ସେଣ୍ଟ୍ରାଲ୍‌ ରେଞ୍ଜ୍‌ ଆଇଜିଙ୍କ ଅକଭାନ୍‌ ସମୀକ୍ଷା: ୭ ଜିଲ୍ଲାରେ ୧୮ ଟି ଓଡ୍ରାଫ୍‌ ଟିମ୍‌, ସବୁ ଥାନାରେ ଆଲର୍ଟ ରହିବ ପୁଲିସ

ରାଜ୍ୟ

କଟକ,୧୯/୧୧: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା "ଅକଭାନ୍'ର ମୁକାବିଲା ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ସମେତ ୭ଟି ଜିଲ୍ଲା ହାଇ ଆଲର୍ଟ କରାଯାଇଛି । ସାମୁଦ୍ରିକ ବାତ୍ୟା ମୁକାବିଲା ଲାଗି କେନ୍ଦ୍ରାଞ୍ଚଳ (ସେଣ୍ଟ୍ରାଲ) ରେଞ୍ଜ୍ ଅଧୀନସ୍ଥ ସମସ୍ତ ୭ଟି ଜିଲ୍ଲାର ଏସ୍‌ପିମାନଙ୍କୁ ଆଇଜି ଡାକ୍ତର ସତ୍ୟଜିତ ନାୟକ ଆଲର୍ଟ କରାଇଛନ୍ତି । ଏହି ଅବସରରେ ଆଇଜି ଡ. ନାୟକ ସେଣ୍ଟ୍ରାଲ୍ ରେଞ୍ଜ୍ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଏସ୍ପିଙ୍କୁ ନେଇ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଅକଭାନ୍‌ର ଜରୁରିକାଳୀନ ମୁକାବିଲା ଲାଗି ସମୀକ୍ଷା କରିଛନ୍ତି । ଉକ୍ତ ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳ, ନଦୀକୂଳ ଓ ବନ୍ୟା, ବାତ୍ୟା ପ୍ରବଣ ଗ୍ରାମ, ସମୁଦ୍ର ଉପକୂଳ, ନଦୀକୂଳିଆ ଅଞ୍ଚଳରେ ଜନଜୀବନର ସୁରକ୍ଷା ପାଇଁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ ଲାଗି ଆଇଜି ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ସମନ୍ୱୟ ରକ୍ଷା କରି ପୁଲିସ ବିପଦସଙ୍କୁଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାରେ ସହଯୋଗ କରିବେ । ଉଦ୍ଧାର ଓ ଜରୁରିକାଳୀନ ସହାୟତା ଲାଗି ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା ଓ ଯାଜପୁରରେ ମୋଟ ୧୮ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି । କେନ୍ଦ୍ରାଞ୍ଚଳ ରେଞ୍ଜର ସମସ୍ତ ଥାନାଗୁଡ଼ିକୁ ୨୪ ଘଣ୍ଟିଆ ଆଲର୍ଟ କରାଯାଇଛି । ବାତ୍ୟା ସମୟରେ ବିଭିନ୍ନ ଅଞ୍ଚଳରେ ଅପରାଧୀକ ଗୋଷ୍ଠୀ ଚୋରି, ଡକାୟତି, ଲୁଟ୍‌ପାଟ୍ ଆଦି ଅପରାଧର ନିୟନ୍ତ୍ରଣ ପାଇଁ ପୁଲିସ ପାଟ୍ରୋଲିଂ ସହ ରାତ୍ରିକାଳିନ ପହରାକୁ ସକ୍ରିୟ ରଖିବା ପାଇଁ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାକୁ ନେଇ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।

source:prameya news


Related News