି । ଏଥିରୁ ୩ ହଜାର ୮୩୩ ଜଣ ଶିକ୍ଷକ ଅଛନ୍ତି । ବାକି ୧୩ ହଜାର ୮୬୩ ପଦବି ଖାଲି ରହିଛି ।

ସେହିପରି ପ୍ରାଥମିକ ସ୍କୁଲ ବରିଷ୍ଠ ପ୍ରାଥମିକ ଶିକ୍ଷକ (ଲେଭଲ-୩)ରେ ୧୦୭୩ ମଞ୍ଜୁରୀପ୍ରାପ୍ତ ପଦବିରୁ ୩୨୭ ଜଣ କାର୍ଯ୍ୟରତ ଥିବା ବେଳେ ୭୪୬ ପଦବି ଖାଲି ରହିଛି । ପ୍ରାଥମିକ ସ୍କୁଲ ପ୍ରାଥମିକ ଶିକ୍ଷକ (ଲେଭଲ-୪) ୧୫ ହଜାର ୭୭୨ ମଞ୍ଜୁରୀପ୍ରାପ୍ତ ପଦବିରୁ ୮ ହଜାର ୫୬୭ ଜଣ କାର୍ଯ୍ୟରତ ଅଛନ୍ତି ବାକି ୭ ହଜାର ୨୦୫ ପଦବି ଖାଲି ରହିଛି । ସେହିପରି ସାଇନ୍ସ ଗ୍ରାଜୁଏଟ୍ ଶିକ୍ଷକ (ଲେଭଲ-୪)ରେ ୧୭ ହଜାର ୬୯୬ ମଞ୍ଜୁରୀପ୍ରାପ୍ତ ପଦବିରୁ ୪ ହଜାର ୫୬୨ ଜଣ ଶିକ୍ଷକ ଅଛନ୍ତି ବାକି ୧୩ ହଜାର ୧୩୪ଟି ପଦବି ଖାଲି ପଡ଼ିଛି । କଳା ଗ୍ରାଜୁଏଟ୍ ଶିକ୍ଷକ (ଲେଭଲ-୪)ରେ ୧୭ ହଜାର ୬୯୬ଟି ମଞ୍ଜୁରୀପ୍ରାପ୍ତ ପଦବି ରହିଛି । ଏଥିରୁ ୯ ହଜାର ୫୯୮ଜଣ କାର୍ଯ୍ୟରତ ଥିବା ବେଳେ ୮ ହଜାର ୯୮ଟି ପଦବି ଖାଲି ରହିଛି । ସେହିପରି ବରିଷ୍ଠ ଶିକ୍ଷକ ଲେଭଲ୍-ଭି(ବି)ରେ ୩୩ ହଜାର ୩୯୮ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବି ରହିଛି । ଏଥିରୁ ୨୨ ହଜାର ୩୨୫ଜଣ କାର୍ଯ୍ୟରତ ଥିବା ବାକି ୧୧ ହଜାର ୭୩ଟି ପଦବିରେ ଖାଲି ରହିଛି । ସହକାରୀ ଶିକ୍ଷକ ଲେଭଲ-ଭି (ଏ)ରେ ୩୨ ହଜାର ୩୨୫ଟି ମଞ୍ଜୁରୀପ୍ରାପ୍ତ ପଦବି ରହିଛି । ଏଥିରେ ବର୍ତ୍ତମାନ ୭୦ ହଜାର ୭୯୯ ଜଣ କାର୍ଯ୍ୟ କରୁଛନ୍ତି । ଅର୍ଥାତ୍ ୩୮ ହଜାର ୪୭୪ ଜଣ ପଦୋନ୍ନତି ନପାଇ ଏହି ଲେଭଲ୍ରେ ରହିଛନ୍ତି । କନିଷ୍ଠ ଶିକ୍ଷକ ଭାବେ ୧୮୧୩ ଜଣ ଓ ସ୍କିମାଟିକ୍ ଶିକ୍ଷକ ପଦବିରେ ୧୩ ହଜାର ୧୦୯ ଜଣ କାର୍ଯ୍ୟରତ ଅଛନ୍ତି ବୋଲି ବିଭାଗୀୟ ତଥ୍ୟ କହୁଛି ।

