୨୦୩୫ ସୁଦ୍ଧା ବିଶ୍ୱର ସବୁଠୁ ବଡ଼ ଧର୍ମ ହେବ ଇସଲାମ! ପାକିସ୍ତାନରେ ରହିବେ ସର୍ବାଧିକ ମୁସଲିମ; ରିସର୍ଚ୍ଚରେ ବଡ଼ ଖୁଲାସା

ବିଦେଶ

ନୂଆଦିଲ୍ଲୀ,୧୯।୧୧: ଆଗାମୀ ଦଶନ୍ଧିଗୁଡ଼ିକରେ ବିଶ୍ୱର ଜନସଂଖ୍ୟା ଏବଂ ଧାର୍ମିକ ଚିତ୍ରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଆମେରିକୀୟ ଗବେଷଣା ସଂସ୍ଥା ‘ପ୍ୟୁ ରିସର୍ଚ୍ଚ ସେଣ୍ଟର’ (Pew Research Center) ପକ୍ଷରୁ ନଭେମ୍ୱର ୧୭ ତାରିଖରେ ପ୍ରକାଶିତ ଏକ ରିପୋର୍ଟରେ ବିଭିନ୍ନ ଧର୍ମର ଜନସଂଖ୍ୟାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆକଳନ କରାଯାଇଛି। ରିପୋର୍ଟ ଅନୁଯାୟୀ, ଇସଲାମ ଧର୍ମାବଲମ୍ୱୀଙ୍କ ସଂଖ୍ୟା ଯେଉଁ ଦ୍ରୁତ ଗତିରେ ବଢ଼ୁଛି, ତାହାକୁ ଦୃଷ୍ଟିରେ ରଖିଲେ ୨୦୩୫ ସୁଦ୍ଧା ମୁସଲମାନମାନଙ୍କ ଜନସଂଖ୍ୟା ଖ୍ରୀଷ୍ଟିଆନମାନଙ୍କଠାରୁ ଅଧିକ ହୋଇପାରେ। ସେହିପରି, ୨୦୭୦ ସୁଦ୍ଧା ପାକିସ୍ତାନ ବିଶ୍ୱର ସର୍ୱାଧିକ ମୁସଲିମ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇପାରେ। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଇଣ୍ଡୋନେସିଆରେ ସର୍ୱାଧିକ ମୁସଲିମ ଜନସଂଖ୍ୟା ରହିଛି, ଯେଉଁଠାରେ ପ୍ରାୟ ୨୪ କୋଟି ଲୋକ ଇସଲାମ ଧର୍ମ ପାଳନ କରନ୍ତି।

