Ganja Cultivation : ଓଡି଼ଶାରୁ ଗଞ୍ଜେଇ ଚାଷ ଚେର ଉପାଡି଼ବ ଏନ୍‌ସିବି, ୬ ଜିଲ୍ଲାକୁ ଦିଆଯିବ ଗୁରୁତ୍ଵ

ରାଜ୍ୟ

ଭୁବନେଶ୍ୱର, ୧୯/୧୧ : ଓଡି଼ଶାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣରେ କେବଳ ବ୍ରେକ୍‌ ଲାଗିବନି । ଏଣିକି ୬ ଜିଲ୍ଲାର ଗଞ୍ଜେଇ ଚାଷ ଜମିକୁ ମଧ୍ୟ ସମୂଳେ ନଷ୍ଟ କରାଯିବ । ଏହି ଲକ୍ଷ୍ୟରେ ଓଡ଼ିଶାରେ ସ୍ଥାପନ ହେବ ଏକ ଜାତୀୟ ସମନ୍ୱୟ କେନ୍ଦ୍ର । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ହିଁ ପ୍ରସ୍ତାବିତ କେନ୍ଦ୍ରର ନେତୃତ୍ୱ ନେବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ଏହି ବଡ଼ ନିଷ୍ପତ୍ତି ନେଇଛି । ୨୦୨୯ ଶେଷ ସୁଦ୍ଧା ନିଶା ମୁକ୍ତ ଭାରତ ଗଠନ କରିବା କେନ୍ଦ୍ର ସରକାରଙ୍କ ଟାର୍ଗେଟ ରହିଛି । ୨୦୨୭ ମସିହା ଡିସେମ୍ବର ସୁଦ୍ଧା ଦେଶବ୍ୟାପୀ ବେଆଇନ ଗଞ୍ଜେଇ ଓ ପୋସ୍ତ ଚାଷର ଚେରକୁ ଉପାଡି଼ ଫିଙ୍ଗିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର । କିନ୍ତୁ ଓଡି଼ଶାର କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଷ ନିୟନ୍ତ୍ରଣ ବାହାରେ ।

ରାଜ୍ୟ ପୁଲିସ ବାହିନୀ, କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ, ଅବକାରୀ ବିଭାଗ, ରାଜସ୍ୱ ନିର୍ଦ୍ଦେଶାଳୟ ରୋକ୍‌ ଲଗାଇବାରେ ସମ୍ପୂର୍ଣ୍ଣ ବିଫଳ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାରେ ବି ଚାଷ ମାଡି଼ ଚାଲିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ସଂସଦରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୨୪ରେ ଓଡ଼ିଶାରେ ୨୮,୫୯୨ ଏକର ଗଞ୍ଜେଇ ଚାଷ ଜମିକୁ ନଷ୍ଟ କରାଯାଇଥିଲା । ସେହିବର୍ଷ ହିମାଚଳ ପ୍ରଦେଶରେ ମାତ୍ର ୧,୦୦୨ ଏକର ଏବଂ ଆନ୍ଧ୍ରପ୍ରଦେଶରେ ୧,୦୨୧ ଏକର ଜମିରୁ ହଟିଥିଲା ଗଞ୍ଜେଇ ଚାଷ । ଯାହାକି, ଓଡି଼ଶାରେ ହୁ ହୁ ହୋଇ ବଢ଼ୁଥିବା ଗଞ୍ଜେଇ ଚାଷକୁ ସ୍ପଷ୍ଟ ଭାବେ ଦର୍ଶାଉଛି । ଏନସିବିର ସର୍ବଶେଷ ବାର୍ଷିକ ରିପୋର୍ଟ ଅନୁଯାୟୀ, ଓଡ଼ିଶା ସହ ତ୍ରିପୁରା, ପଶ୍ଚିମବଙ୍ଗ, ଜମ୍ମୁ ଓ କଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶକୁ ଗଞ୍ଜେଇ ଚାଷର ପ୍ରମୁଖ କେନ୍ଦ୍ର ଭାବରେ ଉଭା ହୋଇଛନ୍ତି । ‘ଜଏଣ୍ଟ କୋଅର୍ଡିନେସନ୍‌ କମିଟି' ବୈଠକରେ ରାଜ୍ୟରୁ ଗଞ୍ଜେଇ ଚାଷ ନେଟୱାର୍କକୁ ନଷ୍ଟ କରିବାକୁ ଅଣ୍ଟା ଭିଡି଼ଛି ଏନ୍‌ସିବି ।

