US AI Chip Export Rules: ଚିପ୍ କିଣିବା ତ ଦୂରର କଥା, ଭଡ଼ାରେ ବି ପାଇବନି ଚୀନ୍ ! ଆମେରିକାର କଡ଼ା ନିୟମ
ନୂଆଦିଲ୍ଲୀ, ୧୮।୧୧: ଆମେରିକା ଚୀନକୁ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଲାଭ କରିବାକୁ ଦେବନି । ଏ ଦିଗରେ ଅତ୍ୟାବଧି ସବୁଠୁ କଠୋର ନିୟମ ଆଣିଛି ଆମେରିକା । ଟ୍ରମ୍ପ ପ୍ରଶାସନ ସୋମବାର ନୂଆ ରପ୍ତାନି ନିୟନ୍ତ୍ରଣ ନିୟମ ଘୋଷଣା କରିଛି । ତ୍ୱରିତ ଭିତ୍ତିରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏନ୍ଭିଡିଆ ସିଇଓ ଜେନ୍ସେନ୍ ହୁଆଙ୍ଗ ଇସ୍ତଫା ଦେବାର ୪ ଦିନ ପରେ ଏଭଳି ଶକ୍ତ ନିୟମ ଆଣିଛି ଆମେରିକା । ହୁଆଙ୍ଗ ହନିଟ୍ରାପ ଘଟଣାରେ ହୋଇଥିବା ତ୍ରୁଟି ଯେଭଳି ଆଗକୁ ନ ହୁଏ ସେଥିପ୍ରତି ସତର୍କତା ଆପଣାଇଛି ୟୁଏସ । ନୂଆ ନିୟମ ଅଧିନରେ ଚୀନ, ରୁଷ, ଇରାନ, କ୍ୟୁବା ଭଳି ଦେଶର କମ୍ପାନିଗୁଡିକୁ ସେବା ଦେଉଥିବା ବିଦେଶୀ ଡାଟା ସେଣ୍ଟର ଲାଗି ନିଜର ଏଣ୍ଡ୍ ୟୁଜରଙ୍କୁ ଚିହ୍ନଟ କରିବାକୁ ପଡ଼ିବ । ଏହାବାଦ ଇଣ୍ଡୋନେସିଆ, ମାଲେସିଆ, ସିଙ୍ଗାପୁର, ଥାଇଲାଣ୍ଡ ଏବଂ ବ୍ରାଜିଲ ଭଳି ଦେଶ ଗୁଡ଼ିକୁ ଚିପ୍ ବିକିବା ଲାଗି ଭିନ୍ନ ଲାଇସେନ୍ସ ନେବାକୁ ପଡ଼ିବ । ଏଭଳି ସ୍ଥାନଗୁଡ଼ିକରୁ ଚିପ୍ ଅନ୍ୟତ୍ର ସ୍ଥାନାନ୍ତର ଆଶଙ୍କା ଅଧିକ ରହିଛି । ସିଙ୍ଗାପୁର କମ୍ପାନି ମେଗାସ୍ପିଡ ଇଣ୍ଟରନ୍ୟାସ୍ନାଲ ଏନ୍ଭିଡିଆ ଚିପ୍ କିଣାରେ ଏସିଆର ସବୁଠୁ ଆଗରେ ରହିଛି । ୩ ବର୍ଷରେ ଏହା ୪ ବିଲିୟନ ଡଲାରର ଚିପ୍ କିଣିଥିଲା ।
ଆମେରିକା ଚିପ୍ ଜରିଆରେ ସିଙ୍ଗାପୁରରେ ଡାଟା ସେଣ୍ଟର ବନାଇ ଏହା ଚୀନ କମ୍ପାନିଗୁଡିକୁ କମ୍ପ୍ୟୁଟିଂ କ୍ଷମତା ପ୍ରଦାନ କରିଛି । ଚୀନ ସିଧାସଳଖ ଚିପ୍ ନ କିଣିଥିଲେ ମଧ୍ୟ ଏହି ଡାଟା ସେଣ୍ଟର ଗୁଡ଼ିକର କ୍ଲାଉଡ ଏବଂ ରିମୋଟ ଆକ୍ସେସ୍ ଜରିଆରେ ଏଆଇ ମଡେଲଗୁଡ଼ିକ ତାଲିମ ଦେଉଥିବା ସନ୍ଦେହ କରାଯାଉଛି । ନୂଆ ନିୟମ ଅନୁସାରେ ରିମୋଟ୍ ଆକ୍ସେସ୍କୁ ମଧ୍ୟ ରପ୍ତାନି ବୋଲି ବିବେଚନା କରାଯିବ । ନୂଆ ନିୟମ ଜରିଆରେ ଚୀନର ଆଲିବାବା, ବାଇଟ ଡାନ୍ସ ଏବଂ ଡିପ୍ ସିକ୍ ଭଳି କମ୍ପାନିଗୁଡ଼ିକ ଏବେ ମାଲେସିଆ ଏବଂ ସିଙ୍ଗାପୁର ଡାଟା ସେଣ୍ଟରରୁ ଭଡ଼ାରେ ଆମେରିକା ଚିପ୍ ନେଇପାରିବେ ନାହିଁ । ଭାରତ ଏହି ତାଲିକାରେ ନାହିଁ ।
source:prameya news