ପ୍ୟୁ ରିସର୍ଚ୍ଚର ତଥ୍ୟ ଅନୁଯାୟୀ, ୨୦୨୦ ମସିହାରେ ବିଶ୍ୱରେ ପ୍ରାୟ ୨.୨୭ ବିଲିୟନ (୨୨୭ କୋଟି) ଖ୍ରୀଷ୍ଟିଆନ ଏବଂ ୨.୦୨ ବିଲିୟନ (୨୦୨ କୋଟି) ମୁସଲମାନ ଥିଲେ। ଆକଳନ କରାଯାଉଛି ଯେ ୨୦୩୫ ସୁଦ୍ଧା ମୁସଲିମ ଜନସଂଖ୍ୟା ବୃଦ୍ଧି ପାଇ ୨.୫୭ ବିଲିୟନ (୨୫୭ କୋଟି) ହୋଇଯିବ, ଯେତେବେଳେ କି ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ପ୍ରାୟ ୨.୫୨ ବିଲିୟନ (୨୫୨ କୋଟି) ରହିବାର ସମ୍ଭାବନା ରହିଛି। ଯଦି ଏହି ଧାରା ଜାରି ରହେ, ତେବେ ୨୦୭୦ ସୁଦ୍ଧା ମୁସଲିମ ଜନସଂଖ୍ୟା ୩.୬ ବିଲିୟନ (୩୬୦ କୋଟି) ଅତିକ୍ରମ କରିପାରେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ରିପୋର୍ଟରେ ମୁସଲିମ ଜନସଂଖ୍ୟା ବୃଦ୍ଧି ପଛରେ ଧର୍ମ ପରିବର୍ତ୍ତନ ବଦଳରେ ଅଧିକ ପ୍ରଜନନ ହାରକୁ ମୁଖ୍ୟ କାରଣ ଭାବେ ଦର୍ଶାଯାଇଛି। ପ୍ୟୁ ରିସର୍ଚ୍ଚର ଜନସଂଖ୍ୟା ବିଶେଷଜ୍ଞ କନରାଡ ହ୍ୟାକେଟଙ୍କ ମତରେ, ଏହି ବୃଦ୍ଧିର ମୁଖ୍ୟ କାରଣ ହେଉଛି ଅଧିକ ଶିଶୁ ଜନ୍ମ ହେବା। ତଥ୍ୟ ଅନୁଯାୟୀ, ୨୦୨୦ରୁ ୨୦୨୫ ମଧ୍ୟରେ ମୁସଲିମ ମହିଳାଙ୍କ ହାରାହାରି ପ୍ରଜନନ ହାର ମହିଳା ପିଛା ୩.୧ ଶିଶୁ ରହିଥିବା ବେଳେ ଖ୍ରୀଷ୍ଟିଆନ ମହିଳାଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୨.୫ ଥିଲା। ଅନ୍ୟ ଧର୍ମଗୁଡ଼ିକରେ ଏହି ହାର ହାରାହାରି ୧.୬ ରହିଥିଲା। ଏହି ସମୟ ମଧ୍ୟରେ ମୁସଲିମ ମହିଳାଙ୍କଠାରୁ ପ୍ରାୟ ୨୫.୨ କୋଟି ଏବଂ ଖ୍ରୀଷ୍ଟିଆନ ମହିଳାଙ୍କଠାରୁ ୨୦.୮ କୋଟି ଶିଶୁ ଜନ୍ମଗ୍ରହଣ କରିଥିଲେ।

ରିପୋର୍ଟ ଅନୁସାୟୀ, ୨୦୭୦ ସୁଦ୍ଧା ପାକିସ୍ତାନ ମୁସଲିମ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ପ୍ରଥମ ସ୍ଥାନରେ ପହଞ୍ଚିପାରେ। ଭାରତ ଦ୍ୱିତୀୟ, ନାଇଜେରିଆ ତୃତୀୟ ଏବଂ ଇଣ୍ଡୋନେସିଆ ଚତୁର୍ଥ ସ୍ଥାନରେ ରହିବାର ଆକଳନ କରାଯାଇଛି। ରିପୋର୍ଟ ଅନୁସାରେ, ଆମେରିକାରେ ଖ୍ରୀଷ୍ଟିଆନମାନଙ୍କ ଭାଗ ୨୦୨୦ର ୬୨ ପ୍ରତିଶତରୁ ହ୍ରାସ ପାଇ ୨୦୬୫ ସୁଦ୍ଧା ୫୦ ପ୍ରତିଶତରୁ ତଳକୁ ଖସିଯାଇପାରେ। କାନାଡାରେ ୨୦୩୦ ସୁଦ୍ଧା ଏହି ସ୍ଥିତି ସୃଷ୍ଟି ହେବାର ଅନୁମାନ କରାଯାଉଛି। ଏହାର ମୁଖ୍ୟ କାରଣ ହେଉଛି କୌଣସି ଧାର୍ମିକ ପରିଚୟ ନଥିବା ଲୋକଙ୍କ ବଢ଼ୁଥିବା ସଂଖ୍ୟା। ୨୦୭୦ ସୁଦ୍ଧା ଆମେରିକାରେ ଏଭଳି ଲୋକଙ୍କ ସଂଖ୍ୟା ୪୧ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ।

source:dharitri news


Related News