ଉତ୍ତରାଖଣ୍ଡର ଡେରାଡୁନ, ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଏନସିବିର ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ଉପରୋକ୍ତ ରାଜ୍ୟଗୁଡି଼କ ଗୁଇନ୍ଦା ତଥ୍ୟ ଏଣିକି ଓଡି଼ଶାର ‘ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ'କୁ ଦେବ । ଏହି ପ୍ରସ୍ତାବିତ କେନ୍ଦ୍ର ଜରିଆରେ ନିଶା ନିବାରଣ ଏନ୍‌ଫୋର୍ସମେଣ୍ଟ ସହ ଜଡି଼ତ ସଂସ୍ଥାଗୁଡି଼କ ମଧ୍ୟରେ ରିଅଲ ଟାଇମ୍‌ ଯୋଗାଯୋଗ ସହ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନରେ ସହାୟକ ହେବ । ଚାଷଜମିର ହଟସ୍ପଟ୍‌ ଚିହ୍ନଟ କରାଯାଇ ଗଞ୍ଜେଇ ଚାଷକୁ ସମୂଳେ ନଷ୍ଟ କରାଯାଇ ପାରିବ । ଓଡ଼ିଶାର କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାରେ ଅକ୍ଟୋବର ୧୦ ତାରିଖରୁ ଗଞ୍ଜେଇ ଚାଷ ମୁକ୍ତ ଅଭିଯାନର ଶୁଭାରମ୍ଭ ହୋଇସାରିଛି । ମାର୍ଚ୍ଚ ୨୦୨୭ ସୁଦ୍ଧା ଉଭୟ ଜିଲ୍ଲାରୁ ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ଲକ୍ଷ୍ୟ ରଖାଯାଇଛି । କନ୍ଧମାଳର କାକେନ୍ଦ୍ରି ଗାଁରୁ ପ୍ରାୟ ୩୦ ଏକର ଚାଷ ଜମିକୁ ନଷ୍ଟ କରାଯାଇଥିଲା । ଫୁଲବାଣୀର ଏକାଧିକ ବ୍ଲକ ବାସିନ୍ଦା ନିଶା ମୁକ୍ତ ପାଇଁ ଶପଥ ପାଠ କରିଛନ୍ତି । ସୂଚନାଯୋଗ୍ୟ, ୨୦୨୪ରେ ଏନସିବି ଦ୍ୱାରା ଗଞ୍ଜେଇ ଜବତ ପରିମାଣ ୫,୩୩,୯୦୩ କେଜିରୁ ବଢ଼ି ୨୦୨୫ ମସିହାରେ ୬,୨୮,୧୯୦ କେଜିରେ ପହଞ୍ଚିଛି । ବର୍ଷକରେ ପ୍ରାୟ ୧୮% ବଢ଼ିଥିଲା । ଗଞ୍ଜେଇ ସମ୍ବନ୍ଧୀୟ ମାମଲା ସଂଖ୍ୟା ମଧ୍ୟ ୪୩% ବଢ଼ିଛି । ୨୦୨୪ରେ ମାମଲା ସଂଖ୍ୟା ୫୦,୦୭୨ ଥିବାବେଳେ ୨୦୨୫ରେ ଏହା ୭୧,୬୧୨ ରେ ପହଞ୍ଚିଥିଲା ।

source:prameya news


Related News