Instagramରେ ଆଉ ଦେଖାଯିବନି ଅଶ୍ଳୀଳ କଣ୍ଟେଣ୍ଟ, ‘ସଜେଷ୍ଟିଭ୍ କଣ୍ଟେଣ୍ଟ’ ଆଲଗୋରିଦମରେ ପରିବର୍ତ୍ତନ କଲା ମେଟା

ବିଶେଷ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ୟୁଜରମାନଙ୍କୁ କି ପ୍ରକାରର ପୋଷ୍ଟ ଓ ଭିଡିଓ ଦୃଶ୍ୟମାନ ହେବ, ଏହାକୁ ନେଇ ମେଟା ଏହାର ସୁପାରିଶ ସିଷ୍ଟମରେ ପରିବର୍ତ୍ତନ କରିଛି । କମ୍ପାନୀର କହିବା ଅନୁଯାୟୀ, ଇନଷ୍ଟାଗ୍ରାମ ୟୁଜରମାନଙ୍କ ପସନ୍ଦ ଓ ସେମାନଙ୍କ ଆକ୍ଟିଭିଟି ଆଧାରରେ କଣ୍ଟେଣ୍ଟ ଦେଖାଇ ଥାଏ । ତେବେ, ବର୍ତ୍ତମାନ ଏଭଳି କଣ୍ଟେଣ୍ଟଗୁଡ଼ିକୁ ସୁପାରିଶରେ ସାମିଲ ନ କରିବା ପାଇଁ ଚେଷ୍ଟା କରାଯିବ, ଯାହାକି ଆପତ୍ତିଜନକ, ସମ୍ବେଦନଶୀଳ କିମ୍ବା ନିମ୍ନମାନର ହୋଇ ପାରେ । ସରକାରଙ୍କ ନିର୍ଦ୍ଦେଶ କ୍ରମେ କରାଯାଇ ଥିବା ଏହି ପରିବର୍ତ୍ତନ ପରେ ଇନଷ୍ଟାଗ୍ରାମର ଏକ୍ସପ୍ଲୋର୍, ରିଲ୍ସ ଏବଂ ଫିଡରେ ଦୃଶ୍ୟମାନ ହେଉଥିବା ସଜେସନ ଉପରେ ପ୍ରଭାବ ପଡ଼ି ପାରେ ।

ମେଟାର ମତ ଅନୁସାରେ , ଇନଷ୍ଟାଗ୍ରାମରେ ୟୁଜରମାନଙ୍କୁ ସେହି ସବୁ ଆକାଉଣ୍ଟର କଣ୍ଟେଣ୍ଟ ମଧ୍ୟ ଦେଖାଯାଇ ଥାଏ, ଯାହାକୁ ସେମାନେ ଫଲୋ କରି ନଥାନ୍ତି । ଏହା ପାଇଁ କମ୍ପାନୀ ୟୁଜରଙ୍କ ପସନ୍ଦ, ସେମାନଙ୍କ ଆକ୍ଟିଭିଟି ଏବଂ ପୂର୍ବରୁ ଦେଖିଥିବା କଣ୍ଟେଣ୍ଟକୁ ଗୁରୁତ୍ୱ ଦେଇ ଥାଏ । ଉଦାହରଣ ସ୍ୱରୂପ, ଯଦି ଜଣେ ୟୁଜର୍ ଇନଷ୍ଟାଗ୍ରାମରେ ରେଷ୍ଟୁରାଣ୍ଟ ଏବଂ ବହି ସମ୍ପର୍କିତ ପୋଷ୍ଟ ଦେଖନ୍ତି, ତେବେ ତାଙ୍କୁ ଖାଦ୍ୟ, ରେସିପି ଏବଂ ବହି ସମ୍ପର୍କିତ କଣ୍ଟେଣ୍ଟ ଅଧିକ ଦେଖା ଯାଇ ପାରେ ।

ଆପତ୍ତିଜନକ କଣ୍ଟେଣ୍ଟ ଉପରେ ଲାଗିବ ରୋକ୍

କମ୍ପାନୀ ଜଣାଇଛି ଯେ, ଏହା ଏହାର ରିକମେଣ୍ଡେସନ ସିଷ୍ଟମ ପାଇଁ କିଛି ବିଶେଷ ନିୟମର ବ୍ୟବହାର କରି ଥାଏ । ଏହି ନିୟମ ଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସେହି କଣ୍ଟେଣ୍ଟଗୁଡ଼ିକୁ ସୁପାରିଶରେ ଆସିବାରୁ ରୋକିବା, ଯାହା ନିମ୍ନମାନର, ଆପତ୍ତିଜନକ କିମ୍ବା ଅତ୍ୟଧିକ ସମ୍ବେଦନଶୀଳ ହୋଇ ପାରେ । ଏହା ପାଇଁ ମେଟା ଟେକ୍ନୋଲୋଜିର ସହାୟତାରେ ଏଭଳି କଣ୍ଟେଣ୍ଟ ଏବଂ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରିଥାଏ,  ଯାହା ଏହି ନିୟମଗୁଡ଼ିକୁ ପାଳନ କରନ୍ତି ନାହିଁ । ମେଟାର ଏହି ପରିବର୍ତ୍ତନର ପ୍ରଭାବ ବିଶେଷ କରି ଇନଷ୍ଟାଗ୍ରାମର ଏକ୍ସପ୍ଲୋର୍, ରିଲ୍ସ ଏବଂ ଫିଡରେ ଦୃଶ୍ୟମାନ ହେଉ ଥିବା ସେହି ସୁପାରିଶ ଗୁଡ଼ିକ ଉପରେ ପଡ଼ିବ, ଯାହା ୟୁଜରମାନଙ୍କୁ ନୂଆ ଆକାଉଣ୍ଟ ଏବଂ କଣ୍ଟେଣ୍ଟ ଖୋଜିବାରେ ସାହାଯ୍ୟ କରି ଥାଏ ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଅକ୍ଟୋବର ୧୦ ତାରିଖରେ ମେଟାକୁ ଏକ ଆଡଭାଇଜରୀ ଜାରି କରି ସେମାନଙ୍କ କଣ୍ଟେଣ୍ଟ ରିକମେଣ୍ଡେସନ ଏବଂ ରାଙ୍କିଙ୍ଗ ସିଷ୍ଟମର ସମୀକ୍ଷା କରିବାକୁ କହି ଥିଲା । ସରକାରଙ୍କ ଚିନ୍ତା ଥିଲା ଯେ, ସୋସିଆଲ ମିଡିଆର ଆଲଗୋରିଦମ ଭୁଲ ଏବଂ ଭ୍ରମାତ୍ମକ ସୂଚନା ସହ ଆପତ୍ତିଜନକ କଣ୍ଟେଣ୍ଟକୁ ମଧ୍ୟ ବହୁ ସଂଖ୍ୟାରେ ଲୋକଙ୍କ ପାଖରେ ପହଞ୍ଚାଇ ପାରେ । ଏହାପରେ ମେଟା ଭାରତରେ ଇନଷ୍ଟାଗ୍ରାମର ସିଷ୍ଟମକୁ ଅଧିକ ଉନ୍ନତ କରିବା ପାଇଁ AI ଆଧାରିତ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବୃଦ୍ଧି କରିଛି । ତେବେ, କମ୍ପାନୀ ଏହି ପରିବର୍ତ୍ତନଗୁଡ଼ିକୁ ସିଧାସଳଖ ସରକାରୀ ଆଡଭାଇଜରୀର ଫଳାଫଳ ବୋଲି କହି ନାହିଁ ।

source:prameya news


Related News