ମୁଖ୍ୟ ପ୍ରସଙ୍ଗ ହେଲା ଶେଷ ଥର ପାଇଁ ୨୦୨୪ ମସିହାରେ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ପାଇଁ ସ୍କିମାଟିକ୍ ଶିକ୍ଷକ ନିଯୁକ୍ତି କରିଥିଲେ । ୨୦ ହଜାର ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା । ଏଥିରୁ ୧୬ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ମନୋନୀତ କରାଗଲା । କିନ୍ତୁ କାର୍ଯ୍ୟକ୍ଷେତ୍ରରେ ୧୩ ହଜାର ୧୦୯ ଜଣ ଯୋଗ ଦେଲେ । ଏହାପୂର୍ବରୁ ୨୦୧୮ ମସିହାରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି କରାଯାଇଥିଲା । ତାହା ପୁଣି ସୀମିତ ସଂଖ୍ୟାରେ ହୋଇଥିଲା । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ କହିବା କଥା, ପ୍ରତିବର୍ଷ ପାଖାପାଖି ୫ ହଜାର ଶିକ୍ଷକ ଅବସର ନେଉଛନ୍ତି । ଏପଟେ ଶିକ୍ଷକ ନିଯୁକ୍ତି ପ୍ରତିବର୍ଷ ହେଉନି କି ଆଖିଦୃଶିଆ ମଧ୍ୟ କରାଯାଉ ନାହିଁ । ଏମିତିକି ଅନେକ ସ୍କୁଲ ରହିଛି ଯେଉଁଠି ପିଲାଙ୍କ ସଂଖ୍ୟା ଅନୁଯାୟୀ ଯେତିକି ଶିକ୍ଷକ ରହିବା କଥା ସେଠାରେ ତାଠୁ ଅଧିକ ସଂଖ୍ୟାରେ ରହୁଛନ୍ତି । ଏତିକି ନୁହେଁ ସରକାର ଛାତ୍ରଛାତ୍ରୀଙ୍କ ନାମଲେଖାକୁ ଦୃଷ୍ଟିରେ ରଖି ମଧ୍ୟ ମଞ୍ଜୁରପ୍ରାପ୍ତ ଶିକ୍ଷକ ପଦବି ବୃଦ୍ଧି ତଥା ସଂଶୋଧନ ବି କରୁନାହାନ୍ତି । ଫଳରେ ଶିକ୍ଷକ ଅଭାବ ସମସ୍ୟା ସୃଷ୍ଟି ହେଉଛି । କେବଳ ପ୍ରାଥମିକ ଶିକ୍ଷା ନୁହେଁ, ହାଇସ୍କୁଲରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି ।

ସରକାରୀ ତଥ୍ୟ କହୁଛି, ହାଇସ୍କୁଲରେ ୧୩ ହଜାର ୯୦୩ ଶିକ୍ଷକ ପଦବି ଖାଲି ପଡ଼ିଛି । ୩୭୪ଟି ହାଇସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି । ନୂଆ ସରକାର ଆସିବା ପରେ ରାଜ୍ୟରେ ଗତ ଦୁଇ ବର୍ଷରେ ଉଭୟ ପ୍ରାଥମିକ ଓ ହାଇସ୍କୁଲକୁ ମିଶାଇ ପ୍ରାଥମିକ ସ୍ତରରେ ୧୬ ହଜାର ୯ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି ସରକାରୀ ହାଇସ୍କୁଲରେ ୫ ହଜାର ୮୯୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ମୋଟ ଦୁଇ ବର୍ଷରେ ୨୪ ହଜାର ୯୦୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସରକାର ଏହା ମଧ୍ୟ ପ୍ରତିଶୃତି ଦେଇଛନ୍ତି ପ୍ରତିବର୍ଷ ୧୫ ହଜାର ଲେଖାଏଁ ୩ ବର୍ଷରେ ୪୫ ହଜାର ଶିକ୍ଷକ ନିଯୁକ୍ତି ପ୍ରଦାନ କରିବେ । କିନ୍ତୁ ଏଠାରେ କଥା ଉଠୁଛି, ରାଜ୍ୟର ସରକାରୀ ସ୍କୁଲରେ ୫୧ ଲକ୍ଷ ୨୩ ହଜାର ୩୬୭ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ପ୍ରତିବର୍ଷ ଏକକ ଶିକ୍ଷକ ଥିବା ସ୍କୁଲ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏତିକି ନୁହେଁ ରାଜ୍ୟର ଏମିତି ସ୍କୁଲ ରହିଛି, ଯେଉଁଠି ଆବଶ୍ୟକତାରୁ ଅଧିକ ଶିକ୍ଷକ ଅଛନ୍ତି । ବିଡମ୍ବନାର ବିଷୟ ସେହି ବ୍ଲକ କିମ୍ବା ଜିଲ୍ଲାରେ ଅନେକ ସ୍କୁଲରେ ଶିକ୍ଷକ ଅଭାବ ପାଇଁ ପିଲା ଆନ୍ଦୋଳନକୁ ଓହ୍ଲାଉଛନ୍ତି ।

source:prameya news


Related News