Cancer and Stroke Risk: କ୍ୟାନସର ରୋଗୀଙ୍କ ପାଇଁ ଆଉ ଏକ ବିପଦ, ନିରବରେ ମାଡ଼ି ଆସିପାରେ ବ୍ରେନ୍ ଷ୍ଟ୍ରୋକ୍ !
ନୂଆଦିଲ୍ଲୀ, ୧୮।୧୧: କ୍ୟାନସର ଏକ ମାରାତ୍ମକ ରୋଗ । ଏହି ରୋଗର ନାଁ ଶୁଣିଲେ ମନକୁ ଆସେ ଅସ୍ୱାଭାବିକ ଓଜନ ହ୍ରାସ, ଲଗାତାର ଥକ୍କାପଣ, ଶରୀରରେ ଯନ୍ତ୍ରଣା ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଣ୍ଠି ସୃଷ୍ଟି ହେବା । କିନ୍ତୁ କ୍ୟାନସରର ପ୍ରଭାବ କେବଳ ଟ୍ୟୁମରରେ ସୀମିତ ନୁହେଁ । ଏହା ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ଏପରିକି କ୍ୟାନସର ରୋଗୀଙ୍କଠାରେ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ମଧ୍ୟ ବଢ଼ିପାରେ । ଆଶ୍ଚର୍ଯ୍ୟର କଥା, ଉଚ୍ଚ ରକ୍ତଚାପ, ମଧୁମେହ କିମ୍ବା ଧୂମପାନ ଭଳି ସାଧାରଣ ବିପଦ କାରକ ନଥିଲେ ମଧ୍ୟ କିଛି କ୍ୟାନସର ରୋଗୀ ଷ୍ଟ୍ରୋକ୍ର ଶିକାର ହୋଇପାରନ୍ତି । ହେଡ୍ ଆଣ୍ଡ ନେକ୍ କ୍ୟାନସର ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (HNCII)ର କନସଲଟାଣ୍ଟ ମେଡିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ରାଜିଉଦ୍ଦିନ ଖ୍ୱାଜାଙ୍କ ଅନୁସାରେ, କ୍ୟାନସର ଶରୀରର ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ଫଳରେ ରକ୍ତନଳୀରେ ଜମାଟ ବାନ୍ଧିବାର ଆଶଙ୍କା ବଢ଼ିଯାଏ । ଏହି ଜମାଟ ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଧମନୀକୁ ଅବରୋଧ କଲେ ଷ୍ଟ୍ରୋକ୍ ହୋଇପାରେ ।
କ୍ୟାନସର ଯୋଗୁଁ କାହିଁକି ବଢ଼େ ଷ୍ଟ୍ରୋକ୍ ବିପଦ ?
କ୍ୟାନସର ଶରୀରର ରକ୍ତ ଜମାଟ ବାନ୍ଧିବା କ୍ଷମତାରେ ପରିବର୍ତ୍ତନ ଆଣିଥାଏ । ଏହାକୁ ଡାକ୍ତରୀ ଭାଷାରେ ହାଇପରକୋଆଗୁଲେବଲ୍ ଷ୍ଟେଟ୍ କୁହାଯାଏ । ଏହି ସ୍ଥିତିରେ ରକ୍ତ ଅଧିକ ମାତ୍ରାରେ ଜମାଟ ବାନ୍ଧିବାକୁ ଲାଗେ । ଯଦି ଏହି ଜମାଟ ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଧମନୀରେ ଅଟକିଯାଏ, ତେବେ ଇସ୍କେମିକ୍ ଷ୍ଟ୍ରୋକ୍ ହୋଇଥାଏ । ଏହା ବ୍ୟତୀତ ଶରୀରରେ ପ୍ରଦାହ, ରକ୍ତନଳୀର କ୍ଷତି ଏବଂ ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଷ୍ଟ୍ରୋକ୍ର ଆଶଙ୍କା ବଢ଼ାଇପାରେ । ବିଶେଷକରି ପାନକ୍ରିୟାସ୍, ଫୁସଫୁସ ଏବଂ ପାଚନତନ୍ତ୍ର ସମ୍ବନ୍ଧୀୟ କିଛି କ୍ୟାନସର ରୋଗୀଙ୍କଠାରେ ରକ୍ତ ଜମାଟ ବାନ୍ଧିବାର ସମସ୍ୟା ଅଧିକ ଦେଖାଯାଇପାରେ ।
କେମୋଥେରାପି ଓ ରେଡିଓଥେରାପି ବି ବଢ଼ାଇପାରେ ବିପଦ:
କେବଳ କ୍ୟାନସର ନୁହେଁ, ଏହାର ଚିକିତ୍ସା ପଦ୍ଧତି ମଧ୍ୟ କିଛି କ୍ଷେତ୍ରରେ ଷ୍ଟ୍ରୋକ୍ର କାରଣ ହୋଇପାରେ । କେମୋଥେରାପିରେ ବ୍ୟବହୃତ ସିସ୍ପ୍ଲାଟିନ୍ ଭଳି କିଛି ଔଷଧ ରକ୍ତନଳୀକୁ କ୍ଷତି ପହଞ୍ଚାଇବା ସହ ରକ୍ତ ଜମାଟ ବାନ୍ଧିବାର ପ୍ରବୃତ୍ତି ବଢ଼ାଇପାରେ । ସେହିପରି ମୁଣ୍ଡ ଓ ବେକ ଅଞ୍ଚଳରେ ରେଡିଓଥେରାପି କରାଗଲେ ସମୟକ୍ରମେ ଧମନୀ ସଂକୁଚିତ ହେବାର ଆଶଙ୍କା ରହିଥାଏ । କିଛି ଟାର୍ଗେଟେଡ୍ ଥେରାପି ଓ ଇମ୍ୟୁନୋଥେରାପି ମଧ୍ୟ ରକ୍ତନଳୀରେ ଜଟିଳତା, ପ୍ରଦାହ ଏବଂ ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ । ଏହା ସହ ଚିକିତ୍ସା ସମୟରେ ଶରୀରରେ ଜଳୀୟ ଅଂଶର ଅଭାବ, ସଂକ୍ରମଣ ଏବଂ ଦୀର୍ଘ ସମୟ ଧରି ଶଯ୍ୟାରେ ପଡ଼ି ରହିବା ମଧ୍ୟ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ବଢ଼ାଇଥାଏ ।
ଷ୍ଟ୍ରୋକ୍ ହୋଇପାରେ ଅଜଣା କ୍ୟାନସରର ପ୍ରଥମ ସଙ୍କେତ !
କିଛି କ୍ଷେତ୍ରରେ ଷ୍ଟ୍ରୋକ୍ ଶରୀରରେ ଥିବା ଅଜଣା କ୍ୟାନସରର ପ୍ରଥମ ସଙ୍କେତ ହୋଇପାରେ । ବିଶେଷକରି ଯେଉଁ ରୋଗୀଙ୍କଠାରେ ଷ୍ଟ୍ରୋକ୍ ହେବାର କୌଣସି ସ୍ପଷ୍ଟ କାରଣ ମିଳେ ନାହିଁ, ସେମାନଙ୍କ କ୍ଷେତ୍ରରେ ଡାକ୍ତରମାନେ ଅନ୍ତର୍ନିହିତ କ୍ୟାନସରର ସମ୍ଭାବନା ଯାଞ୍ଚ କରିପାରନ୍ତି । ଯଦି କୌଣସି ବ୍ୟକ୍ତିଙ୍କର ବାରମ୍ବାର ଷ୍ଟ୍ରୋକ୍ ହେଉଛି, ଶରୀରର ଏକାଧିକ ରକ୍ତନଳୀରେ ଜମାଟ ବାନ୍ଧୁଛି କିମ୍ବା ଷ୍ଟ୍ରୋକ୍ର କୌଣସି ସ୍ପଷ୍ଟ କାରଣ ଜଣାପଡ଼ୁନାହିଁ, ତେବେ ଅଧିକ ପରୀକ୍ଷାର ଆବଶ୍ୟକତା ପଡ଼ିପାରେ । ଏହା ସହ ଅକାରଣ ଓଜନ ହ୍ରାସ ଓ ଲଗାତାର ଥକ୍କାପଣ ଭଳି ଲକ୍ଷଣ ଥିଲେ ଡାକ୍ତର ଅଧିକ ସତର୍କ ହୋଇଥାନ୍ତି । ତେବେ ପ୍ରତ୍ୟେକ ଅଜଣା ଷ୍ଟ୍ରୋକ୍ କ୍ୟାନସରର ସଙ୍କେତ ନୁହେଁ । ରୋଗୀଙ୍କ ଲକ୍ଷଣ ଓ ଡାକ୍ତରୀ ଯାଞ୍ଚ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯାଏ । କ୍ୟାନସର ରୋଗୀଙ୍କ କ୍ଷେତ୍ରରେ ଷ୍ଟ୍ରୋକ୍ର ଲକ୍ଷଣ ସାଧାରଣ ଲୋକଙ୍କ ଭଳି ହୋଇଥାଏ । କିନ୍ତୁ, ଅନେକ ସମୟରେ ଏହି ଲକ୍ଷଣକୁ କ୍ୟାନସର ଜନିତ ଥକ୍କାପଣ କିମ୍ବା ଚିକିତ୍ସାର ପାର୍ଶ୍ୱପ୍ରତିକ୍ରିୟା ଭାବି ଅଣଦେଖା କରାଯାଇଥାଏ ।
ଷ୍ଟ୍ରୋକ୍ର ପ୍ରମୁଖ ଲକ୍ଷଣ:
୧. ହଠାତ୍ ହାତ ଓ ଗୋଡ଼ ଦୁର୍ବଳ ହେବା: ବିଶେଷକରି ଶରୀରର ଗୋଟିଏ ପାର୍ଶ୍ୱରେ ଅସାରତା କିମ୍ବା ଦୁର୍ବଳତା ଅନୁଭବ ହେବା ।
୨. ମୁହଁ ବଙ୍କା ହୋଇଯିବା: ମୁହଁର ଗୋଟିଏ ପାର୍ଶ୍ୱ ହଠାତ୍ ଝୁଲିଯିବା ।
୩. କଥା କହିବାରେ ସମସ୍ୟା: କଥା ଅସ୍ପଷ୍ଟ ହେବା କିମ୍ବା ଅନ୍ୟର କଥା ବୁଝିବାରେ ଅସୁବିଧା ।
୪. ଦୃଷ୍ଟିଶକ୍ତି ପ୍ରଭାବିତ ହେବା: ହଠାତ୍ ଆଖିକୁ ଝାପସା ଦେଖାଯିବା କିମ୍ବା ଦୃଷ୍ଟିଶକ୍ତି ହ୍ରାସ ପାଇବା ।
୫. ଶରୀରର ସନ୍ତୁଳନ ହରାଇବା: ଚାଲିବା ସମୟରେ ଅସୁବିଧା କିମ୍ବା ଶରୀରର ସନ୍ତୁଳନ ରଖି ନପାରିବା ।
୬. ହଠାତ୍ ପ୍ରବଳ ମୁଣ୍ଡବିନ୍ଧା: କୌଣସି ସ୍ପଷ୍ଟ କାରଣ ନଥାଇ ହଠାତ୍ ଭୀଷଣ ମୁଣ୍ଡବିନ୍ଧା ହେବା ।
ଏହି ଲକ୍ଷଣ ମଧ୍ୟରୁ କୌଣସିଟି ହଠାତ୍ ଦେଖାଦେଲେ ତୁରନ୍ତ ଜରୁରୀକାଳୀନ ଚିକିତ୍ସା ସହାୟତା ନିଅନ୍ତୁ । ଲକ୍ଷଣ ଆପେଆପେ ଠିକ୍ ହୋଇଯିବ ବୋଲି ଅପେକ୍ଷା କରନ୍ତୁ ନାହିଁ । କ୍ୟାନସର ରୋଗୀଙ୍କ କ୍ଷେତ୍ରରେ ହଠାତ୍ ଦେଖାଦେଉଥିବା ସ୍ନାୟୁଜନିତ ସମସ୍ୟାକୁ କେବଳ କ୍ୟାନସର କିମ୍ବା ଏହାର ଚିକିତ୍ସାର ପାର୍ଶ୍ୱପ୍ରତିକ୍ରିୟା ଭାବି ଅଣଦେଖା କରିବା ଉଚିତ୍ ନୁହେଁ । ଷ୍ଟ୍ରୋକ୍ କ୍ଷେତ୍ରରେ ପ୍ରତିଟି ସେକେଣ୍ଡ ମୂଲ୍ୟବାନ । ତେଣୁ ଲକ୍ଷଣ ଚିହ୍ନିବା ଓ ତୁରନ୍ତ ଚିକିତ୍ସା ନେବା ଜୀବନ ବଞ୍ଚାଇବାରେ ସହାୟକ ହୋଇପାରେ ।
source:prameya news


