‘କ୍ୱାଡ୍’ ବୈଠକରେ ତ୍ରିରଙ୍ଗା ଉଠାଇଲେ ମୋଦି, ପିଠି ଥାପୁଡ଼ାଇଲେ ଟ୍ରମ୍ପ; କହିଲେ- ଏହାକୁ…
ନୂଆଦିଲ୍ଲୀ,୧୭।୧୧: ଫିଲିପାଇନ୍ସରେ ମୋଦି-ଟ୍ରମ୍ପଙ୍କ ନିଆରା ଅନ୍ଦାଜ ସମସ୍ତଙ୍କ ମନ ଜିଣିଲା। ମଞ୍ଚ ତଳେ ପଡ଼ିଥିବା ତ୍ରିରଙ୍ଗାକୁ ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦି। ଆଉ ଏହା ଦେଖି ପିଠି ଥାପୁଡ଼ାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଲେ, 'ଏହାକୁ ସୁରକ୍ଷିତ ରଖନ୍ତୁ।' ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍।
ତ୍ରିରଙ୍ଗା ଉଠାଇଲେ ମୋଦି, ଖୁସି ହେଲେ ଟ୍ରମ୍ପ
କ୍ୱାଡ୍ ନେତାଙ୍କ ବୈଠକ ପାଇଁ ଫିଲିପାଇନ୍ସର ରାଜଧାନୀ ମନିଲାରେ ପହଞ୍ଚିଛନ୍ତି ପିଏମ୍ ମୋଦି।ଏହି ସମୟରେ ମଞ୍ଚ ଉପରେ ତାଙ୍କ ପରିଚୟ ପାଇଁ ରଖାଯାଇଥିବା ତ୍ରିରଙ୍ଗା ତଳେ ପଡ଼ିଥିବା ଦେଖିଥିଲେ ମୋଦି।ତୁରନ୍ତ ତାହାକୁ ଉଠାଇ ନେଇଥିଲେ ପ୍ରଧାନମନ୍ତ୍ରୀ। ଏହା ଦେଖି ଟ୍ରମ୍ପ ତାଙ୍କ ପିଠି ଥାପୁଡ଼ାଇଥିଲେ।'ଏହାକୁ ସୁରକ୍ଷିତ ରଖନ୍ତୁ' ବୋଲି କହିଥିଲେ ଟ୍ରମ୍ପ। ଏହି ସମୟରେ ଉପସ୍ଥିତ ଅନ୍ୟ ନେତାମାନେ ମଧ୍ୟ ହସୁଥିବା ନଜର ଆସିଥିଲେ।ହ୍ୱାଇଟ୍ ହାଉସ୍ ପକ୍ଷରୁ ମଧ୍ୟ ଏହି ମୁହୂର୍ତ୍ତର ଭିଡିଓ ସେୟାର କରାଯାଇଛି।
ମନିଲାରେ ମୋଦିଙ୍କ ବଡ଼ ବୟାନ
କ୍ୱାଡ୍ ବୈଠକ ପୂର୍ବରୁ ମୋଦି ଆସିଆନ୍ ଦେଶଗୁଡ଼ିକର ନେତାଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଭାରତ ଏକ ସ୍ୱାଧୀନ, ସମାବେଶୀ ଏବଂ ନିୟମ ଆଧାରିତ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ବିଶ୍ୱାସ କରେ।ପ୍ରତିଯୋଗିତା ନୁହେଁ, ବରଂ ସହଯୋଗ ହିଁ ଏହି ଅଞ୍ଚଳର ଭବିଷ୍ୟତ ନିର୍ଣ୍ଣୟ କରିବ ବୋଲି ସେ କହିଥିଲେ।
କ୍ୱାଡ୍ ଦେଶ କରିବେ ମିଳିତ ସାମରିକ ଅଭ୍ୟାସ
ବୈଠକରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି।କ୍ୱାଡ୍ ଦେଶଗୁଡ଼ିକ ମିଳିତ ଭାବେ ସାମୁଦ୍ରିକ ଗସ୍ତ ବିମାନ ସହ ସାମରିକ ଅଭ୍ୟାସ କରିବେ।ଜାପାନ ନିକଟରେ ୪ ଦେଶର ନୌସେନା ୩୦ତମ ମାଲାବାର ମିଳିତ ନୌସେନା ଅଭ୍ୟାସ କରିଥିବା କଥା ମଧ୍ୟ ଟ୍ରମ୍ପ କହିଛନ୍ତି।ଏଥିରେ ବୁଡ଼ାଜାହାଜ ବିରୋଧୀ ଯୁଦ୍ଧାଭ୍ୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା।
କ'ଣ ଏହି କ୍ୱାଡ୍?
କ୍ୱାଡ୍ ହେଉଛି ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ ୪ ଦେଶର ରଣନୈତିକ ଗୋଷ୍ଠୀ।ହିନ୍ଦ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ, ଖଣିଜ ସମ୍ପଦ, ନୂଆ ଟେକ୍ନୋଲୋଜି ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଏହି ବୈଠକରେ ଆଲୋଚନା ହେଉଛି।
source:prameya news


